ପୁଣି ଜନନୀ ଯନ୍ତ୍ରଣା: ଭାରରେ ବୁହାହେଲେ, ଗଛତଳେ ପ୍ରସବ କଲେ

ପାତ୍ରପୁର : ପାତ୍ରପୁର ବ୍ଲକ୍ ଆଙ୍କୁଲି ତାରାସିଙ୍ଗ ଗ୍ରାମରେ ପୁଣିଥରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା ଭୋଗିବା ପରେ ତାଙ୍କୁ ପରିବାର ଓ ଗ୍ରାମର କିଛି ଲୋକ ଭାରରେ ବୋହି ଡାକ୍ତରଖାନା ନେବା ବେଳେ ମହିଳା ଜଣଙ୍କ ଏକ ଗଛତଳେ ସନ୍ତାନ ପ୍ରସବ କରିଛନ୍ତି। ମହିଳା ଜଣଙ୍କ ଆଙ୍କୁଲି ପଞ୍ଚାୟତ ତାରସିଙ୍ଗ ଗ୍ରାମର ଜାଗିଲି ପ୍ରଧାନଙ୍କ ପତ୍ନୀ ମାମି ପ୍ରଧାନ ବୋଲି ଜଣାପଡ଼ିଛି। ପ୍ରସୂତି ପାଇଁ ତାଙ୍କ ସ୍ୱାମୀ ଜାଗିଲି ପ୍ରଧାନ ଗ୍ରାମବାସୀଙ୍କ ସହିତ ଦୋଳା ସାହାଯ୍ୟରେ ପାହାଡ଼ ତଳେ ଥିବା ତରମୁଣ୍ଡା ଗ୍ରାମକୁ ବୋହି ନେଉଥିଲେ। ଗ୍ରାମ ଠାରୁ ତରମୁଣ୍ଡା ପ୍ରାୟ ୧୦ କିମି. ଦୂର ହୋଇଥିବା ବେଳେ ମଝି ରାସ୍ତାରେ ମାମି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।
ସାଙ୍ଗରେ ଯାଉଥିବା ମହିଳା ମାନେ ଏକ ଗଛ ତଳେ ଲୁଗା ଘେରାଇ ପ୍ରସବ କରାଇଥିଲେ। ତେବେ ପାତ୍ରପୁର ବ୍ଲକ୍ ଆଙ୍କୁଲି ବୁରାତାଲ ସମେତ ଅନ୍ୟ ପଞ୍ଚାୟତର କେତେକ ଗ୍ରାମକୁ ରାସ୍ତା ନଥିବା ଫଳରେ ଏଭଳି ପରିସ୍ଥିତି ବାରମ୍ବାର ଦେଖା ଦେଉଛି। ଗତ କିଛିବର୍ଷ ମଧ୍ୟରେ ଅନେକ ଗ୍ରାମକୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ଏହି ଗ୍ରାମକୁ ରାସ୍ତା ନିର୍ମାଣ ହେଲେ ବହୁ ଆଦିବାସୀ ଉପକୃତ ହେବା ସହ ରାସ୍ତାଯନ୍ତ୍ରଣା ଦୂର ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି।
ସମ୍ବନ୍ଧିତ ଖବର