ବୟସ ୧୦୧ ଛୁଇଁଲାଣି। ତଥାପି ଏଯାଏ ସେ ସୁସ୍ଥ ଓ ନିରୋଗ। ବିନା ଚଷମାରେ ଖବରକାଗଜ ଓ ବହି ପଢ଼ୁଛନ୍ତି। ରାସ୍ତାରେ ଚାଲିବାବେଳେ କ୍ବଚିତ୍ ବାଡ଼ିର ସାହାରା ନେବାକୁ ପଡ଼ୁଛି। ‌ଦୈନନ୍ଦିନ ଜୀବନଶୈଳୀ ବି ଅତି ସ୍ବତନ୍ତ୍ର। ଖାଦ୍ୟ ଓ ସ୍ବାସ୍ଥ୍ୟ ପ୍ରତି ସେ ବେଶ୍ ସଚେତନ। ପ୍ରତିଦିନ ଭୋର୍‌ରେ ଉଠି ନିତ୍ୟକର୍ମ ସାରିବା ସହ ଗାଁରେ ଦୁଇଘେରା ବୁଲିଆସନ୍ତି। ଏକପ୍ରକାର ସୁସ୍ଥ ଜୀବନ ବିତାଉଥିବା ଏହି ଶତାୟୁ ହେଉଛନ୍ତି ଖଲି ଗୌଡ଼।

Advertisment

publive-image

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଗୋବରା ପଞ୍ଚାୟତ ଅଧୀନ ମରାଇପାଟ ଗ୍ରାମର ଖଲି ଗୌଡ଼। ଏବେ ସେ ଚତୁର୍ଥ ପିଢ଼ିର ନାତିନାତୁଣୀ ଓ ପରିବାରବର୍ଗଙ୍କ ସହ ହସଖୁସିରେ ଜୀବନ କାଟୁଛନ୍ତି।

୧୯୨୩ ମସିହା ଫେବ୍ରୁଆରି ୫ ତାରିଖରେ ଜନ୍ମିତ ଖଲି ଚାଟଶାଳୀରେ ପାଠପଢ଼ା ଶେଷ କରିଥିଲେ। ଏହାପରେ ବଡ଼ପୁଅ ଭାବେ ବାପା ସ୍ବର୍ଗତ କୈବଲ୍ୟ ଗୌଡ଼ଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଷକାମ ଆରମ୍ଭ କରିଥିଲେ। ପିଲାଟି ବେଳରୁ ହିଁ ବେଶ୍ ପରିଶ୍ରମୀ ଥି‌ଲେ। ପରବର୍ତ୍ତୀ ସମୟରେ ସେ ଗିରିସୋଲା ଗ୍ରାମର ମାୟାୟେଦବୀଙ୍କୁ ବିବାହ କରିଥିଲେ। ଜଣେ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଖଲି କିଛିଦିନ ଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିବା ସହ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ୱାର୍ଡ଼ସଭ୍ୟ ଓ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଏବଂ ମରାଇପାଟ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭାବେ ମଧ୍ୟ ନିଜ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇଥିଲେ।

publive-image

ଏହାମଧ୍ୟରେ ଖଲିଙ୍କ ପତ୍ନୀ ମାୟାଦେବୀ (୮୭)ଙ୍କର ଦେହାନ୍ତ ହୋଇଯାଇଛି। ବର୍ତ୍ତମାନ ଚାରିପୁଅ, ଦୁଇଝିଅ, ଛଅ ନାତି, ଏଗାର ନାତୁଣୀ ଓ ବାଇଶି ଜଣ ଅଣନାତିନାତୁଣୀଙ୍କ ଗହଣରେ ତାଙ୍କର ଜୀବନ କଟୁଛି। ଚାରିପୁଅ ଭଜରାମ, ରବୀନ୍ଦ୍ରନାଥ, ମୋତିଲାଲ ଓ ନନ୍ଦଲାଲ୍ ଚାକିରିରୁ ଅବସର ଗ୍ରହଣ କରିସାରିଲେଣି। ସେହିପରି ଦୁଇଝିଅ ବିନୋଦିନୀ ଓ କୁମାରୀ ବିବାହ କରିସାରିଛନ୍ତି। ପରିବାରର ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟ ଖଲିଙ୍କ ପ୍ରତି ସମସ୍ତଙ୍କ ଯଥେଷ୍ଟ ସମ୍ମାନ, ‌ସ୍ନେହ ଓ ଶ୍ରଦ୍ଧା ରହିଛି। ସେ ନିଜ ପରିବାର ସଦସ୍ୟଙ୍କ ସମେତ ଗ୍ରାମବାସୀଙ୍କୁ ବି ବେଶ୍ ଭଲପାଆନ୍ତି। ଏଥିପାଇଁ ଆବାଳବୃଦ୍ଧବନିତାଙ୍କ ମହଲରେ ସେ ‘ଖଲିବାପା’ ଭାବେ ସୁପରିଚିତ। ସୁସ୍ଥ ଜୀବନଶୈଳୀ ଓ ସନ୍ତୁଳିତ ଆହାର ଯୋଗୁ ଆଜିଯାଏ ତାଙ୍କୁ କୌଣସି ରୋଗ ସ୍ପର୍ଶ କରିପାରିନି। ଶତାୟୁ ପୁରୁଷ ଖଲି ଗୌଡ଼ ଦୀର୍ଘାୟୁ ହୁଅନ୍ତୁ ଏହା ହିଁ ‘ସମ୍ବାଦ’ ପରିବାର ପକ୍ଷରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।

ଉଲ୍ଲେଖଯୋଗ୍ୟ ଯେ ଗତ ୭ ତାରିଖରେ ଗୋବରା ଉପେନ୍ଦ୍ରଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଖଲି ଗୌଡ଼ଙ୍କ ୧୦୧ତମ ଜନ୍ମଦିନ ପାଳନ କରାଯାଇଛି।

ପ୍ରଦ୍ୟୁମ୍ନ ପାତ୍ର