ରାଉରକେଲା: ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ମହିଳାଙ୍କୁ ଯୌନଶୋଷଣ, ବଳପୂର୍ବକ ଜମି ଜବରଦଖଲ ତଥା ଇଡି ଅଧିକାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଶେଖ୍‌ ଶାହାଜାହାଁର ଏକାନ୍ତ ଅନୁଗତ ତଥା ଘଟଣାର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଅମିର ଅଲୀ ବୁଧବାର ରାଉରକେଲାରୁ ଧରାପଡ଼ିଛି। ପଶ୍ଚିମବଙ୍ଗ ସିଆଇଡିର ଏକ ଟିମ୍ ଅମିରକୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଆଇଜି ପାର୍କ ନିକଟରୁ ଗିରଫ କରିନେଇଛି। ପୁତ୍ରମୋହ ଯୋଗୁଁ ଅମିର ଧରାପଡ଼ିଥିବା କହାଯାଉଛି। ଅଭିଯୁକ୍ତର ପୁଅ ସ୍ଥାନୀୟ ଏକ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା କହାଯାଉଛି। ଅଭିଯୁକ୍ତ ଅମିର ବୁଧବାର ପୁଅକୁ ଭେଟିବାକୁ ଆସିଥିବାବେଳେ ମୋବାଇଲ୍‌ ଟ୍ରାକିଂକରି ପଶ୍ଚିମବଙ୍ଗ ସିଆଇଡି ତା’ର ପିଛା କରିଥିଲା।
Advertisment
ସନ୍ଦେଶଖାଲିର ଲୋମହର୍ଷଣକାରୀ ଅପରାଧର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଅମିର ବୁଧବାର ସନ୍ଧ୍ୟା ପ୍ରାୟ ୬ଟାରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କ ସାମ୍ନା‌ ରିଂ ରୋଡ୍‌ରେ ଚାଲିଚାଲି ଯାଉଥିଲା। ଅମିର୍‌ର ମୋବାଇଲ୍‌ ଟ୍ରାକିଂ କରି ପୂର୍ବରୁ ଜଗିରହିଥିବା ପଶ୍ଚିମବଙ୍ଗ ସିଆଇଡିର ୪ ଜଣ ଅଧିକାରୀ ତାକୁ କାବୁ କରିନେଇଥିଲେ। ସ୍ଥାନୀୟ ସେକ୍ଟର-୩ ପୁଲିସ ଥାନାର ତିନି ଜଣ ପୁଲିସ କର୍ମଚାରୀ ମଧ୍ୟ ତାଙ୍କ ସହ ଥିଲେ। ତେବେ ସେମାନଙ୍କୁ ଅପରେସନ୍‌ ସଂପର୍କରେ କୌଣସି ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ବୁଧବାର ମଧ୍ୟାହ୍ନ ପ୍ରାୟ ୨ଟାରେ ସାଦା ପୋଷାକଧାରୀ ୪ ଜଣ ସିଆଇଡି ଅଧିକାରୀ ସେକ୍ଟର-୩ ପୁଲିସ ଥାନାରେ ପହଞ୍ଚିଥିଲେ। ଡକାୟତି ଉଦ୍ୟମ କରି ଫେରାର ଥିବା ଅଭିଯୁକ୍ତ ଅମିରକୁ ଗିରଫ କରିବା ବିଷୟରେ ସ୍ଥାନୀୟ ପୁଲିସ୍‌କୁ ଅବଗତ କରାଇବା ସହ ଆବଶ୍ୟକ ସହାୟତା ମାଗିଥିଲେ। ତେବେ ସନ୍ଦେଶଖାଲି ଘଟଣାର ମୁଖ୍ୟ ଅଭିଯୁକ୍ତର ଡାହାଣହାତଭାବେ ଜଣାଶୁଣା ଅମିରର କୁକର୍ମ ବିଷୟରେ ଜଣାଇନଥିଲେ। ଅଭିଯୁକ୍ତକୁ କାବୁ କଲାପରେ ରାତାରାତି ତାକୁ ପଶ୍ଚିମବଙ୍ଗକୁ ନେଇ ଗୁରୁବାର ପୂର୍ବାହ୍ନରେ ଉତ୍ତର ୨୪ ପ୍ରଗଣା ବସିରହାଟ ସବଡିଭିଜନାଲ କୋର୍ଟରେ ହାଜର କରାଯାଇଛି।