କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଜାଗା ବଦଳାଉଛନ୍ତି ଶର୍ମିଷ୍ଠା, ଫୋନ୍‌ ବ୍ୟବହାର କରୁନାହାନ୍ତି

ଡାଏରିରେ ବଡ଼ବଡ଼ିଆଙ୍କ ନାଁ
ଏସ୍‌ପିଙ୍କ ସହ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ମାନସମନ୍ଥନ
କମୁଛି ଫେସ୍‌ବୁକ୍‌ ବନ୍ଧୁଙ୍କ ସଂଖ୍ୟା

ଭୁବନେଶ୍ୱର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ୩୮ ଦିନ ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ମିଳୁ ନଥିବା ବେଳେ ତାଙ୍କୁ ଠାବ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସମସ୍ତ ପ୍ରୟାସ ଆରମ୍ଭ କରିଦେଇଛି। ଗୋଟିଏ ଟିମ୍‌ ବାହାରକୁ ଯାଇଛି। ମିଳୁଥିବା ସୂଚନା ଅନୁସାରେ, ଶର୍ମିଷ୍ଠା ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ନେଇ ଗୋଟିଏ ପରେ ଗୋଟିଏ ସ୍ଥାନ ବଦଳାଇ ଚାଲିଛନ୍ତି। ଉଭୟ ବୁଲୁଥିଲେ ବି ମୋବାଇଲ ଫୋନ୍ ବ୍ୟବହାର କରୁନଥିବାରୁ ସେମାନଙ୍କ ପତ୍ତା ମିଳିବା କଷ୍ଟକର ହୋଇପଡୁଛି। ତେବେ କ୍ରାଇମବ୍ରାଞ୍ଚର ଅନ୍ୟ ଏକ ଟିମ୍‌ ଭଦ୍ରକରେ ପହଞ୍ଚି ଏସ୍‌ପିଙ୍କ ସହ କେସ୍‌ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।

ଶର୍ମିଷ୍ଠାଙ୍କୁ ଠାବ କରିବାକୁ ଉଦ୍ୟମ ଭିତରେ ତାଙ୍କୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ତଦନ୍ତକାରୀ ଟିମ୍‌ ଆଶ୍ରମ ଭିତରୁ ଏକ ଡାଏରି ଜବତ କରିଛି। ଯେଉଁଥିରେ ଅନେକ ବଡ଼ବଡ଼ିଆଙ୍କ ନାଁ ରହିଛି। ଡାଏରିରେ ଥିବା ବ୍ୟକ୍ତିଙ୍କ ବାବଦରେ ତଥ୍ୟକୁ ନେଇ ଅନୁସନ୍ଧାନ କରାଯିବ। ସେହିଭଳି ଆଶ୍ରମ ରେଜିଷ୍ଟରରେ ଯେଉଁ ବ୍ୟକ୍ତି ମାନେ ଆସିଥିବା ନେଇ ତଥ୍ୟ ରହିଛି, ସେମାନଙ୍କୁ ମଧ୍ୟ ଶର୍ମିଷ୍ଠାଙ୍କ ସହ ସମ୍ପର୍କ ନେଇ ପଚରାଉଚୁରା କରିପାରେ ପୁଲିସ। କିଏ କେଉଁ ଉପାୟରେ ଶର୍ମିଷ୍ଠାଙ୍କୁ ଅନୁକମ୍ପା ଦେଖାଇଥିଲେ? କାହିଁକି ଆସୁଥିଲେ ସେସବୁର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ଏହାକୁ ନେଇ ବଡ଼ବଡ଼ିଆ ଡରରେ ଥରହର। ସେହିପରି ଶର୍ମିଷ୍ଠାଙ୍କ ସୋସିଆଲ୍‌ ମିଡିଆରେ ବିଶେଷକରି ଫେସ୍‌ବୁକ୍‌ ବନ୍ଧୁଙ୍କ ସଂଖ୍ୟା କମିବାରେ ଲାଗିଛି। ଯେହେତୁ ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ହାତକୁ ଯାଇଛି। ମେସେଞ୍ଜରରେ ଚାଟିଂକୁ ନେଇ ତଦନ୍ତ ହୋଇପାରେ। କେଉଁମାନେ ତାଙ୍କ ସହ ଚାଟିଂ କରୁଥିଲେ? ଯେଉଁମାନଙ୍କ ଚାଟିଂକୁ ନେଇ ସନ୍ଦେହ ହେବ ସେମାନଙ୍କୁ ଜେରା ବି କରାଯାଇପାରେ। ତେଣୁ ଭୟରେ ଲୋକ ଶର୍ମିଷ୍ଠାଙ୍କ ଠାରୁ ଦୂରେଇବାରେ ଲାଗିଛନ୍ତି।

ପୂର୍ବାହ୍ନରେ କ୍ରାଇମବ୍ରାଞ୍ଚର ଟିମ୍‌ ଭଦ୍ରକରେ ପହଞ୍ଚିବା ପରେ ଏସ୍‌ପି ଚରଣ ସିଂ ମୀନାଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପରେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଚାନ୍ଦବାଲି ଥାନାରେ ପହଞ୍ଚିଥିଲା ଟିମ୍‌। ତେବେ ଆଜି ପୌର ନିର୍ବାଚନ ପାଇଁ ପୁଲିସ ବ୍ୟସ୍ତ ଥିବାରୁ କ୍ରାଇମବ୍ରାଞ୍ଚ ଟିମ୍‌ର ସଦସ୍ୟମାନେ ବନ ବିଭାଗର ଗେଷ୍ଟହାଉସ୍‌ ଅରଣ୍ୟନିବାସକୁ ଚାଲି ଯାଇଥିଲେ। ରାତି ୯ଟାରେ ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ, ମାମଲାର ତଦନ୍ତକାରୀ ଅଧିକାରୀ ଚାନ୍ଦବାଲି ଥାନା ଆଇଆଇସି କରୁଣାକର ରାଉତଙ୍କଠାରୁ ଘଟଣା ସଂପର୍କରେ ଟିକିନିଖି ପଚାରି ବୁଝିବା ସହିତ ପୁଲିସଠାରୁ ତଥ୍ୟ ପ୍ରମାଣ, ଗିରଫ ଅଭିଯୁକ୍ତମାନଙ୍କର ରେକର୍ଡ ହୋଇଥିବା ବୟାନ, ସାଇଣ୍ଟିଫିକ୍ ରିପୋର୍ଟ, ବ୍ୟବଚ୍ଛେଦ ରିପୋର୍ଟ ସହିତ ତଦନ୍ତ ପ୍ରକ୍ରିୟାରେ ଜଡ଼ିତ ସମସ୍ତ କାଗଜପତ୍ର ନିଜ ହେପାଜତକୁ ନେଇଥିଲେ। ବିଶ୍ବସ୍ତ ସୂତ୍ରରୁ ଯାହା ଜଣାପଡ଼ିଛି ଆଜି ଚାନ୍ଦବାଲିରେ କ୍ରାଇମବ୍ରାଞ୍ଚ ଟିମ୍‌ ରାତ୍ରିଯାପନ କରିବା ପରେ ଆସନ୍ତାକାଲି ମାନସଙ୍କୁ ଅପହରଣ କରାଯାଇଥିବା ସ୍ଥାନ ନାଲଗୁଣ୍ଡା ପଞ୍ଚାୟତ ପଳାଶପୁରକୁ ଯାଇ ସେହିଠାରୁ ତଦନ୍ତ ଆରମ୍ଭ କରିବେ। ଏହି ଟିମ୍‌ରେ ଇନ୍‌ସପେକ୍ଟର ବିଶ୍ବପ୍ରକାଶ ରାଉତ, ସବ୍‌ଇନ୍‌ସପେକ୍ଟର ପ୍ରଭୁଦତ୍ତ ବାରିକ, ଏଏସ୍‌ଆଇ ତନୁଶ୍ରୀ ନାୟକ ଓ ଆଶୁତୋଷ ପ୍ରଧାନ ରହିଛନ୍ତି।

ସମ୍ବନ୍ଧିତ ଖବର