ପୁଣି ତିନି ମେଣ୍ଢାଙ୍କ କଲିଜା ଖାଇଲା ଅଜଣା ଜନ୍ତୁ

ନିଆଳି : ଗତ ସପ୍ତାହ ମଧ୍ୟରେ ଅଜଣା ଜନ୍ତୁ ୧୮ଟି ମେଣ୍ଡାର ଜୀବନ ନେଲାଣି। ଗତକାଲି ଶୁକ୍ରବାର ରାତିରେ ଅଜଣା ଜନ୍ତୁ ନିଆଳି ବ୍ଲକ ଅନ୍ତର୍ଗତ ବିଳାସୁଣୀ (ବାଲିକୁଦ) ଗ୍ରାମର ତିନିଟି ଗୁହାଳ ମଧ୍ୟରେ ପଶିି ୩ଟି ମେଣ୍ଢାକୁ ମାରି କଲିଜା ଖାଇଯାଇଥିବା ବେଳେ ଅନ୍ୟ ଏକ ମେଣ୍ଢାକୁ ଆହତ ଅବସ୍ଥାରେ ଛାଡି ଚାଲି ଯାଇଛି।

ଶୁକ୍ରବାର ରାତିରେ ଗ୍ରାମର ସୁଧାକର ସ୍ୱାଇଁଙ୍କ ଗୁହାଳରେ ପଶି ଅଜଣା ଜନ୍ତୁ ସମାନ ଢଙ୍ଗରେ ୨ଟି ମେଣ୍ଢାର ପେଟ ଚିରି କଲିଜା ଖାଇଥିବା ବେଳେ ଅରକ୍ଷୀତ ଡାଳୁଆଙ୍କ ଗୋଟିଏ ମେଣ୍ଢାକୁ ମାରି ଦେଇଛି। କୁକୁର ଭୁକିବାରୁ ଡାଳୁଆଙ୍କ ପରିବାର ଲୋକ ଉଠି ପଡ଼ିଥିଲେ। ଏହି ଗ୍ରାମର ବିଶ୍ୱମ୍ବର ତ୍ରିପାଠୀଙ୍କ ଗୁହାଳେ ପଶି ଜନ୍ତୁ ଗୋଟିଏ ମେଣ୍ଢାର ବେକ କ୍ଷତାକ୍ତ କରିଥିବା ଜଣାଯାଇଛି। ଶଦ୍ଦ ଶୁଣି ପରିବାର ଲୋକେ ଉଠିପଡ଼ିବାରୁ କୁକୁର ସଦୃଶ ଜନ୍ତୁ କ୍ଷୀପ୍ର ବେଗରେ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ନିଆଳି ପ୍ରାଣୀ ଚିକିତ୍ସା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ମେଣ୍ଢାଙ୍କ ଶବ ବ୍ୟବଚ୍ଛେଦ କରାଇବା ସହ ଆହତ ମେଣ୍ଢାର ଚିକିତ୍ସା କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଅଢ଼େଇ ମାସ ତଳେ ପାଖାପାଖି ୨୫୦ରୁ ଅଧିକ ମେଣ୍ଢାଙ୍କର ଜୀବନ ଯାଇଥିଲା। ଏବେ ସମାନ ଢ଼ଙ୍ଗରେ ପୁଣି ମେଣ୍ଢା ମୃତ୍ୟୁ ଆରମ୍ଭ ହୋଇଛି। ଗତ ୧୯ତାରିଖରେ ଏହି ବ୍ଲକ ଅନ୍ତର୍ଗତ ଅଲଣା ପଞ୍ଚାୟତର ଗୋବିନ୍ଦପଦାରେ ୩, ଢ଼ିଅ ବାଁସାହିରେ ପହଲି ବେହେରାଙ୍କ ଗୋଟିଏ, ୨୧ତାରିଖରେ ବାବଜାର ପ୍ରଶାନ୍ତ ବେହେରାଙ୍କ ୩, କଣ୍ଟାପଡ଼ା ବ୍ଲକର ଅଡ଼ଶପୁର ପଞ୍ଚାୟତ ନଦୀକୂଳ ସାହିର ବନମାଳି ମହାନ୍ତିଙ୍କ ୪ଟି ଓ ବାଁପଦାର ଗୁରୁବାରୀ ବେହେରାଙ୍କ ୭ଟି ମେଣ୍ଢାଙ୍କ ପେଟ ଚିରି କଲିଜା ଖାଇଯାଇଛନ୍ତି। ଦୀର୍ଘ ଦିନ ହେବ ନିଆଳି ବ୍ଲକରେ ଚିରାଚରିତ ଢ଼ଙ୍ଗରେ ଅଜଣା ଜନ୍ତୁ ମେଣ୍ଢା ମାରିଚାଲିଥିବା ବେଳେ ଚାଷୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଜନ୍ତୁଙ୍କୁ ଧରିବା ପାଇଁ ସରକାର ୨୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଥିଲେ ବି ଜନ୍ତୁ ଧରାପଡିନାହିଁ।

ସମ୍ବନ୍ଧିତ ଖବର