ବର୍ତ୍ତମାନ ଲୋକମାନଙ୍କ ମନରେ ବଡ଼ ଚିନ୍ତା, କେମିତି ସୁସ୍ଥ ତଥା ନିରୋଗ ଭାବେ ଜୀବନ ଜିଇଁବା। ୯୫ କିମ୍ବା ତଦୂର୍ଦ୍ଧ୍ବ ବୟସରେ ପହଞ୍ଚିଲେ ତ ଏହି ଚିନ୍ତା ମନକୁ ଅଧିକମାତ୍ରାରେ ଛୁଏଁ। ତେବେ, ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ରଙ୍ଗଡ଼ା ଗ୍ରାମର ରାମକୃଷ୍ଣ ଡୋଗ୍ରା ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ। ଶହେବର୍ଷ ଅତିକ୍ରମ କରିସାରିଥିଲେ ବି ସେ ସୁସ୍ଥ ଅଛନ୍ତି ଓ ନିରୋଗ ବି ରହିଛନ୍ତି। ନିଜର ଦୀର୍ଘଜୀବନ ରହସ୍ୟ ସମ୍ପର୍କରେ ସେ ‘ସମ୍ବାଦ’କୁ ଯାହା କୁହନ୍ତି...
ଆଧୁନିକ ଜୀବନଶୈଳୀ ଏବେ ମଣିଷର ସବୁଠୁ ବଡ଼ ଶତ୍ରୁ। ଆମ ଖାଦ୍ୟପେୟ, ଜୀବନଚର୍ଯ୍ୟାରେ ବ୍ୟତିକ୍ରମ ପାଇଁ କମ୍ ବୟସରୁ ନାନା ରୋଗ ମାଡ଼ିବସୁଛି। ସ୍ଥିତି ଏମିତି ଯେ ଲୋକେ ଘର ଅପେକ୍ଷା ଡାକ୍ତରଖାନା ଶଯ୍ୟାରେ ଅଧିକ ସମୟ କାଟୁଛନ୍ତି। ତେବେ, ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ରଙ୍ଗଡ଼ା ଗ୍ରାମର ରାମକୃଷ୍ଣ ଡୋଗ୍ରା ଏହାର ବ୍ୟତିକ୍ରମ। ସେ ଏମିତି ଜଣେ ଶତାୟୁ ପୁରୁଷ, ଯିଏ ନିଜ ଜୀବନରେ ଥରୁଟିଏ ବି ଡାକ୍ତରଖାନା ଯାଇନାହାନ୍ତି। ପରିଣତ ବୟସରେ ନିଜ କାମ ନିଜେ କରିବା ସହ ହାଟରେ ପରିବା ବିକ୍ରି କରୁଛନ୍ତି।
ରାମକୃଷ୍ଣଙ୍କ ଜନ୍ମ ୧୯୧୮ରେ। ଏକମାତ୍ର ପୁଅ ଅଜୟ, ବୋହୂ ଓ ୩ ଜଣ ନାତିନାତୁଣୀଙ୍କ ସହିତ ସେ ରହୁଛନ୍ତି। ରାମକୃଷ୍ଣଙ୍କୁ ମାତ୍ର ୫ ବର୍ଷ ହୋଇଥିବା ବେଳେ ହଇଜାରେ ଚାଲିଗଲେ ବାପାମାଆ। ମାମୁ ଭାଗବତ ଦଳେଇ ତାଙ୍କୁ ନେଇ ପାଳିଥିଲେ। ମାମୁଘରେ କିଶୋର ଅବସ୍ଥା କଟିବା ପରେ ଯୁବାବସ୍ଥାରେ ନିଜ ଘରକୁ ଫେରିଆସି ୫ ଏକର ଜମିରେ ଚାଷବାସ ଆରମ୍ଭ କଲେ। ପ୍ରାୟ ୪୦ ବର୍ଷ ବୟସରେ ବେଣାପୁରା ଗ୍ରାମର ସାଇବା ଡୋଗ୍ରାଙ୍କୁ ବିବାହ କରିଥିଲେ ରାମକୃଷ୍ଣ। ପ୍ରଥମ ୪ଟି ସନ୍ତାନଙ୍କ ମୃତ୍ୟୁ ପରେ ୧୯୬୮ ମସିହାରେ ଜନ୍ମିତ ପୁତ୍ର ସନ୍ତାନ ପାଖରେ ଏବେ ସେ ରହୁଛନ୍ତି। ୧୯୮୮ରୁ ଆରପାରିକୁ ଚାଲିଗଲେଣି ପତ୍ନୀ। ଜୀବନରେ ବହୁ ଘାତ ପ୍ରତିଘାତ ଦେଖିଥିଲେ ମଧ୍ୟ ହାର୍ ମାନିନାହାନ୍ତି ରାମକୃଷ୍ଣ। ଏବେ ବି ହାତରେ ବାଡ଼ିଟିଏ ଧରି ଗାଁ ଛକକୁ ଚାଲି ଚାଲି ଯାଇ ସେଠାରେ ପରିବା ବିକୁଛନ୍ତି।
ନିଜ ନିରୋଗ ଓ ଲମ୍ବା ଜୀବନର ରହସ୍ୟକୁ ନେଇ ସେ କହିଛନ୍ତି; ଜୀବନତମାମ ପରିଶ୍ରମ ସାଙ୍ଗକୁ ମହୁଲ ସିଝା, ଖୁଦ ତିଆରି ଭାତ, ଡାଲି, ସାଗ, ବିନା ସାର, କୀଟନାଶକରେ ବଢ଼ିଥିବା ପନିପରିବା ଖାଇଛି। ଫଳରେ ଆଜି ଯାଏ ସୁସ୍ଥ ରହିଛି ଓ ଏଯାଏ କୌଣସି ରୋଗବ୍ୟାଧିର ଶିକାର ହୋଇନି। ଶତାୟୁ ରାମକୃଷ୍ଣଙ୍କ ଜୀବନଚର୍ଯ୍ୟା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେଉ। ସେ ସୁସ୍ଥ, ନିରାମୟ ଜୀବନ ଜିଅଁନ୍ତୁ ଏହା ହିଁ ‘ସମ୍ବାଦ’ର କାମନା।
ଦୀପକ କୁମାର ସିଂହ