ଖୋର୍ଧା : ଖୋର୍ଧା ଓ ନୟାଗଡ଼ ପୁଲିସର ମିଳିତ ଏନ୍କାଉଣ୍ଟର୍ରେ ଶୁକ୍ରବାର ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ସେ ହେଲା, ନୟାଗଡ଼ ଜିଲ୍ଲା ସୁନାଖଳା ଅଞ୍ଚଳର ସୂର୍ଯ୍ୟକାନ୍ତ ଛୋଟରାୟ (୨୬) ଓରଫ ସିଲୁ। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଓ ଅଧିକ ଜେରା ପାଇଁ ତାକୁ ରାତିରେ କଟକ ନିଆଯାଇଥିବା ଜଣାଯାଇଛି। ସେ ଜଣେ ସାର୍ପସୁଟର୍ ବୋଲି ପୁଲିସ କହିଛି। ତା’ ନିକଟରୁ ପୁଲିସ ଗୋଟିଏ ମାଉଜର୍ ଓ ୫ ରାଉଣ୍ଡ ଗୁଳି ଜବତ କରିଛି। ବହୁଚର୍ଚ୍ଚିତ କାମାକ୍ଷାନଗର ବିଜେଡି ଯୁବ ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା, ସୁନାଖଳା ପେଟ୍ରୋଲ ଟାଙ୍କି ମାଲିକଙ୍କୁ ଗୁଳିମାଡ଼, ନୟାଗଡ଼ ଜିଲ୍ଲା ରଣପୁର ଥାନା ସାରଙ୍ଗଧରପୁର ବ୍ୟାଙ୍କ ଡକାୟତି ଓ ୨୦୧୬ ମସିହାରେ କଟକ ଜିଲ୍ଲା ବୈଦେଶ୍ୱର ଥାନା ଆଇଆଇସିଙ୍କୁ ଗୁଳିମାଡ଼ ଭଳି ଆପରାଧିକ ଘଟଣାରେ ସିଲୁର ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ଏହି ଏନକାଉଣ୍ଟର୍ ଘଟଣା ଆଜି ଉଭୟ ଖୋର୍ଧା ଓ ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଖବର ପାଇ ଆଇଜି (ସେଣ୍ଟ୍ରାଲ) ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏଠାକୁ ଆସି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସହ ସିଲୁକୁ ପଚରାଉଚରା କରିଥିଲେ। ସେହିପରି କାମାକ୍ଷାନଗର ବିଜେଡି ଯୁବ ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା ଘଟଣା ସମ୍ପର୍କରେ ପଚରାଉଚରା ପାଇଁ ଢେଙ୍କାନାଳ ଏସ୍ପି ମଧ୍ୟ ଖୋର୍ଧା ଆସିଥିଲେ। ସାରଙ୍ଗଧରପୁର ବ୍ୟାଙ୍କ ଡକାୟତି ଘଟଣାରେ ସିଲୁ ସମ୍ପୃକ୍ତ ଥିବାରୁ ନୟାଗଡ଼ ପୁଲିସର ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ତାକୁ ପଚରାଉଚରା କରିଥିଲେ। ତେବେ ତଦନ୍ତରେ ବାଧା ଉପୁଜିବା ଦୃଷ୍ଟିରୁ ପୁଲିସ ଗଣମାଧ୍ୟମକୁ ଏ ସଂପର୍କରେ କୌଣସି ସୂଚନା ଦେବାକୁ ମନା କରିଦେଇଛି।