ଦିବ୍ୟାଙ୍ଗ ହୋଇ ମଧ୍ୟ ହାର ମାନିନାହାନ୍ତି ଜୟପୁରର ଶଶିରେଖା, ସାଜିଛନ୍ତି ପ୍ରେରଣାର ଉତ୍ସ

ଜୟପୁର: ଦିବ୍ୟାଙ୍ଗ ହୋଇ ମଧ୍ୟ ହାର ମାନିନାହାନ୍ତି ଜୟପୁରର ଶଶିରେଖା, ଅନ୍ୟ ଯୁବତୀଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ।  ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ । ନିଜର ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ମାର ପ୍ରତିପୋଷଣ କରି ଆସୁଛନ୍ତି।  ଆମେ କହୁଛୁ ଏଭଳି ଜଣେ ଦିବ୍ୟାଙ୍ଗ ମହିଳା ଶଶିରେଖା ଖରାଙ୍କ ସଫଳତାର କାହାଣୀ । ଏ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁର ସହରର ହାଟପଦା ଅଂଚଳରେ ରହୁଥିବା  ଦିବ୍ୟାଙ୍ଗ ଯୁବତୀ ଶଶିରେଖା ଖରା।  ପିଲାବେଳୁ ପୋଲିଓରେ ଆକ୍ରାନ୍ତ ହୋଇ ନିଜର ଗୋଡ ଦୁଇଟି ହରାଇଲେ। ଦୁଇ ହାତ ବି ଠିକରେ କାମ କରୁନି। ହାତ ଗୁଡ଼ିକ ବି ଅଙ୍କାବଙ୍କା ହୋଇପଡ଼ିଛି।

ନିଜ ପରିବାରର ଆର୍ଥିକ ସ୍ଥିତି ସ୍ୱଛଳ ନଥିବାରୁ ସିଲେଇ ଶିକ୍ଷା ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିଲା । ଦାରିଦ୍ର୍ୟ ଓ ଆର୍ଥିକ ଅନଟନ ଭିତରେ କାଳ କାଟୁଥିବା ନିଜ ପରିବାରର ଆର୍ଥିକସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆଗେଇ ଆସି‌ଥିଲେ। ପରିବାର ଖୁସିବାସିରେ ଥିଲା। କିଛି ଦିନ ପାଇଁ ଧରମଗଡ଼ ଯାଇ ରହିଥିଲେ। ସେଠାରେ ନିଜର ଇଛାଶକ୍ତି ବଳରେ ସିଲେଇ ପ୍ରଶିକ୍ଷଣ ନେଇ ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାରର ପ୍ରତିପୋଷଣ କରିବା ତାଙ୍କ ଲକ୍ଷ୍ୟ ରହିଥିଲା। ଗତ ୬ବର୍ଷ ହେବ ସେ ଦିବ୍ୟାଙ୍ଗ ହୋଇ ବି ଟାଇଲରିଂ କାମ କରି ଆସୁଛନ୍ତି। ତାଙ୍କ ବାପା ତାଙ୍କ ପାଇଁ ହାତ ଦ୍ବାରା ସିଲେଇ କରି ହେଉଥିବା ‌ସିଲେଇ ମେସିନ୍ କିଣି ଦେଇଥିଲେ। ସେଥିରେ ସେ ଏବେ ଦିନ ରାତି କାମ କରି ଆସୁଛନ୍ତି। ଶଶିରେଖାଙ୍କୁ ପୌରପାଳିକା ପକ୍ଷରୁ ଦିବ୍ୟାଙ୍ଗ ଭତ୍ତା ୭୦୦ଟଙ୍କା ଏବଂ ଅନ୍ନପୁର୍ଣ୍ଣାଯୋଜନାରେ ଚାଉଳ ୩୫କିଲୋ ମିଳୁଛି।

ତେବେ ମୁଣ୍ଡ ଗୁଜିଂବାକୁ ଘର ଖଣ୍ଡିକ ନାହିଁ। ଆର୍ଥିକ ଅନାଟନରେ ସେ ଘର ଖଣ୍ଡିକ ବି  କରି ପାରି ନାହାନ୍ତି। ଇଟା ଉପରେ ଇଟା ଦେଇ ଘର ଭଳି ସଜେଇ ରହୁଛନ୍ତି। ଘରର ଉପରେ ଭଙ୍ଗା ଆଜବେଷ୍ଟସ ଏବଂ ପଲିଥିନ୍ ଜରି ଗୁଡାଇ ସେହି ଘରେ ରହୁଛନ୍ତି। ସାମାନ୍ୟ ବର୍ଷା ହେବା ମାତ୍ରକେ ଘର ଗଳୁଥିବା କହିଛନ୍ତି ଶଶିରେଖା। ଭାଇ ଏବଂ ବାପାଙ୍କର ମୃତ୍ୟୁ ପରେ ଦୁଃଖର କଳାବାଦଳ ତାଙ୍କ ପରିବାର ଉପରେ ପଡ଼ିଥିଲା। ତେବେ ଦୁଃଖ କଷ୍ଠରେ ଏବେ ସେ କାମ କରିବା ପରେ ‌ଓଳିଏ ଖାଇଲେ ଓଳିଏ ଉପବାସ ରହି ମାଙ୍କୁ ନେଇ ଚଳୁଛନ୍ତି।  ଏହାରି ମଧ୍ୟରେ ଜୟପୁର ତହସିଲପକ୍ଷରୁ ତାଙ୍କୁ ବସ୍ତିରେ ରହୁଥିବାରୁ ତାଙ୍କୁ ୧୪୯.୮୪୧ବର୍ଗ ଫୁଟର ଜାଗା ପଟ୍ଟା ମିଳିଛି। ଏହା ମିଳିବା ପରେ ସେ ଘର ଖଣ୍ଡିକ ପାଇବା ପାଇଁ ପୌରପାଳିକାରେ ଆବେଦନ କରିଛନ୍ତି। ମୁଣ୍ଡ ଗୁଜିଂବାକୁ ଭଲ  ଘର ନଥିବାରୁ ସେ ଟ୍ରାଇସାଇକେଲ  ପାଇଁ ଆବେଦନ ବି କରି ନଥିବା କହିଛନ୍ତି।

ପ୍ରତ୍ୟେକ ଯୁବତୀ ଓ ମହିଳା ନିଜ ଗୋଡରେ ଠିଆ ହୋଇପାରିବ ଏବଂ ନିଜର ପରିବାର ପ୍ରତିପୋଷଣ କରିପାରିବ । ଦୃଢ ଇଛାଶକ୍ତି ଓ ଆତ୍ମ ବିଶ୍ୱାସ ରହିଲେ ଜଣେ ମହିଳା ଓ ଯୁବତୀ ନିଜ ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇ ପାରିବ ବୋଲି କହିଛନ୍ତି ଶଶିରେଖା। ୫ମ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଶଶିରେଖା ନିଜ ଗୋଡ଼ରେ  ଠିଆ ହୋଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଓ ମାର୍ଗଦର୍ଶକ ପାଲଟିଛନ୍ତି।

ସମ୍ବନ୍ଧିତ ଖବର