କଟକ: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇର ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଆରମ୍ଭ ହୋଇଛି। ଏହି ରିମାଣ୍ଡରେ ଶର୍ମିଷ୍ଠାର ବେଡରୁମରୁ ମିଳିଥିବା ନିରଞ୍ଜନ ସେଠୀର ଡାଏରୀ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି। ନିୟମିତ ନିରଞ୍ଜନ ଉଭୟ ଶର୍ମିଷ୍ଠାର ଅଫିସ ଓ ଆପାର୍ଟମେଣ୍ଟକୁ ଯାଉଥିବାରୁ ଏ ସମ୍ପର୍କରେ ବି କ୍ରାଇମବ୍ରାଞ୍ଚ ତାକୁ ପଚରାଉଚରା ଚଳାଇଛି। ଉଭୟଙ୍କ ମଧ୍ୟରେ କି ପ୍ରକାର ସମ୍ପର୍କ ଥିଲା ଏବଂ ହତ୍ୟାକାଣ୍ଡ ସହିତ ନିରଞ୍ଜନଙ୍କ ଥିବା ସମ୍ପର୍କକୁ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି।
ବର୍ତ୍ତମାନ ସୁଦ୍ଧା ମାନସ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହତ୍ୟାକାଣ୍ଡ ପଛରେ ଲୁଚି ରହିଥିବା ମେମୋରି କାର୍ଡ ରହସ୍ୟର ପର୍ଦ୍ଦାଫାସ ହୋଇନଥିବାରୁ ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ହତ୍ୟାକାଣ୍ଡ ସହିତ ନେତା ମନ୍ତ୍ରୀ ଓ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ଥିବାରୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ଉଠିଛି।
ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ପରେ ଦ୍ବିତୀୟ ପର୍ଯ୍ୟାୟରେ ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୬ ତାରିଖ ଯାଏ ଚାଲିବ। ୭ ତାରିଖରେ ଏମାନଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି।