ନିଆଳିରେ ମେଣ୍ଢା ମୃତ୍ୟୁ ଘଟଣା : ପୁଣି ଜନ୍ତୁ ଖାଇଲା ୪ କଲିଜା

କ୍ଷତିପୂରଣ ନେଇ ବଢୁଛି ଅସନ୍ତୋଷ

ନିଆଳି : ନିଆଳି ଅଞ୍ଚଳରୁ ଲୋପ ପାଇଯିବେ ମେଣ୍ଢା। ଏଭଳି ଆତଙ୍କରେ ଆତଙ୍କିତ ହୋଇପଡିଛନ୍ତି ମେଣ୍ଢା ଚାଷୀ। ଥମିବାର ନାଁ ନେଉନି ମେଣ୍ଢା ମୃତ୍ୟୁ। ମାର୍ଗଶୀର ଶେଷ ଗୁୁରୁବାର ଦିନ ମାଣ ବସାଇବା ପାଇଁ ଉଠିବା ବେଳକୁ ଗୁହାଳରେ ମରିପଡିପଡିଛନ୍ତି ୪ମେଣ୍ଢା।  ଆଜି ନିଆଳି ବ୍ଲକ୍‌ ବିଳାସୁଣୀ ପଞ୍ଚାୟତ କୂଳଦହିଜଙ୍ଗ ଗ୍ରାମର  ଉଦୟନାଥ ଭୋଇଙ୍କ ଗୁହାଳରେ ସମାନ ଢଙ୍ଗରେ ଅତି ବିଭତ୍ସଭାବେ  ମରିପଡିଛନ୍ତି ୪ ମେଣ୍ଢା । ତା ସହିତ ଗୋଟିଏ ମେଣ୍ଢା ଘାଇଲା ଅବସ୍ଥାରେ ପଡିରହିଛି। କୁକୁର ଭୁକିବା ଶବ୍ଦ ଶୁଣି ଲୋକେ ଉଠିପଡିବାରୁ ଜନ୍ତୁ ଖସି ପଳାଇଥିବା ଗ୍ରାମବାସୀ କହିଛନ୍ତି।

ଗତ ୧୫ଦିନ ମଧ୍ୟରେ ନିଆଳି ଓ କଣ୍ଟାପଡା ବ୍ଲକ୍‌ରେ ୩୦ ମେଣ୍ଢାଙ୍କ ମୃତ୍ୟୁ ଘଟିଲାଣି। ଆଜି ସକାଳେ ଖବର ପାଇ ନିଆଳି ପ୍ରାଣୀଚିକିତ୍ସାଳୟର ମୁଖ୍ୟ ଡ଼ାକ୍ତର ଶଶାଙ୍କ ଶେଖର ନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତ ମେଣ୍ଢାର ଶବ ବ୍ୟବଚ୍ଛେଦ ସହ ଆହତ ମେଣ୍ଢାର ଚିକିତ୍ସା କରିଥିବା ଜଣାଯାଇଛି। ସେହିପରି ପଶୁ ବୀମା କର୍ମଚାରୀ ପହଞ୍ଚି କାଗଜପତ୍ର ଯାଞ୍ଚ କରିଛନ୍ତି।

ଗତ ଅଢ଼େଇମାସ ତଳେ ପାଖାପାଖି ଅଢେଇ ଶହରୁ ଅଧିକ ମେଣ୍ଢାଙ୍କର ଜୀବନ ଯାଇଥିଲା। ଏବେ ପୁଣି ୧୫ଦିନ ହେଲା ସମାନ ଢ଼ଙ୍ଗରେ ମେଣ୍ଢା ମୃତ୍ୟୁ ଆରମ୍ଭ ହୋଇଛି। ସରକାର ଘୋଷଣା କରିଥିବା ଗୋଟିଏ ମେଣ୍ଢା ମୃତ୍ୟୁ ପାଇଁ ୨ହଜାର ଟଙ୍କା ଚାଷୀଙ୍କ ପ୍ରତି ଉପହାସ ବୋଲି ଅଭିଯୋଗ ହେଉଛି। ମେଣ୍ଢାର ପ୍ରକୃତ ଦାମ ଠାରୁ ଏହାର ୩ ଗୁଣା ହେବ ବୋଲି କୁହାଯାଉଛି। ସରକାର ମେଣ୍ଢା ମୃତ୍ୟୁପାଇଁ କ୍ଷତିପୂରଣ ଟଙ୍କା ଘୋଷଣା କରିଦେଇ ଚୁପ୍‌ ବସିଥିବା ବେଳେ କିଏ ମେଣ୍ଢା ମାରୁଛି ନିର୍ଦ୍ଦିଷ୍ଟ ଭାବେ ତାହା ସ୍ପଷ୍ଟ କରିପାରୁ ନାହାନ୍ତି। ତେବେ ଏହି ୧୦ଦିନ ଭିତରେ ମରିଥିବା ମେଣ୍ଢାଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ରାଶି କେହି ପାଇନଥିବା ଜଣାଯାଇଛି। ଏ ସଂପର୍କରେ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ନାୟକ କହିଛନ୍ତି ଯେ ଶୀଘ୍ର କ୍ଷତିପୂରଣ ଚାଷୀଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର