ମାନସ ଅପହରଣ, ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ଖେଳ ଖତମ୍, ସହଯୋଗୀ ଝୁନାଙ୍କ ସହ ଦୁଇଜଣଙ୍କୁ ଧରିଲା ପୁଲିସ

ଭଦ୍ରକରୁ ଆରମ୍ଭ, ସେଇଠି ଶେଷ, ଚିପ୍ ମିଳୁନି, ହାର୍ଡଡିସ୍କରୁ ମିଳିପାରେ ସୁରାକ୍

ଭଦ୍ରକ/ଚାନ୍ଦବାଲି/ଭୁବନେଶ୍ବର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଖେଳ ଖତମ୍ ହୋଇଛି। ମାସକର ଲୁଚକାଳି ଖେଳ ପରେ ଶେଷରେ ପୁଲିସ ହାତରେ ଧରାପଡ଼ିଛନ୍ତି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇ।

କୋଲକାତାରୁ ବସ୍‌ ଯୋଗେ ଭୁବନେଶ୍ବର ଆସୁଥିବା ଖବର ପାଇ ଗତରାତିରୁ କ୍ରାଇମବ୍ରାଞ୍ଚର ଦୁଇଟି ଓ ଭଦ୍ରକ ପୁଲିସର ଚାରିଟି ଟିମ୍ ଜାଲ ବିଛାଇଥିଲେ। ପୂରା ଫିଲ୍ମ ଷ୍ଟାଇଲରେ ତିନିଟି ପୁଲିସ ଭ୍ୟାନ୍‌ ବସ୍‌କୁ ପିଛା କରିବା ପରେ ରାଜପଥର ନଳାଙ୍ଗ ସାଇମନ୍ଦିର ନିକଟରେ ଅଟକାଇ ଉଭୟଙ୍କୁ ଗିରଫ କରିଥିଲେ। ସମସ୍ତଙ୍କ ନଜରରୁ ବର୍ତ୍ତିବା ଲାଗି ଉଭୟ ମାସ୍କ ପିନ୍ଧିଥିବା ବେଳେ ମୁହଁକୁ ଢାଙ୍କି ରଖିଥିଲେ। ଗିରଫ ପରେ ସେମାନଙ୍କୁ ପ୍ରଥମେ ଭଦ୍ରକ ପୁଲିସ ରିଜର୍ଭ ବାରାକ୍‌ ଓ ପରେ ତିହିଡ଼ି ଥାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ଦୁହିଁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଚାନ୍ଦବାଲି ଥାନା ନିଆଯାଇଥିଲା। ସେଠାରେ ତଦନ୍ତକାରୀ ଟିମ୍‌ ଦୁହିଁଙ୍କୁ ଜେରା କରିଥିଲେ ମଧ୍ୟ ଚିପ୍ ସମ୍ପର୍କରେ କିଛି ସୂଚନା ପାଇ ପାରିନାହିଁ। ଚିପ୍‌କୁ ନଷ୍ଟ କରି ଦିଆଯାଇଥିବା ସନ୍ଦେହ କରାଯାଉଛି। ପୂରା ଘଟଣାର ପର୍ଦ୍ଦାଫାସ୍ କରିବା ପାଇଁ ଉଭୟଙ୍କୁ ଚାନ୍ଦବାଲି ଜେଏମ୍‌ଏଫସି କୋର୍ଟରେ ହାଜର କରାଯିବା ପରେ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା। ତେବେ କୋର୍ଟ ତାଙ୍କୁ ୫ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି।

ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇ

ସେହିପରି ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଏବଂ ଷଡ଼୍‌ଯନ୍ତ୍ରକାରୀ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଓ ଘନିଷ୍ଠ ସହଯୋଗୀ ରାଜ୍ ଓରଫ୍ ରଞ୍ଜନ ନାୟକକୁ ରିମାଣ୍ଡରେ ନେବା ପାଇଁ ମଧ୍ୟ ଆବେଦନ କରିଥିଲେ ତଦନ୍ତକାରୀ ଅଧିକାରୀ। ଆଜି (ମଙ୍ଗଳବାର)ଠାରୁ ତାଙ୍କୁ ମଧ୍ୟ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା ୩ ତାରିଖରେ ସେମାନେ କୋର୍ଟରେ ହାଜର ହେବେ। ମିଳିଥିବା ସୂଚନା ଅନୁସାରେ, ପୂରା ଘଟଣାର ରହସ୍ୟ ଜାଣିବା ଲାଗି ଅଭିଯୁକ୍ତଙ୍କୁ ପ୍ରଥମେ ଅଲଗା ଅଲଗା ଓ ପରେ ମୁହାଁମୁହିଁ ଜେରା କରାଯିବ। ଆଜି ଶର୍ମିଷ୍ଠା ଓ ଝୁନାଙ୍କୁ ଭଦ୍ରକ ସବ୍‌-ଜେଲ୍ ପଠାଇ ଦିଆଯାଇଛି।

ମେମୋରି ଚିପ୍ ଆଦାୟ କରିବା ଲାଗି ଶର୍ମିଷ୍ଠା ଓ ଅନ୍ୟ ସହଯୋଗୀମାନେ ଫେବ୍ରୁଆରି ୭ ତାରିଖରେ ମାନସଙ୍କୁ ଚାନ୍ଦବାଲି ପଳାସପୁରରୁ ଅପହରଣ ପରେ ହତ୍ୟା କରିଥିଲେ। ମୃତଦେହକୁ ନୟାଗଡ଼ ରଣପୁର ଥାନା ବଧିପାଟଣା ଅଞ୍ଚଳରେ ଥିବା ପାହାଡ଼ ତଳେ ପୋତି ଦେଇଥିଲେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେମାନେ ମାର୍ଚ୍ଚ ୧୪ ପରଠାରୁ କୋଲକାତା ପଳାଇଥିଲେ। ଶର୍ମିଷ୍ଠାଙ୍କ ପାଖରେ ମାତ୍ର ୨୦ ହଜାର ଟଙ୍କା ଥିଲା। ଏହା ପରେ ସେମାନେ ଗୌହାଟୀ ଚାଲି ଯାଇଥିଲେ। ସେଠାରେ କିଛି ଦିନ ରହିଥିଲେ। ପାଖ‌ରେ ବେଶି ଟଙ୍କା ନ ଥିବାରୁ ଠେଲା ଗାଡ଼ିରୁ ଖାଦ୍ୟ ଖାଇ ରେଳ ଷ୍ଟେସନରେ ରାତି କଟାଉଥିଲେ। ଧରାପଡ଼ିବା ଭୟରେ ଆଉ କାହାକୁ ଟଙ୍କା ମାଗୁ ନ ଥିଲେ। ଏପରିକି ନେପାଳ ଖସି ଯିବା ପାଇଁ ମଧ୍ୟ ଯୋଜନା କରୁଥିଲେ। ଟଙ୍କା ସରି ସରି ଆସୁଥିବାରୁ ପୁଣି କୋଲକାତା ଫେରି ଆସିଥିଲେ। ସେଠାରେ କିଛି ଦିନ ରହିବା ପରେ ଏକ ବସ୍‌ରେ ଆଜି ଭୁବନେଶ୍ବର ଫେରୁଥିବା ବେଳେ କାବୁ କରି ନେଇଥିଲା ତଦନ୍ତକାରୀ ଟିମ୍। ଏହି ଦୁଇଜଣଙ୍କୁ ମିଶାଇ ଏବେ ସୁଦ୍ଧା ଗିରଫଦାରୀ ସଂଖ୍ୟା ୮ରେ ପହଞ୍ଚିଛି। ପ୍ରଥମେ ଭାଗ୍ୟଧର ନାୟକ, କୃଷ୍ଣଚନ୍ଦ୍ର ନାୟକ ଓ ବିବେକ ନାୟକଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର