ସାରସମାଲ ମଣ୍ଡିରେ ପଡ଼ିରହିଛି ୩୦ ହଜାର ବସ୍ତା ଧାନ, ମିଲର୍ସ ଧାନ ଉଠାଉ ନଥିବା ଅଭିଯୋଗ ଆଣିଲେ ଏସ୍ଏଚ୍‌ଜି

 ଚାଷୀଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି

ଏସ. ରାମପୁର : ଡୁଙ୍ଗୁରିପାଲି ବ୍ଲକ୍‌ ମାୟାବର୍ହା ପଞ୍ଚାୟତ ସାରସମାଲ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ିରହିଛି ୩୦ ହଜାରରୁ ଅଧିକ ବସ୍ତା ଧାନ। ୧୨ ଦିନିଆ ଟୋକନ୍ ଲାପ୍ସ ସାଙ୍ଗକୁ ମୌସୁମୀ ବର୍ଷା ଚାଷୀଙ୍କ ପାଇଁ ବେଡ଼ି ଉପରେ କରୋଡ଼ା ମାଡ଼ ସଦୃଶ ହୋଇଛି। ମିଲର୍ସ ଧାନ ଉଠାଇବାକୁ ଟ୍ରକ୍‌ ପଠାଉ ନଥିବା ବେଳେ ଏସ୍ଏଚ୍‌ଜିମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ପୂର୍ବ ବର୍ଷମାନଙ୍କରେ ମାୟାବର୍ହା ପେକ୍ସରେ ସାରସମାଲ ସମେତ ଧାନବସା, ଜୀବନଦାଦର, ଖଲିଆପାଲି, ମାୟାବର୍ହା ଆଦି ଗ୍ରାମର ଚାଷୀ ପ୍ରଥମେ ଧାନ ବିକ୍ରି କରୁଥିବା ବେଳେ ସେମିତି ବିଶେଷ ଅସୁବିଧା ହେଉନଥିଲା। କିନ୍ତୁ ଯେବେଠୁ ସାଇବାବା ଏସ୍ଏଚ୍‌ଜିକୁ ଧାନ କିଣା ଦାୟିତ୍ବ ମିଳିଛି ସେଦିନ ଠାରୁ ସେମାନେ ହଇରାଣ ହେଉଥିବା ଚାଷୀମାନେ କହିଛନ୍ତି। ଉପରୋକ୍ତ ଏସ୍ଏଚ୍‌ଜି ସାରସମାଲ ଆର୍‌ଏମ୍‌ସି ପ୍ରାଙ୍ଗଣ ଓ ମାୟାବର୍ହାରେ ଧାନ କିଣୁଥିବା ବେଳେ ସାରସମାଲ, ଧାନବସା ଓ ଜୀବନଦାଦରର ଶହ ଶହ ଚାଷୀ ସାରସମାଲ ମଣ୍ଡିକୁ ଧାନ ଆଣି ବିକ୍ରି ଅପେକ୍ଷାରେ ଚାହିଁ ବସିଛନ୍ତି। ଯଦ୍ବାରା ଶହ ଶହ ଚାଷୀଙ୍କ ୩୦ ହଜାରରୁ ଅଧିକ ବସ୍ତା ଧାନ ମଣ୍ଡିରେ ପଡ଼ିରହିଥିବା ଦେଖିବାକୁ ମିଳୁଛି। ଏସ୍ଏଚ୍‌ଜି ସଭାପତିଙ୍କୁ ଏ ବାବଦରେ ପଚାରିବାରୁ ମିଲର୍ସ ସହଯୋଗ କରୁନଥିବା ପାଲଟା ଅଭିଯୋଗ କରିଛନ୍ତି। ତେବେ ଏ ନେଇ ସିଏସ୍ଓ, ଏସିଏସ୍ଓ, ଏମ୍ଆଇ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ଲାଭ ହେଉ ନଥିବା ଅଭିଯୋଗ କରିଛନ୍ତି ଏସ୍ଏଚ୍‌ଜିର ସଦସ୍ୟାମାନେ।

ଶୁକ୍ରବାର ସ୍ଥାନୀୟ ତହସିଲଦାର ପୁରୁଷୋତ୍ତ ମିର୍ଦ୍ଧା, ଏମ୍ଆଇ ଜଗନ୍ନାଥ ଭୋଇ, ପଣ୍ଡକିଟାଲ ଆର୍ଆଇ ପ୍ରମୁଖ ମଣ୍ଡିକୁ ଆସି ଚାଷୀଙ୍କ ସମସ୍ୟା ପଚାରି ବୁଝିଥିବା ବେଳେ ଏସ୍ଏଚ୍‌ଜି ସଦସ୍ୟାଙ୍କୁ ମହଜୁଦ ଧାନ ପରିମାଣ ସଂପର୍କରେ ପଚାରିଥିଲେ। ତେବେ ୨୩,୭୦୦ ବସ୍ତା ଧାନ ମହଜୁଦ ଥିବା ଏସ୍ଏଚ୍‌ଜି ପକ୍ଷରୁ କୁହାଯାଇଥିବା ବେଳେ ଏହାର ପରିମାଣ ୩୦ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏତେ ପରିମାଣର ଧାନ କେଉଁଠୁ ଆସିଲା ଓ ତାହା କେଉଁ ଚାଷୀଙ୍କର ସେ ନେଇ ଏସ୍ଏଚ୍‌ଜି ପାଖରେ କୌଣସି ତଥ୍ୟ ନଥିବା ଜଣାପଡ଼ିଛି। ତେଣେ ଗତ ୧୭ ଓ ୧୮ ତାରିଖର ଧାନ ମଧ୍ୟ ଉଠି ନଥିବା ବେଳେ ପ୍ରାୟ ୨୫ରୁ ୩୦ ଜଣ ଚାଷୀଙ୍କ ଟୋକନ୍ ଲାପ୍ସ ହୋଇଥିବା ସୂଚନା ମିଳିଛି। ତବେ ଚାଷୀଙ୍କ ଟୋକନ ଲାପ୍ସ ନକରି ତାକୁ ଆରାଇଭାଲ କରିଦେଉଛୁ ବୋଲି ଏସ୍ଏଚ୍‌ଜି ସଭାପତି ସୂଚନା ଦେଇଥିବା ବେଳେ ଯେଉଁ ଚାଷୀ ଧାନ ଆଣି ନଥିଲେ ତାଙ୍କର ଟୋକନ ଲାପ୍ସ ହୋଇଛି ବୋଲି କହିଥିଲେ। ଏ ସବୁ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ ଆନ୍ଦୋଳନର ରୂପ ନେବାକୁ ବସିଲାଣି ବୋଲି ଚର୍ଚ୍ଚା ହେଉଛି। ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର