ରାୟଗଡ଼ା: ପଡ଼ୋଶୀ ଆନ୍ଧ୍ର ସମେତ ଦକ୍ଷିଣ ଓଡ଼ିଶାକୁ ଯୋଗାଯୋଗର ମାଧ୍ୟମ ପାଲଟିଛି ଝଞ୍ଜାବତୀ ନଦୀ ଉପରେ ଥିବା ବ୍ରିଟିଶ ଅମଳର ଶତାୟୁ ପୁରୁଣା ସେତୁ। ଜିଲ୍ଲା ସୀମାନ୍ତ କେରଡ଼ା ଅଞ୍ଚଳରେ ଏହି ସେତୁ ରହିଛି। ପ୍ରଶାସନ ଦୃଷ୍ଟିରେ ଏହି ସେତୁ ଯାତାୟତ ପାଇଁ ସୁରକ୍ଷିତ ନୁ‌ହେଁ। ଏହାର ବିକଳ୍ପ ଭାବେ ରାୟଗଡ଼ା-କେରଡ଼ା ମୁଖ୍ୟ ରାସ୍ତାରେ ଝଞ୍ଜାବତୀ ଉପରେ ସୁଉଚ୍ଚ ସେତୁ ନିର୍ମାଣ ଚାଲିଥିଲେ ହେଁ ଏହା ଅଧାରେ ଅଟକି ରହିଛି। ବିଭାଗୀୟ ଉଦାସୀନତାକୁ ଲୋକେ ଏଥିପାଇଁ ଦାୟୀ କରୁଥିବା ବେଳେ ବାଧ୍ୟ ହୋଇ ଅସୁରକ୍ଷିତ ସେତୁରେ ଯିବାଆସିବା କରୁଛନ୍ତି।

Advertisment

ପୁରୁଣା ଝଞ୍ଜାବତୀ ଉପରେ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ୭ବର୍ଷ ତଳେ ଅର୍ଥାତ ୨୦୧୭ରେ ରାୟଗଡ଼ା ପୂର୍ତ୍ତ ବିଭାଗ ବିଭାଜନ-୧ ଦ୍ୱାରା ଟେଣ୍ଡର ଆହ୍ୱାନ କରାଯାଇଥିଲା। ବିଶାଖାପାଟଣାର ଏସ୍‌ଭିଏସ ମୋକାମ୍ବିକା କନ୍‌ଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍ ସେତୁ ନିର୍ମାଣ ଦାୟିତ୍ବ ନେଇଥିଲା। ୧୦କୋଟି ୩୪ ଲକ୍ଷ ୪୭ ହଜାର ୩୧୮ଟଙ୍କାରେ ସେତୁ ନିର୍ମାଣ ପାଇଁ ସେହିବର୍ଷ ଏପ୍ରିଲ ୧୫ରେ କାର୍ଯ୍ୟାଦେଶ ହୋଇଥିଲା। ୨୦୧୮ଏପ୍ରିଲ୍ ସୁଦ୍ଧା ସେତୁ ନିର୍ମାଣ ଶେଷ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ପାରିପାର୍ଶ୍ବିକ ସ୍ଥିତି ଏବଂ ଅନେକ ବୈଷୟିକ କାରଣକୁ ନେଇ ନିର୍ମାଣ କାମ ବିଳମ୍ବ ହୋଇଥିଲା। ଏଥି ମଧ୍ୟରେ ତିନିଥର ଡିଜାଇନ୍‌ ବଦଳା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ନଦୀର ଦୁଇ ପାର୍ଶ୍ବରେ ପିଲର୍ ନିର୍ମାଣ ଶେଷ ହୋଇଛି। ଉଭୟ ପାର୍ଶ୍ବକୁ ଯୋଡୁଥିବା ଲୁହାରେ ନିର୍ମିତ ୬୧ମିଟର ଲମ୍ବର ବୁଷ୍ଟଗାର୍ଡ କାମ ଅଟକି ରହିଛି। ବହୁ ଉଚ୍ଚରେ ଥିବା ଏହି ପୋଲରେ ବୁଷ୍ଟଗାର୍ଡ ସଂଯୋଗ ପାଇଁ ପାଇଁ ସାବଧାନତା ଅବଲମ୍ବନ କରିବାକୁ ଥିବାରୁ କାମ ବିଳମ୍ବ ହେଉଛି। ସମସ୍ୟା ଦୂର କରିବାକୁ ହାଇଦ୍ରାବାଦର ଏକ ସଂସ୍ଥା ସହ ପୂର୍ତ୍ତ ବିଭାଗ ଯୋଗାଯୋଗରେ ରହିଛି।

ଚଳିତ ବର୍ଷ ଜାନୁଆରି ୩୧ ସୁଦ୍ଧା କାମ ସାରିବାକୁ ବିଭାଗ ଲକ୍ଷ୍ୟ ରଖିଥିଲେ ମଧ୍ୟ ବିଫଳ ହୋଇଛି। ନୂତନ ପୋଲ କାର୍ଯ୍ୟକ୍ଷମରେ ବିଳମ୍ବ ହେଉଥିବା ବେଳେ ଶତାୟୁ ଅସୁରକ୍ଷିତ ପୁରୁଣା ସେତୁ ଦୁଇ ରାଜ୍ୟକୁ ଯୋଗାଯୋଗର ମାଧ୍ୟମ ପାଲଟିଛି। ଅଧିକ ଓଜନର ମାଲବାହୀ ଗାଡ଼ି ଯାତାୟତ ଉପରେ ପ୍ରଶାସନ କଟକଣା ଲଗାଇଥିଲେ ମଧ୍ୟ ଧର୍ମକୁ ଆଖିଠାର ଭଳି ଓଭରଲୋଡିଂ ସହ ସବୁ ଯାନବାହନ ଏହି ପୋଲ ଦେଇ ଯାଉଛି। ରାୟଗଡ଼ା-କେରଡ଼ା ମୁଖ୍ୟରାସ୍ତା ପଡୋଶୀ ଆନ୍ଧ୍ର ସମେତ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଭିଡ଼ ଲାଗିରହୁଛି। ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରୁ ବିଶାଖାପାଟଣା ବନ୍ଦର ସମେତ ଅନ୍ୟ ରାଜ୍ୟକୁ ମାଲ ପରିବହନ ହେଉଛି। ରାୟଗଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ପିତାମହଲଠାରୁ ସିରିକଣା ପର୍ଯ୍ୟନ୍ତ ଦୀର୍ଘ ୧୦.୦୫ କିମି ବାଇପାସ୍‌ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬ କିମି ଶେଷ ହୋଇଛି। ଏହା ସମ୍ପୂର୍ଣ୍ଣ ହେଲେ ପୁରୁଣା ସେତୁ ଉପରେ ଯାତାୟାତ କମିବା ସହ ସହର ମଧ୍ୟକୁ ମାଲବାହୀ ଗାଡ଼ି ଯାତାୟାତ ଅନେକ ମାତ୍ରାରେ କମିଯିବ। ଦୁର୍ଘଟଣା ମଧ୍ୟ କମିବ। ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅମ୍ବିକେୟ ମିଶ୍ର କହିଛନ୍ତି, ନୂଆ ସେତୁରେ ଲୁହାର ବୁଷ୍ଟଗାର୍ଡ ରଖିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ମିଳିଛି। ଦୁଇଜଣ ବିଶେଷଜ୍ଞଙ୍କ ତଦାରଖରେ ଆସନ୍ତା ତିନି ମାସ ମଧ୍ୟରେ କାମ ଶେଷ ହେବ।