ସମ୍ବଲପୁର: ଦିନ ଥିଲା ପଶ୍ଚିମ ଓଡ଼ିଶାରେ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ରଖିଥିବା ପ୍ରତିଟି ଲୋକ ତାଙ୍କୁ ଖୁବ୍ ଭଲ ଭାବରେ ଚିହ୍ନି ଥିଲେ। ଖାଲି ପଶ୍ଚିମ ଓଡ଼ିଶା କାହିଁକି ରାୟପୁର, ରାୟଗଡ଼, ସରେଇପାଲି, ଅନୁଗୁଳ, ପୁରୀରୁ ମଧ୍ୟ ଲୋକେ ନିଜ ଗାଡ଼ି ନେଇ ଆସୁଥିଲେ ତାଙ୍କ ପାଖକୁ। ଗୋଟିଏ ସମୟରେ ଆଭିଜାତ୍ୟର ପ୍ରତୀକ ଥିବା ବୁଲେଟ୍ ଗାଡ଼ିର ନାଡ଼ି ଚିପି ଯେ ରୋଗ ଜାଣି ପାରୁଥିଲେ ଓ କେଇ ଘଣ୍ଟା ମଧ୍ୟରେ ତାହା ଠିକ୍ କରି ଗ୍ରାହକଙ୍କୁ ଫେରାଇ ଦେଉଥିଲେ, ସେ ହେଲେ ପଶ୍ଚିମ ଓଡ଼ିଶାରେ ରୟାଲ୍ ଏନ୍ଫିଲ୍ଡର ଆଦ୍ୟ ମିସ୍ତ୍ରି ସୟଦ ସେହଜାଦା। ସେହଜାଦା ଦୀର୍ଘ ୭୦ ବର୍ଷ ଧରି ଏହି ଗାଡ଼ି ମରାମତି କାମ କରିବା ପରେ ଗତ କିଛି ମାସ ହେଲା ଅସୁସ୍ଥ ଅଛନ୍ତି।
ପ୍ରୋଷ୍ଟ୍ରେଟ୍ ଗ୍ରନ୍ଥି ଜନିତ ସମସ୍ୟା କାରଣରୁ ସେ ଆଉ ନିଜ ଗ୍ୟାରେଜ୍କୁ ଆସୁ ନାହାନ୍ତି। ପୁଅ ଇର୍ସାଦ୍ ଗ୍ୟାରେଜ୍ କାମ ସମ୍ଭାଳୁଛନ୍ତି। ହେଲେ ଏବେ ବି ଗ୍ୟାରେଜ୍କୁ ଆସୁଥିବା ପ୍ରତିଟି ଗ୍ରାହକ ସେହଜାଦାଙ୍କୁ ଖୋଜୁଛନ୍ତି। ତାଙ୍କ ଭଲମନ୍ଦ ପଚାରୁଛନ୍ତି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ବୟସ ମାତ୍ର ୭ ବର୍ଷ ହୋଇଥିଲା ବେଳେ ସେହଜାଦା ୧୯୫୨ ମସିହାରେ ଗାଡ଼ି ମରାମତି ଶିଖିବା ଆରମ୍ଭ କରିଥିଲେ। ୨ ବର୍ଷ ପରେ ବୁଲେଟ୍ ମରାମତିର ବିଧିବଦ୍ଧ ତାଲିମ ନେବା ପାଇଁ ମାଡ୍ରାସ୍ ଗଲେ। ସେତେବେଳେ ଇଂଲଣ୍ଡରୁ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ର ବିଭିନ୍ନ ଯନ୍ତ୍ରାଂଶ ଆସି ମାଡ୍ରାସ୍ରେ ଯୋଡ଼ା ଯାଉଥିଲା।
ସେଠାରେ ତାଲିମ ନେବା ପରେ ଚାକିରି କଲେ। ୧୯୬୨ରେ ଭାରତ-ଚୀନ୍ ଯୁଦ୍ଧ ବେଳେ ସେମାନଙ୍କୁ କାମରୁ ବାହାର କରି ଦିଆଗଲା। ସେହଜାଦା ସମ୍ବଲପୁର ଫେରି ଆସିଲେ। ହେଲେ ସେତିକି ବେଳେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ମାତ୍ର ୨ଟି ବୁଲେଟ୍ ଥିଲା। ଆଉ କିଛି ମାସ ମଧ୍ୟରେ ଏହି ସଂଖ୍ୟା ବଢ଼ି ୫ ହେଲା। ସେହି ଗାଡ଼ି ଗୁଡ଼ିକ ସଜାଡ଼ିଲେ ବି ସେହଜାଦାଙ୍କୁ କାମର ଅଭାବ ହେଲା। ତେଣୁ ସେ ଜାଭା ଗାଡ଼ିର ତାଲିମ ପାଇଁ ମହୀଶୂର ଗଲେ। ସେଠାରୁ ଫେରି ରାଉରକେଲାରେ କିଛି ସମୟ କାମ କଲେ। କିନ୍ତୁ ସେଠାରେ ହିନ୍ଦୁ-ମୁସଲ୍ମାନ ଦଙ୍ଗା ହେବାରୁ ସେ ପୁଣି ସମ୍ବଲପୁର ଫେରି ଆସିଲେ। ସମ୍ବଲପୁରରେ ପ୍ରଥମେ ସ୍ଥାନୀୟ ବୁଲେଟ୍ ଡିଲର୍ଙ୍କ ପାଖରେ କିଛି ସମୟ ୨୫ ଟଙ୍କା ଦରମାରେ ଚାକିରି କଲେ। ଏହାପରେ ୧୯୬୪ ମସିହାରୁ ପେନ୍ସନ୍ପଡ଼ାରେ ସାହାଜାଦା ଗ୍ୟାରେଜ୍ର ଆରମ୍ଭ କଲେ।
ବୁଲେଟ୍ ସଂଖ୍ୟା ଖୁବ୍ କମ୍ ଥିବାରୁ ପ୍ରଥମେ ପ୍ରଥମେ ଜାଭା ମୋଟର୍ସାଇକଲ୍ ମରାମତି ତାଙ୍କର ମୁଖ୍ୟ କାମ ଥିଲା। ହେଲେ ପରେ ଜାଭା ସଂଖ୍ୟା କମି ବୁଲେଟ୍ ସଂଖ୍ୟା ବଢ଼ିବାକୁ ଲାଗିଲା। ବୁଲେଟ୍ ମରାମତିରେ ସେହଜାଦାଙ୍କ ଏମିତି ନାଁ ହେଲା ଯେ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟରୁ ଲୋକେ ନିଜ ଗାଡ଼ି ନେଇ ତାଙ୍କ ପାଖକୁ ଆସିଲେ। ଇଂଜିନ୍ କାମକୁ ଛାଡ଼ି ଅନ୍ୟ କାମ ଥିଲେ ସେହଜାଦା ସେହି ଗୋଟିଏ ଦିନରେ ଗାଡ଼ି ସଜାଡ଼ି ଗ୍ରାହକଙ୍କୁ ଫେରାଇ ଦେଉଥିଲେ। ବୁଲେଟ୍ର ଥମ୍ଥମ୍ ଶବ୍ଦ ବିଗିଡ଼ି ଗଲେ ବି ସଉକିଆ ଲୋକେ ସେହଜାଦାଙ୍କୁ ମନେ ପକାଉଥିଲେ।
ଗାଡ଼ି ଷ୍ଟାର୍ଟ କରି ସମସ୍ୟା କଣ ସେ ଜାଣି ପାରୁଥିଲେ। ବହୁ ଦଶନ୍ଧି ଧରି ତାଙ୍କର କେହି ବିକଳ୍ପ ନଥିବାରୁ ଚାହିଁଥିଲେ ପ୍ରଚୁର ଆୟ କରି ପାରିଥାନ୍ତେ ସେହଜାଦା। ହେଲେ ସେ କେବେ କାହାଠୁ ଚଢ଼ା ପାରଶ୍ରମିକ ଦାବି କରୁ ନଥିଲେ। ଏକଦା ୪୫୦୦ ଟଙ୍କାରେ ବିକ୍ରି ହେଉଥିବା ରୟାଲ୍ ଏନ୍ଫିଲ୍ଡ ଗାଡ଼ିର ଦାମ ଏବେ ୨ ଲକ୍ଷ ଟଙ୍କା ହେଲାଣି। ହେଲେ ସେହଜାଦାଙ୍କ ଆର୍ଥିକ ସ୍ଥିତିରେ କୌଣସି ଆଖିଦୃଶିଆ ଉନ୍ନତି ଆସି ନାହିଁ। ସମୟ ବଦଳିବା ସହ ବୁଲେଟ୍ର ପ୍ରକାର ବଦଳିଛି। ମେଡ୍ ଇନ୍ ଇଂଲଣ୍ଡ ବୁଲେଟ୍ ବଦଳରେ ଏନ୍ଫିଲ୍ଡ ଇଣ୍ଡିଆ ବୁଲେଟ୍ ଆସିଲା।
ବର୍ତ୍ତମାନ ସମନ୍ବିତ ଇଂଜିନ୍ ସହ ଅନ୍ୟ ପାରଂପରିକ ଗାଡ଼ି ଭଳି ଡାହାଣ ପାର୍ଶ୍ବରେ ବ୍ରେକ୍ ଥିବା ବୁଲେଟ୍ ଆସିଲାଣି। ହେଲେ ସେହଜାଦା ଏବେ ବି ଏହି ଗାଡ଼ିର ଅପ୍ରତିଦ୍ବନ୍ଦ୍ବୀ ମେକାନିକ୍ ବିବେଚିତ ହୁଅନ୍ତି। ୫୦୦ରୁ ଅଧିକ ପିଲା ତାଙ୍କଠାରୁ ବୁଲେଟ୍ ମରାମତିର ତାଲିମ ନେଇଛନ୍ତି। ତାଙ୍କ ଶିଷ୍ୟ ମାନେ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ଜଣେ ଜଣେ ଓସ୍ତାଦ୍ ମେକାନିକ୍। ଏବେ ୭୭ ବର୍ଷୀୟ ସେହଜାଦା ନିଜ ସଂଘର୍ଷ ଦିନରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କାହାଣୀ କହିଲା ବେଳେ ଭାବପ୍ରବଣ ହୋଇ ପଡ଼ନ୍ତି। ଶାରୀରିକ ଭାବେ ଦୁର୍ବଳ ହୋଇ ପଡ଼ିଥିବାରୁ ଓ ନିଜ ପ୍ରିୟ ବୁଲେଟ୍ ସଜାଡ଼ି ପାରୁ ନଥିବାରୁ ନିରାଶା ବ୍ୟକ୍ତ କରନ୍ତି। ନିଜର ପ୍ରତିଟି ଗ୍ରାହକ ଓ ସେମାନଙ୍କ ଗାଡ଼ି ଗୁଡ଼ିକୁ ବ୍ୟକ୍ତିଗତ ଭାବେ ଚିହ୍ନିଥିବା ସେହଜାଦା ଏବେ ବୟସର ସାୟାହ୍ନରେ ସେମାନଙ୍କ ସହ ଗଢ଼ି ଉଠିଥିବା ସଂପର୍କକୁ ମନେ ପକାଇ ବାହୁନି ହୁଅନ୍ତି।