ଶର୍ମିଷ୍ଠାଙ୍କ ସମାଜସେବାର ନିଷ୍ଠୁର ବାସ୍ତବତା: ଶାଶୂ ଓ ଯାଆଙ୍କୁ ମାଡ଼ମାରି ଘରୁ ତଡ଼ି ଦେଇଥିଲେ

କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲା

କାଳିଆପାଣି : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଶର୍ମିଷ୍ଠା ରାଉତ ନିଜକୁ ପ୍ରତିଷ୍ଠିତ ସାମ୍ବାଦିକ ଓ ସମାଜସେବୀ ଭାବେ ଉପସ୍ଥାପନ କରି ଆସୁଥିଲେ। ଏବେ ଓଡ଼ିଶା ପୁଲିସ ପାଇଁ ମୋଷ୍ଟ୍‌ ୱାଣ୍ଟେଡ୍‌ ଥିବା ଶର୍ମିଷ୍ଠାଙ୍କ କାର୍ଯ୍ୟକଳାପ ସଂପର୍କରେ ତାଙ୍କ ଶାଶୂ ଶାନ୍ତିଲତା ବଳ ଓ ଯାଆ ମମତା ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଦେଡ଼ଶୁର ମାନସ କୁମାର ବଳଙ୍କ ଅକାଳ ମୃତ୍ୟୁ ପରେ ସାହାରା ଖୋଜୁଥିବା ଯାଆ ଓ ବୃଦ୍ଧା ଶାଶୂଙ୍କୁ ଶର୍ମିଷ୍ଠା ଦିନେ ସହାୟତାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମାସ କେଇଟାରେ ସେ ଶାଶୂ ଓ ଯାଆଙ୍କଠାରୁ ଘରଭଡ଼ା ଦାବି କରିବାକୁ ପଛାଇ ନଥିଲେ। ଭଡ଼ା ନଦେବାରୁ ଉଭୟଙ୍କୁ ମାଡ଼ମାରି ଘରୁ ତଡ଼ି ଦେଇଥିଲେ। ‘ଦୟାଲ୍‌’ ବୃଦ୍ଧାଶ୍ରମ ନାଁରେ ଜନସାଧାରଣଙ୍କୁ ସମାଜସେବାର ବାର୍ତ୍ତା ଦେଉଥିବା ଶର୍ମିଷ୍ଠା ବାସ୍ତବରେ ନିର୍ଦ୍ଦୟ ଥିଲେ ବୋଲି କହନ୍ତି ବୃଦ୍ଧା ଶାନ୍ତିଲତା।

ବିଧବା ଶାନ୍ତିଲତାଙ୍କର ୨ ପୁଅ ମଧ୍ୟରୁ ବଡ଼ପୁଅ ମାନସ ୨୦୧୩ ରେ କିଡନି ରୋଗରେ ପଡ଼ି ମାତ୍ର ୩୫ ବର୍ଷରେ ମୃତ୍ୟୁର ଶିକାର ହୋଇଥିଲେ। ସ୍ୱଳ୍ପ ବେତନରେ ଘରୋଇ କମ୍ପାନିରେ ଚାକିରି କରୁଥିବା ସାନପୁଅ ଜିତେଶ ଅଧିକାଂଶ ସମୟରେ ପତ୍ନୀ ଶର୍ମିଷ୍ଠାଙ୍କ ଆୟ ଉପରେ ନିର୍ଭର କରୁଥିଲେ। ମାନସଙ୍କ ମୃତ୍ୟୁ ପରେ ୨ ଶିଶୁକନ୍ୟାଙ୍କୁ ନେଇ ମମତା ଓ ଶାନ୍ତିଲତା ସଂପୂର୍ଣ୍ଣ ବେସାହାରା ପାଲଟି ଯାଇଥିଲେ। ଦେଡ଼ଶୁରଙ୍କ ଶୁଦ୍ଧିକ୍ରିୟାରେ ସାମିଲ ଥିବା ଶର୍ମିଷ୍ଠା ସେତେବେଳେ ପରିବାର କଥା ବୁଝ‌ିବେ ବୋଲି କହିଥିଲେ। ଭୁବନେଶ୍ବର ହାଇଟେକ୍‌ ପ୍ଲାଜାର ଏକ ଭଡ଼ାଘରେ ରହୁଥିବା ଶର୍ମିଷ୍ଠା ପ୍ରଥମେ ଶାଶୂଙ୍କୁ ନେଇ ନିଜ ପାଖରେ ୨ ମାସ ରଖାଇଥିଲେ। ୨ ଛୁଆଙ୍କୁ ଧରି ମମତା ନିଜ ବାପଘରେ ମୁଣ୍ଡ ଗୁଞ୍ଜିଥିଲେ। ବାପଘର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେ ଯାଆଙ୍କ ସହାୟତା ଲୋଡ଼ିଥିଲେ। ଯାଆ ଭରସାରେ ମମତା ପିଲାଛୁଆ ଧରି ଭୁବନେଶ୍ବର ପହଞ୍ଚିଥିଲେ।

‌ଚଳଣି ପାଇଁ ଘରେ ଥିବା ଆସବାବପତ୍ର ଭୁବନେଶ୍ବର ଅଣାଯାଇଥିଲା। କିଛିଦିନ ପରେ ଘରଭଡ଼ା ବାବଦକୁ ଧାର୍ଯ୍ୟଭଡ଼ାର ଅଧା ଦାବି କରିଥିଲେ। ମାଆ ଓ ଭାଉଜଙ୍କ ଉପରେ ଜୁଲମକୁ ଜିତେଶ ବିରୋଧ କରିଥିଲେ। ଏ ପ୍ରସଙ୍ଗକୁ ନେଇ ଶର୍ମିଷ୍ଠା ଓ ଜିତେଶଙ୍କ ମଧ୍ୟରେ ଭୀଷଣ କଳିଝଗଡ଼ା ହୋଇଥିଲା। କଜିଆ ଭାଙ୍ଗିବାକୁ ଯାଇ ବୃଦ୍ଧା ଶାନ୍ତିଲତା ବୋହୂ ଶର୍ମିଷ୍ଠାଙ୍କ ହାତରୁ ଚାପୁଡ଼ା ଓ ତଣ୍ଟିଆ ଖାଇଥିଲେ। ଭଡ଼ା ବାବଦକୁ ସେହି ଆବବାବପତ୍ର ସବୁକୁ ଶର୍ମିଷ୍ଠା ବନ୍ଧକ ରଖିଥିଲେ। ଶେଷରେ ନିରୁପାୟ ଶାଶୂବୋହୂ ୩ ଓ ୪ ବର୍ଷର ଦୁଇ ଶିଶୁକନ୍ୟାଙ୍କୁ ଧରି କାଳିଆପାଣି ଫେରି ଆସିଥିଲେ। ଓଏମ୍‌ସି କୋଇପଶି କଲୋନିରେ ଫାଙ୍କା ପଡ଼ିଥିବା ପରିତ୍ୟକ୍ତ କ୍ବାର୍ଟର୍ସକୁ ମରାମତି କରି ବିଧବା ଶାଶୂ‌ବୋହୂ ଦୁହେଁ ସେଇଠି ରହି ଆସୁଛନ୍ତି। ଦିନେ ମାଡ଼ମାରି ଘରୁ ତଡ଼ି ଦେଇଥିବା ଶର୍ମିଷ୍ଠା ଦୁଃସମୟରେ ଶାଶୂଙ୍କ ଶରଣାପନ୍ନ ହୋଇଥିଲେ। ୪ ଦିନ ଧରି ଅଭିଯୁକ୍ତ ବୋହୂ ସେଠାରେ ଆଶ୍ରୟ ନେଇଥିଲେ।

ସମ୍ବନ୍ଧିତ ଖବର