ଭୁବନେଶ୍ବର/ଅନୁଗୁଳ : ଢେଙ୍କାନାଳ ସେଲ୍ଟର ହୋମ୍ ବିବାଦ ଘନେଇବାରେ ଲାଗିଛି। ଆଜି ଏହି ଘଟଣାରେ ସେଲ୍ଟର ହୋମ୍ର ତିନି ଜଣ ଗିରଫ ହୋଇଥିଲେ ହେଁ ଏହାକୁ ନେଇ ରାଜନୀତି ସରଗରମ୍ ହେଲାଣି। ବିଜେପି ମହିଳା ପ୍ରତିନିଧି ଦଳ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବେଳେ ବିଜେଡି ଏହାର ପାଲଟା ଜବାବ ଦେଇଛି।
ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ନେଇ ବିଜେପି ରାଜନୀତି କରୁଥିବା ଦଳ କହିଛି। ଅନ୍ୟପକ୍ଷରେ, ସମସ୍ତ ପଞ୍ଜୀକୃତ ଓ ଅଣପଞ୍ଜୀକୃତ ସେଲ୍ଟର୍ ହୋମ୍ର ନିୟମିତ ଯାଞ୍ଚ ହେବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି।
େସଲ୍ଟର୍ ହୋମ୍ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହି ଘଟଣାରେ ବିଜେପି ଆଜି ଆକ୍ରମଣାତ୍ମକ ମନୋଭାବ ପୋଷଣ କରିଛି। ବିଜେପି ମହିଳା ମୋର୍ଚ୍ଚାର ସଭାପତି ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ଢେଙ୍କାନାଳସ୍ଥିତ ସେଲ୍ଟର ହୋମ୍ର ଅନ୍ତେବାସୀଙ୍କୁ ଭେଟିବାକୁ ଯାଇଥିଲା। ଘଟଣାର ସରଜମିନ୍ ତଦନ୍ତ କରିବା ସହ ତଥ୍ୟ ସଂଗ୍ରହ ପାଇଁ ଯାଇଥିଲା। କିନ୍ତୁ ଅନ୍ତେବାସୀଙ୍କୁ ଭେଟି ପାରିନଥିଲା। ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାନେତ୍ରୀ ସୁକେଶି ଓରାମ, ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ, ଢେଙ୍କାନାଳ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୋଜ ନଳିନୀ ମହାନ୍ତି ପ୍ରମୁଖ ଥିଲେ।
ସେହିଭଳି, ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲଟର୍ ହୋମ୍ ଅନ୍ତେବାସୀଙ୍କ ପ୍ରତି ଅସଦାଚରଣ ଘଟଣାକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ନିନ୍ଦା କରିଛନ୍ତି। ଏହି ଅଭାବନୀୟ ଘଟଣା ଲାଗି ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ସେ ଦାବି କରିଛନ୍ତି। ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲା ବିରିବୋଲେଇ ପଞ୍ଚାୟତ ସରକାରୀ ଜନତା ଉଚ୍ଚ ବିଦ୍ୟାଳୟ ନୂତନ ଶ୍ରେଣୀ ଗୃହର ଶିଳାନ୍ୟାସ ଉତ୍ସବ ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ସେଲଟର୍ ହୋମ୍ରେ ଅନ୍ତେବାସୀଙ୍କ ପ୍ରତି ଶାରୀରିକ ଅସଦାଚରଣ ଏକ ଦୁଃଖଦ ଘଟଣା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ପ୍ରାୟ ୧୫ କି.ମି. ଦୂରରେ ଏହି ସେଲଟର୍ ହୋମ୍ ଚାଲୁଥିଲା। ଏଥିପାଇଁ କିଏ ଅନୁମତି ଦେଇଥିଲେ ବୋଲି ସେ ପ୍ରଶ୍ନ କରିଥିଲେ। ।
ଅପରପକ୍ଷେ ବିଜେଡି ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଢେଙ୍କାନାଳ ଜିଲ୍ଲା ବେଲାଟିକିରି ଠାରେ ଥିବା ଶିଶୁ ଗୃହର ଅନ୍ତେବାସିନୀମାନଙ୍କ ପ୍ରତି ଅସଦାଚରଣ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେହି ଶିଶୁ ଗୃହକୁ ପୁଲିସ ସିଲ୍ କରିବା ସହ ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ଏଥିସହ ଜିଲ୍ଲା ପ୍ରଶାସନ ଜରିଆରେ ଶିଶୁ ଗୃହର ଅନ୍ତେବାସିନୀମାନଙ୍କୁ କିପରି ଠିକ୍ ଭାବେ ଥଇଥାନ କରାଯାଇପାରିବ ସେଥିନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ବିଜେପି ଏଭଳି ଏକ ସ୍ପର୍ଶକତାର ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ଯେଭଳି ରାଜନୀତିକରଣ କରୁଛି, ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁଃଖଦାୟକ। ଆଗାମୀ ସାଧାରଣ ନିର୍ବାଚନ ଆଉ ତିନି ଚାରି ମାସ ଥିବାବେଳେ ବିଜେପି ଏହି ପ୍ରସଙ୍ଗରୁ ରାଜନୀତି ଫାଇଦା ଉଠାଇବାକୁ ଚେଷ୍ଟା କରୁଛି।
ଛୋଟ ଛୋଟ ଶିଶୁ ଓ ତାଙ୍କ ଭବିଷ୍ୟତକୁ ନେଇ ଏପରି ନିମ୍ନମାନର ରାଜନୀତି ଖେଳ ଖେଳିବାରୁ ବିେଜପି ବିରତ ରହୁ ବୋଲି ଆଜି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।
ଏହି ଘଟଣାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ, ଢେଙ୍କାନାଳର ସେଲ୍ଟର ହୋମ୍ଟି ପଞ୍ଜୀକୃତ ହୋଇନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
ଏଣିକି ପଞ୍ଜୀକୃତ ଓ ଅଣ ପଞ୍ଜୀକୃତ ଅନୁଷ୍ଠାନଗୁଡ଼ିକୁ ନିୟମିତ ଯାଞ୍ଚ କରାଯିବ। ପଞ୍ଜୀକୃତ ହୋଇନଥିବା ଏବଂ ପଞ୍ଜୀକରଣ ହୋଇ ଚାଲୁନଥିବା ସମସ୍ତ ସେଲ୍ଟର ହୋମ୍ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ସରକାରୀ ସେଲ୍ଟର ହୋମ୍ ଗୁଡିକର ଉନ୍ନତିକରଣ କରିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।