ରାଉରକେଲା/ରାଜଗାଙ୍ଗପୁର: ଗତ ରବିବାର ଦିନ ଶ୍ରମ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କ ଜନ୍ମଦିନ ପାଳନ ଏବେ ରାଉରକେଲା ସମେତ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ବାଚନ ବର୍ଷରେ ମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ରାଉରକେଲା ସହର ସମେତ ରାଜଗାଙ୍ଗପୁର, ବୀରମିତ୍ରପୁର ଓ କୁତ୍ରା ଅଞ୍ଚଳରେ ବ୍ୟାପକ ଆୟୋଜନ କରାଯାଇଥିଲା। ରାସ୍ତାଘାଟରେ ପୋଷ୍ଟର ଓ ହୋ​ର୍ଡିଂ ଛାଇଯାଇଥିଲା। ତେବେ ଏସବୁ ହୋ​ର୍ଡିଂରେ କେବଳ ସାରଦାଙ୍କ ବଡ଼ବଡ଼ ଫଟୋ ରହିଥିଲା।

Advertisment

ରାଉରକେଲାରେ ସାରଦାଙ୍କ ପାଇଁ ବିଜେଡି, ବିଜେଡି ପାଇଁ ସାରଦା ନୁହନ୍ତି ଏହା ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ ମନ୍ତ୍ରୀଙ୍କ ସମର୍ଥକ। ବିଜେଡିକୁ ପଛରେ ପକାଇ ‘ସାରଦା ସେନା’ ଭଳି ଏକାଧିକ ସଂଗଠନ ନାମରେ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର, ହୋର୍ଡିଂ ଆଦି ଲଗା ଯାଇଥିଲା। ତେଣୁ କୌଣସି ହୋର୍ଡିଂ ବା ପୋଷ୍ଟର୍‌ରେ ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ କୌଣସି ନେତାଙ୍କର ଛୋଟ ଫଟୋଟିଏ ବି ନଥିଲା। ଏପରିକି ‘ବିଜେଡି ପରିବାର ସୌଜନ୍ୟ’ରୁ ଲାଗିଥିବା ପୋଷ୍ଟର୍‌ରେ ବି ମୁଖ୍ୟମନ୍ତ୍ରୀ ନଥିଲେ। ଅବଶ୍ୟ ଦଳୀୟ ଚିହ୍ନ ଶଙ୍ଖ ସ୍ଥାନିତ ହୋଇଥିଲା। ‘ରାଉରକେଲା ପ୍ରଗତିର ନାୟକ- ସାରଦା ନାୟକ ଭଳି ବିଭିନ୍ନ ପ୍ରକାର ସ୍ଳୋଗାନ ଲେଖାଥିବା ​ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା।

ରବିବାର ଦିନସାରା ରାଉରକେଲାରୁ କୁତ୍ରା ପର୍ଯ୍ୟନ୍ତ, କର୍ମୀ ଓ ସମର୍ଥକମାନେ ଶ୍ରମ ମନ୍ତ୍ରୀଙ୍କ ଜନ୍ମଦିନ ପାଳନରେ ମାତିଥିଲେ। ଉକ୍ତ ଦିନ ୨୨ଟି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା- କେକ୍‌ କାଟିବା, ରକ୍ତଦାନ ଶିବିର, ଫଳ ବଣ୍ଟନ, ଦୀପ ପ୍ରଜ୍ବଳନ, ପୂଜାର୍ଚ୍ଚନା ଆଦି ଆୟୋଜିତ ହୋଇଥିଲା। ରାଉରକେଲା ସହରର ୧୭ କିଲୋମିଟର ବିଶିଷ୍ଟ ରିଂ ରୋଡ୍‌ ସାରା ସାରଦାଙ୍କ ପୋଷ୍ଟର୍‌, ବ୍ୟାନର, ହୋର୍ଡିଂ, ଷ୍ଟାଣ୍ଡି ଆଦି ଲଗାଯାଇଥିଲା। ପୂର୍ବରୁ କେବେ ସାରଦାଙ୍କ ଜନ୍ମଦିନରେ ଏଭଳି ଆୟୋଜନ ହୋଇନଥିଲା। ଏପରିକି ବହୁବର୍ଷ ପରେ ସାରଦା ମନ୍ତ୍ରୀ ପଦ ଫେରି ପାଇବାବେଳେ ବି ଏଭଳି ଉତ୍ସବ ମନାଯାଇ ନଥିଲା। ସେଥିରେ ପୁଣି ମନ୍ତ୍ରୀଙ୍କ ସମର୍ଥକ ଓ ଦଳ ତରଫରୁ ପ୍ରସ୍ତୁତ ପୋଷ୍ଟର୍‌ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାନଯିବା ଏଠାରେ ନାନା ପ୍ରକାର ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଜନ୍ମଦିନକୁ ୨ ଦିନ ବିତିଥିଲେ ବି ବିଭିନ୍ନ ଖଟିରେ ଓ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହା ଆଲୋଚନାର ବିଷୟ ପାଲଟିଛି। କର୍ମୀଙ୍କ ମଧ୍ୟରେ ପତିଆରା ଜାହିର କରିବାକୁ ଖାସ୍‌ ସମର୍ଥକଙ୍କ ଜରିଆରେ ଶ୍ରମମନ୍ତ୍ରୀ କେବଳ ନିଜକୁ ହିଁ ଉପସ୍ଥାପିତ କରିଥିବା ଦଳୀୟ ଲୋକେ ଆଲୋଚନା କରୁଛନ୍ତି।