ବିଲୁପ୍ତପ୍ରାୟ ଘରଚଟିଆର ସଂରକ୍ଷଣ ପାଇଁ ସ୍ବେଚ୍ଛାସେବୀଙ୍କ ପ୍ରୟାସ: ୧୦ଟି ଜିଲ୍ଲାରେ ରବୀନ୍ଦ୍ର ସ୍ଥାପନ କରିଛନ୍ତି କୃତ୍ରିମ ବସା

ବ୍ରହ୍ମପୁର: ଆଉ ଶୁଭୁନି କିଚିରିମିଚିରି ଶବ୍ଦ। ହଜି‌ଗଲେଣି ଘରଚଟିଆ। ଜଳବାୟୁରେ ପରିବର୍ତ୍ତନ ସହିତ ଆଧୁନିକ ଜୀବନଶୈଳୀର ନକରାତ୍ମକ ପ୍ରଭାବରେ ଏହି ଚଢ଼େଇ ଧୀରେ ଧୀରରେ ନିଜର ସତ୍ତା ହରାଉଛି। ଚାଳଘର, ସ୍କାଏଲାଇଟ୍‌, କାନ୍ଥର ସନ୍ଧି, ଲାଇଟପୋଷ୍ଟ୍‌ ଭଳି ସ୍ଥାନରେ ଘରଚଟିଆ ତା’ର ବସା ବାନ୍ଧିଥାଏ। କିନ୍ତୁ ବର୍ତ୍ତମାନ କଂକ୍ରିଟ୍‌ ଜଙ୍ଗଲରେ ଘରଚଟିଆ ପାଇଁ ବସା ମିଳିପାରୁନି। ଘରଚଟିଆଙ୍କ ସଂଖ୍ୟା ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ଏହି ଘରଚଟିଆଙ୍କ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗ୍ରାମର ରବୀନ୍ଦ୍ରନାଥ ସାହୁ। ୨୦୦୭ରୁ ସେ ଘରଚଟିଆଙ୍କ ସୁରକ୍ଷା ପାଇଁ କାମ କରି ଆସୁଛନ୍ତି। କୃତ୍ରିମ ବସା ତିଆରି କରି ଏମାନଙ୍କୁ ବଞ୍ଚିବା ପାଇଁ ରାହା ଦେଖାଉଛନ୍ତି। ୧୦ଟି ଜିଲ୍ଲାର ବିଭିନ୍ନ ସହରରେ ସେ କୃତ୍ରିମ ବସା ସ୍ଥାପନ କରି ଘରଚଟିଆଙ୍କୁ ଘର ଯୋଗାଇଛନ୍ତି।

ସେହିପରି କୁକୁଡ଼ାଖଣ୍ତି ବ୍ଲକ୍ ଦକ୍ଷିଣପୁର ଗ୍ରାମପଞ୍ଚାୟତ ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧ ଗ୍ରାମରେ ଘରଚଟିଆଙ୍କ ନିଆରା ସ˚ରକ୍ଷଣ ଆଜି ସଭିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। କହିବାକୁ ଗଲେ ଏହି ଗାଁ ଘରଚଟିଆଙ୍କ ‘ପ୍ରବାସୀ ଗ୍ରାମ’ ଭାବେ ପରିଗଣିତ ହୋଇସାରିଛି। ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ଏଭଳି ପଶୁ ଓ ପକ୍ଷୀ ସଂରକ୍ଷଣ ପାଇଁ କାମ ଜାରି ରଖିଛନ୍ତି। ଏଥିପାଇଁ ମାର୍ଚ୍ଚ ୨୦ତାରିଖରେ ‘ବିଶ୍ବ ଘରଚଟିଆ’ ଦିବସ ପାଳନ କରାଯାଉଛି। ଘରଚଟିଆଙ୍କ ସୁରକ୍ଷା ପାଇଁ ରବୀନ୍ଦ୍ର ନିଜସ୍ବ ଉଦ୍ୟମରେ କୃତ୍ରିମବସା ତିଆରି କରି ବିଭିନ୍ନ ସ୍ଥାନରେ ସ୍ଥାପନ କରୁଛନ୍ତି। ବିନା କୌଣସି ସରକାରୀ ସହାୟତାରେ ଓ ନିଜସ୍ବ ଉଦ୍ୟମରେ ଗଞ୍ଜାମ ଜିଲ୍ଲା ସମେତ ଖୋର୍ଦ୍ଧା, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସହରରେ ସ୍ବେଚ୍ଛାସେବୀଙ୍କୁ ନେଇ କୃତ୍ରିମବସା ସ୍ଥାପନ କରିଛନ୍ତି। କାଠ, ନଡ଼ିଆ ଖୋଳପା, ବାଉଁଶ, ମାଠିଆ ଭଳି ସାମଗ୍ରୀରେ ଘରଚଟିଆଙ୍କ ପାଇଁ କୃତ୍ରିମ ବସା ତିଆରି କରାଯାଉଥିବା ଶ୍ରୀ ସାହୁ କହିଛନ୍ତି।

ଘରଚଟିଆଙ୍କ ସଂରକ୍ଷଣ ପାଇଁ ତାଙ୍କୁ ୨୦୧୫ରେ ଜାତୀୟସ୍ତରରେ ୱିପ୍ରୋ (ନେଚର୍‌ ଫର୍‌ ଏଭର୍‌) ନାମକ ଏକ ସଂସ୍ଥା ତରଫରୁ ମୁମ୍ବାଇରେ ପୁରସ୍କୃତ କରାଯାଇଛି। ଘରଚଟିଆଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଓଡ଼ିଶା ସରକାର କିଛି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ପରିବେଶ ପ୍ରଦୂଷଣ ସହିତ ମୋବାଇଲ୍‌ ଟାୱାର୍‌ରୁ ସୃଷ୍ଟି ହେଉଥିବା ତରଙ୍ଗ ଏମାନଙ୍କ ପାଇଁ କାଳ ହୋଇଛି। ରବୀନ୍ଦ୍ରଙ୍କ ଉଦ୍ୟମ କ୍ରମେ ଗୋପାଳପୁର‌ ଓ ଆଙ୍କୁଲିର ବିଭିନ୍ନ ସ୍ଥାନରେ କୃତ୍ରିମ ବସା ସ୍ଥାପନ କରାଯାଇଛି। ସ୍ଥାନୀୟ ଲୋକେ ସେଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛନ୍ତି। ସରକାରୀସ୍ତରରେ କିଛି ଉଦ୍ୟମ କରାଗଲେ ଘରଚଟିଆଙ୍କ ସଂଖ୍ୟା ବଢ଼ିବ ବୋଲି ରବୀନ୍ଦ୍ର କହିଛନ୍ତି।

ସେହିପରି କୁକୁଡ଼ାଖଣ୍ଡି ଗୁଣ୍ଠବନ୍ଧର ଆଞ୍ଚଳିକ ବିକାଶ ପରିଷଦ ଯୁବ ସ˚ଗଠନ ଏହାର ପ୍ରୟାସ ପାଇଁ ରୀତିମତ ଉଦ୍ୟମ ଜାରି ରଖିଥିବା ବେଳେ ପ୍ରଶାସନ ଓ ବନବିଭାଗ ବି ଏହାକୁ ସ୍ବାଗତ କରିଛି। ସମୟ କ୍ରମେ ଏହି ସଂଗଠନର ସ୍ବେଚ୍ଛାସେବୀ ମାନେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ବିଭିନ୍ନ ସ୍ଥାନ, ବ୍ରହ୍ମପୁର ମହାନଗର ନିଗମର ଦୁଇଟି ୱାର୍ଡ଼, ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ପାଟିକୋଟା ଗ୍ରାମରେ ୧୦୦୦ରୁ ଅଧିକ କୃତ୍ରିମ ବାସ ସ୍ଥାପନ କରିଛନ୍ତି। ଏହାସହ ୨୦୦ ଖାଦ୍ୟସ୍ଥଳୀ ଓ ୨୦୦ ଜଳପାତ୍ର ବଣ୍ଟନ କରାଯାଇଥିବା ସଭାପତି ସାଗର କୁମାର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର