ଭଞ୍ଜନଗର : ସୋରଡ଼ା ଶଶିଭୂଷଣ ସାହିତ୍ୟ ସଂସଦ ପକ୍ଷରୁ ଆଜି ନିର୍ଭୀକ ସାମ୍ବାଦିକ, ବିଶିଷ୍ଟ ଓଡ଼ିଆ ସାହିତ୍ୟିକ, ସାରସ୍ବତ ସାଧକ, ସମାଜସେବୀ ଓ ଦକ୍ଷ ସ˚ଗଠକ ଶଶିଭୂଷଣ ରଥଙ୍କ ୧୩୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରତିବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ବହୁ ଆଡ଼ମ୍ବରରେ ଏହି ଜୟନ୍ତୀ ପାଳନ କରାଯାଉଥିଲା। ଚଳିତବର୍ଷ କୋଭିଡ କଟକଣା ପାଇଁ ସୀମିତ ଲୋକଙ୍କ ମଧ୍ୟରେ ଏହି ଜୟନ୍ତୀ ପାଳନ କରାଯାଇଥିଲା। ଏଥିସହ ଶଶିଭୂଷଣ ସାହିତ୍ୟ ସଂସଦର ୨୫ ତମ ରୌପ୍ୟ ଜୟନ୍ତୀକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା।
ସଭାପତି ପଦ୍ମଲୋଚନ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଶଶୀଭୂଷଣ ଉଚ୍ଚ ବିଦ୍ୟାଳୟ ଏବଂ ସୋରଡ଼ା-ଭଞ୍ଜନଗର ଋଷିକୂଲ୍ୟା ସେତୁ ନିକଟରେ ଥିବା ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ଜ୍ବଳନ ସହ ପୁଷ୍ପମାଲ୍ୟାର୍ପଣ ଓ ସ୍ମୃତିଚାରଣ କରାଯାଇଥିଲା। ଶଶିଭୂଷଣ ସାହିତ୍ୟ ପତ୍ରିକା ମାଧ୍ୟମରେ ଜନମାସନରେ ରାଜନୀତି କ୍ଷେତ୍ରରେ ଜାଗରଣ ସୃଷ୍ଟି କରିଥିଲେ। ସେ ଅଗଣିତ ଓଡିଆଙ୍କ ହିତ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କର ଜନ୍ମରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ମାଟି ଧନ୍ୟ ହୋଇଛି। ସେହିପରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ବିଚ୍ଛିନାଞ୍ଚଳରେ ଓଡ଼ିଆ ଭାଷାର ସ˚ରକ୍ଷଣ ପାଇଁ ତାଙ୍କରି ପ୍ରଚେଷ୍ଟା ପ୍ରଶ˚ସନୀୟ ବୋଲି ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମତପ୍ରକାଶ କରିଥିଲେ। ସମ୍ପାଦକ ଧୋବା ବେହେରା, ପରିଚାଳନା ସମ୍ପାଦକ ଉମା ଶଙ୍କର ଦାଶ ଓ ଉପଦେଷ୍ଟା ଦେବରାଜ ମହାରଣା ପ୍ରମୁଖ ସ୍ମୃତିଚାରଣ କରିଥିଲେ।
୧୮୮୫ ମସିହାରେ ସୋରଡ଼ାରେ ଜନ୍ମିତ ଶଶିଭୂଷଣ ମାଟ୍ରିକ୍ ପଢ଼ିବା ପରେ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଚାଲିଯାଇଥିଲେ। ସେଠାରୁ ଫେରି ମଧୁବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରିରେ ମ୍ୟାନେଜର୍ ଭାବରେ କାର୍ଯ୍ୟ କରିଥିଲେ। ପରେ କଲିକତାର ୟଙ୍ଗ ଆଣ୍ଡ କୋ.କମ୍ପାନିରେ ଯୋଗ ଦେଇଥିଲେ। ସେଠାରୁ ସେ ଓଡ଼ିଶା ଫେରି ନୀଳମଣି ବିଦ୍ୟାରତ୍ନଙ୍କ ପରାମର୍ଶ କ୍ରମେ ସାପ୍ତାହିକ ଖବର କାଗଜ 'ଆଶା' ପତ୍ରିକାର ପ୍ରକାଶନ ଆରମ୍ଭ କରିଥିଲେ।୧୯୨୧ ମସିହାରେ ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନ ସମୟରେ ସେ ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ ବିଷୟରେ ତାଙ୍କୁ ଅବଗତ କରିବା ସହ ବିଭିନ୍ନ ଲେଖା ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/BNJBJ-sasi-bhusan-1.jpg)