ଲାଞ୍ଜିଗଡ଼: କଳାହାଣ୍ଡିଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ର ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ଦେଖିବାକୁ ମିଳିଛି। ରାସ୍ତା ସମସ୍ୟା ଯୋଗୁଁ ୧ କିମି ଦୂରରେ ଅଟକିଥିଲା ଆମ୍ବୁଲାନ୍ସ। ଫଳରେ ଗର୍ଭବତୀ ୫ ଶହ ମିଟର ଚାଲିବା ପରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରେ ପୁଣି ନବଜାତକକୁ ଧରି ଚାଲିଚାଲି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଥିଲେ। ଲାଞ୍ଜିଗଡ଼ ବ୍ଲକ୍ ବିଜେପୁର ପଞ୍ଚାୟତ ପୋଡ଼ାପଦର ଗାଁର ଏହି ଅଭାବନୀୟ ଘଟଣା ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ବୟାନ କରୁଛି।
ସୂଚନା ଅନୁସାରେ, ପୋଡ଼ାପଦର ଗାଁର ଡମେ ମାଝୀଙ୍କ ସ୍ତ୍ରୀ ଜନନୀ ମାଝୀଙ୍କର ଶନିବାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଖବର ପାଇ ଆମ୍ବୁଲାନ୍ସ ଆସିଥିଲା, ହେଲେ ଗାଁକୁ ରାସ୍ତା ନଥିବାରୁ ୧ କିମି ଦୂର ବିଜେପୁର ବଜାରପଡ଼ା ନିକଟରେ ଅଟକି ରହିଥିଲା। ଜନନୀ ତାଙ୍କ ପରିବାର ସଦସ୍ୟ ଓ ଗାଁର ମହିଳାମାନଙ୍କ ସହିତ ୫୦୦ ମିଟର ପାଦଚଲା ଚାଷଜମି ରାସ୍ତାରେ ଚାଲିବା ପରେ ଏକ ନାଳ ପାଖରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହା ପରେ ପୁଣି ଜନ୍ମିତ ଶିଶୁପୁତ୍ରଙ୍କୁ ଧରି ଚାଲିଚାଲି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବଣ୍ଡେଲପଡ଼ା ଗାଁର ମିଶ୍ର ମାଝୀଙ୍କ ସ୍ତ୍ରୀ କାଞ୍ଚ ମାଝୀଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ରାସ୍ତା ନଥିବା ଯୋଗୁଁ ଗାଁକୁ ଆସି ପାରିନଥିଲା ଆମ୍ବୁଲାନ୍ସ। କାଞ୍ଚ ବର୍ଷାରେ ଭିଜିଭିଜି ୧ କିମି ଦୂର ଆସିବା ପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଇଥିଲେ। ଏବେ ୭ ଦିନ ପରେ ସମାନ ଘଟଣାର ପୁନରାବୃତ୍ତି ଘଟିଛି। ପୋଡ଼ାପଦର ଗ୍ରାମବାସୀଙ୍କ କହିବା ଅନୁସାରେ, ଗାଁରେ ୧୦୦ ବର୍ଷ ହେଲା ୧୨ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ସେମାନଙ୍କ ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ରାସ୍ତା ନ ଥିବାରୁ ଗ୍ରାମବାସୀ ନାନାଦି ଅସୁବିଧା ଭୋଗୁଛନ୍ତି। ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଖଟିଆରେ ୧ କିମି ବୋହିକି ମୁଖ୍ୟ ରାସ୍ତା ଯାଏଁ ନେବାକୁ ପଡ଼ିଥାଏ। ରାସ୍ତା ନଥିବାରୁ ଗାଁ ପିଲା ପାଠ ପଢ଼ାରୁ ବଞ୍ଚିତ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ମିଳିଥିବା ଘର ଖଣ୍ଡେ ମଧ୍ୟ ନିର୍ମାଣ କରିପାରୁ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/25/new-project-15-2025-08-25-11-48-31.jpg)