କଟକ : ବାସହୀନ ଲୋକଙ୍କୁ ଆଶ୍ରୟ ପ୍ରସଂଗକୁ ନେଇ ହାଇକୋର୍ଟରେ ଏକ ଆବେଦନ (ଲେଟର ପିଟିସନ୍) ଦାଖଲ ହୋଇଛି। ‘ମୋ ଓଡ଼ିଶା ମହାନ୍’ର ଦିବ୍ୟଜ୍ୟୋତି ପଲେଇ ଏହି ପିଟିସନ୍ ଦାଖଲ କରିବା ସହିତ ରାସ୍ତାକଡ଼ରେ ରହୁଥିବା ବାସହୀନଙ୍କୁ ଆଶ୍ରୟ, ଖାଦ୍ୟ ଓ ସ୍ବାସ୍ଥ୍ୟସେବା ପ୍ରସଂଗରେ ସୁପ୍ରିମେକାର୍ଟଙ୍କ ୨୦୦୭ର ରାୟ କାର୍ଯ୍ୟକାରୀ ପାଇଁ ନିବେଦନ କରାଯାଇଛି।
ଶ୍ରୀ ପଲେଇ ପିଟିସନ୍ରେ ଦର୍ଶାଇଛନ୍ତି ଯେ, ସହରାଞ୍ଚଳରେ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ୨୦୦୭ରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନ୍ୟାସନାଲ ଅର୍ବାନ ଲାଇଭଲି ହୁଡସ୍ ମିସନ ଅଧୀନରେ ସହରାଞ୍ଚଳର ରାସ୍ତାକଡ଼ରେ ରହୁଥିବା ସମସ୍ତ ଅସହାୟଙ୍କୁ ଖାଦ୍ୟ, ଆଶ୍ରୟ, ଚିକିତ୍ସା ସୁବିଧା ପ୍ରଦାନ ପାଇଁ ସୁପ୍ରିମକୋର୍ଟ କହିଥିଲେ। ରାସ୍ତାକଡ଼ରେ ରହୁଥିବା ଏଭଳି ଅସହାୟ ବ୍ୟକ୍ତିଙ୍କ ସମ୍ବିଧାନର ଧାରା ୨୧ରେ ମୌଳିକ ଅଧିକାର ରହିଥିବାବେଳେ ସେମାନଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ସରକାର ମଧ୍ୟ କେତେକ ସ୍ଥାନରେ ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳ ଆରମ୍ଭ କରିଥିଲେ। ତେବେ, ଏହିସବୁ ସ୍ଥାନରେ ରହିବା ପାଇଁ ବାସହୀନଙ୍କୁ ଆଧାର କାର୍ଡ, ଭୋଟର ପରିଚୟପତ୍ର ଇତ୍ୟାଦି ମଗାଯାଉଛି କିମ୍ବା ୩ରୁ ୪ ଦିନ ପର୍ଯ୍ୟନ୍ତ ରହିବା ପାଇଁ ଅନୁମତି ଦିଆଯାଉଛି। ଯାହାଫଳରେ, ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ରାୟ ତଥା ଏ ସଂପର୍କିତ ନିୟମ ପାଳନ କରି ରାଜ୍ୟର ସମସ୍ତ ବାସହୀନଙ୍କ ପାଇଁ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ନିବେଦନ କରିଛନ୍ତି। ଏ ସଂପର୍କିତ ପିଟିସନକୁ ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ଆଇନଜୀବୀ ଏ.ପି.ମିଶ୍ରଙ୍କ ଆଇନଗତ ମତାମତ (ଲିଗାଲ ଓପିନିଅନ) ପାଇଁ ପଠାଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Odisha-High-Court-5-640x430.jpg)