ଭୁବନେଶ୍ବର : ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ଆନନ୍ଦ ପ୍ରକାଶ କରିଛନ୍ତି ବର୍ଷିୟାନ୍ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ । ଓଡ଼ିଶୀ ସଂଗୀତକୁ ଲୋକପ୍ରିୟ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶ୍ୟାମାମଣୀ ଦେବୀ ସମ୍ବାଦ଼ ଡଟ ଇନକୁ ଟେଲିଫୋନ ଯୋଗେ ପ୍ରତିକ୍ରିୟା ଦେଇ ସେ ଏହି ପୁରସ୍କାରର ଶ୍ରେୟ ପ୍ରଭୁ ଜଗନ୍ନାଥ ଓ ତାଙ୍କ ଗୁରୁମାନଙ୍କୁ ଦେଇଛନ୍ତି ।
“ପ୍ରଭୁ ଜଗନ୍ନାଥ ଓ ମୋ ଗୁରୁମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ଥିଲା । ମୋ କଳା ପ୍ରତି ସ୍ବୀକୃତି ମିଳିଥିବାରୁ ମୁଁ ଆନନ୍ଦିତ” ବୋଲି ସେ କହିଛନ୍ତି ।
୧୯୫୦ରୁ ଆକାଶବାଣୀ କଟକ ପାଇଁ ଗୀତ ଗାଇବା ଆରମ୍ଭ କରିଥିବା ଶ୍ୟାମାମଣୀ ଦେବୀ ବିଶିଷ୍ଟ ସଂଗୀତଜ୍ଞ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓ ପଣ୍ଡିତ ଭୁବନେଶ୍ବର ମିଶ୍ରଙ୍କୁ ନିଜ ଗୁରୁ ଭାବେ ଗ୍ରହଣ କରିଥିଲେ । ଶ୍ୟାମାମଣୀ ପୂର୍ବରୁ ଓଡ଼ିଶା ସଂଗୀତ ନାଟକ ଏକାଡେମିର ଶୀର୍ଷ ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଲାଭ କରିଛନ୍ତି।
ପ୍ରତିଟି ଶବ୍ଦରେ ଭାବ ଭରିବା ଶିଖେଇ ଦେଇଥିଲେ ଗୁରୁ ସଂଗୀତ ସୁଧାକର ବାଳକୃଷ୍ଣ : ଶ୍ୟାମାମଣି
‘‘ଓଡ଼ିଆ ସଂଗୀତ ଜଗତରେ ଯେଉଁ କେତେଜଣ ଗୁରୁଙ୍କ ସ୍ମୃତି ଆଜି ବି ଅପାସୋରା ହୋଇ ରହିଛି, ସେମିତି ଜଣେ ଗୁରୁ ଥିଲେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ। ସଂଗୀତ ଜଗତକୁ ହୀରାମାନଙ୍କୁ ଭେଟି ଦେଇଥିବା ଖଣି ଥିଲେ ସଂଗୀତ ସୁଧାକର। ସ୍ବର ସାମ୍ରାଜ୍ୟରେ ନିଜର ପତିଆରା ସୃଷ୍ଟି କରିଥିବା ଶ୍ୟାମାମଣି ଦେବୀ ଏବେ ବି ସ୍ବୀକାର କରନ୍ତି, ଯଦି ଆଜି ସେ ନାଁ କମେଇଛନ୍ତି, ତାହା ଥିଲା ତାଙ୍କ ଗୁରୁ ସଂଗୀତ ସୁଧାକରଙ୍କ ପ୍ରଭାବ। ଶ୍ୟାମାମଣି କୁହନ୍ତି, କୌଣସି ଶିଷ୍ୟ ଶିଷ୍ୟାଙ୍କୁ ଗୀତ ଶିଖାଇବା ପୂର୍ବରୁ ସେ ତା’ର ଗ୍ରହଣ କରିବାର କ୍ଷମତା ପରଖି ନେଉଥିଲେ। ଗଳାର ସ୍ବର ଓ ଗାଇବାର ଭଙ୍ଗୀ ଦେଖି ସାର୍ ନିର୍ଦ୍ଦିଷ୍ଟ ଗୀତ ବାଛି ଦେଉଥିଲେ। ନିଜର ଏକ ଅଭିଜ୍ଞତାକୁ ଆଧାର କରି ସେ କୁହନ୍ତି, ସଂଗୀତ ଶିକ୍ଷାଦାନ ବେଳେ ସେ ପ୍ରତିଟି ଶବ୍ଦରେ କେମିତି ଭାବ ଭରି ହେବ ଶିଖାଇ ଦେଇଥିଲେ। ସାର୍ ଗାୟନ ଶୈଳୀ, ଭାବ ଓ ଲାଳିତ୍ୟକୁ ବିଚରଣ କରିବାରେ କୁଣ୍ଠିତ ହେଉନଥିଲେ। ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭରି ଦେବାରେ ସେ ଥିଲେ ଜଣେ ଅନନ୍ୟ ପ୍ରେରଣାଦାତା। ‘ଶ୍ୟାମକୁ ଜୁହାର’ ସଂଗୀତ କ୍ୟାସେଟ୍ରେ ନିଜେ ଗାଇବାର ଥିଲେ ହେଁ ମୋ ଉପରେ ଭରସା କରି ଏଥିରେ ସମସ୍ତ ଗୀତ ଗାଇବାକୁ କହିଲେ। ଗୀତ ରେକର୍ଡିଂ ପୂର୍ବରୁ ଯେବେ ଗୁରୁଙ୍କୁ ଆଶୀର୍ବାଦ ପାଇଁ ଘରେ ପହଞ୍ଚିଲି, ରୋଗଶଯ୍ୟାରେ ପଡ଼ିଥିବା ମୋ ଗୁରୁ ନିଜ ଗଳାକୁ ଆଉଁସି ମୋ ଗଳାରେ ହାତ ରଖିଦେଲେ। ଶେଷରେ ଗୀତ ରେକର୍ଡିଂ ପରେ ତାହା କାଳଜୟୀ ହୋଇଗଲା। ଗୁରୁ ଶିଷ୍ୟ ମଧ୍ୟରେ ଏହି ବିଶ୍ବାସ ହିଁ ମତେ ଆଜି ପର୍ଯ୍ୟନ୍ତ ବାହି ଆଣିଛି। ଆଜି ବି ମୁଁ ମୋ ଗୁରୁ ଦେଖାଇଥିବା ବାଟରେ ଚାଲୁଛି ବୋଲି ସେ କହିଛନ୍ତି।’’
( ଏକ ପୁରୁଣା ସାକ୍ଷାତକାରରୁ ଗୃହୀତ)