ଜୟପୁର: ମହତ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ସମବାୟ ବ୍ୟାଙ୍କ ଜରିଆରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ଋଣ ପ୍ରଦାନ କରିଥିଲେ। ତାହା ପୁଣି ବିନା ସୁଧରେ। ହେଲେ ଋଣ ନେବା ପରେ ଏସ୍‌ଏଚ୍‌ଜି ଆଉ ପରିଶୋଧ କରିବାର ନାଁ ଧରୁନାହାନ୍ତି । ବକେୟା ଋଣ ପରିମାଣ ୪୦ କୋଟି ଟପିଥିବା ବେଳେ ପ୍ରତି ବର୍ଷ ଖିଲାପକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ କୋରାପୁଟ କେନ୍ଦ୍ରୀୟ ସମବାୟ (କେସିସି) ବ୍ୟାଙ୍କ ଅଭିବୃଦ୍ଧିରେ କଣ୍ଟା ସାଜିଛନ୍ତି ଏସ୍‌ଏଚ୍‌ଜି। ବ୍ୟାଙ୍କ ଜରିଆରେ ଅବିଭକ୍ତ କୋରାପୁଟର ୪ଟି ଜିଲ୍ଲାରେ ୧୪ ହଜାର ୧୭୪ ଏସଏଚଜି ୨୮କୋଟି ୪୦ଲକ୍ଷ ‌ଟଙ୍କା ବକେୟା ରଖିଛନ୍ତି। ସେଭଳି ଏହି ୪ଜିଲ୍ଲାର ୧୯୦୧ ଜଣ ଖିଲାପକାରୀ ଏସଏଚଜି ନାଁରେ ୧୧କୋଟି ୧୪ଲକ୍ଷ ଟଙ୍କା ବକେୟା ରହିଛି। ଏଭଳି ୩୯ କୋଟି ୫୪ଲକ୍ଷ ଟଙ୍କା ବ୍ୟାଙ୍କକୁ ବାକି ରହିଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ।

Advertisment

୨୦୨୩-୨୦୨୪ ଆର୍ଥିକ ବର୍ଷରେ ୪ଟି ଜିଲ୍ଲାର ୧୫୬୦ ଏସ୍‌ଏଚ୍‌ଜିକୁ ୪୧ କୋଟି ୪୪ ଲକ୍ଷ ଋଣ ଦେବାକୁ ଲକ୍ଷ୍ୟ ରଖିଛି ବ୍ୟାଙ୍କ। ସେହିପରି ୧୦୪ଟି ନୂଆ ଏସ୍‌ଏଚ୍‌ଜିକୁ ୧୦ କୋଟି ୧ ଲକ୍ଷ, ୪୬୫ ପୁରୁଣା ଏସ୍‌ଏଚ୍‌ଜିକୁ ନବୀକରଣ କରି ୯କୋଟି ୯୧ଲକ୍ଷ ଏଭଳି ୫୬୯ଟି ଏସ୍‌ଏଚ୍‌ଜିକୁ ୧୦ କୋଟି ୯୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଛି। ଋଣ ପ୍ରଦାନରେ ବ୍ୟାଙ୍କ କୁଣ୍ଠାବୋଧ କରୁନଥିବା ବେଳେ କୋରାପୁଟ ଜିଲ୍ଲାର ୬୧୯୦ ଏସ୍‌ଏଚ୍‌ଜି ୧୪ କୋଟି ୬୧ ଲକ୍ଷ ଟଙ୍କା ସମବାୟ ବ୍ୟାଙ୍କକୁ ‌‌ବକେୟା ରଖିଛନ୍ତି। ନବରଙ୍ଗପୁର ଜିଲ୍ଲାର ୪୦୧୧ ଏସ୍‌ଏଚ୍‌ଜି ୫ କୋଟି ୨୧ ଲକ୍ଷ, ମାଲକାନଗିରି ଜିଲ୍ଲାର ୨୨୨୫ ଏସ୍‌ଏଚ୍‌ଜି ୩ କୋଟି ୮୨ ଲକ୍ଷ, ରାୟଗଡ଼ା ଜିଲ୍ଲାର ୧୭୪୮ ଏସ୍‌ଏଚ୍‌ଜି ୪ କୋଟି ୭୫ ଲକ୍ଷ ଏପରି ୪ ଜିଲ୍ଲା‌ର ୧୪ ହଜାର ୧୭୪ ଏସ୍‌ଏଚ୍‌ଜି ୨୮ କୋଟି ୪୦ ଲକ୍ଷ ବକେୟା ରଖିଥିବା କହିଛନ୍ତି କେସିସି ବ୍ୟାଙ୍କ ପରିଚାଳନା କମିଟିର ସଭାପତି ଇଂ. ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ। ବହୁ ଗୋଷ୍ଠୀ ଋଣ ନେଇ ପରିଶୋଧ କରିବା ସହ ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ ହୋଇଛନ୍ତି।

କିଛି ଏସ୍‌ଏଚ୍‌ଜି ରାଜନୈତିକ ପ୍ରରୋଚନାରେ ଋଣ ପରିଶୋଧ କରୁନାହାନ୍ତି। କ୍ଷତି ସହୁଥିବା ଦର୍ଶାଇଲେ ସରକାର ଋଣ ଛାଡ଼ କରୁଥିବା କହି ଏମାନଙ୍କୁ ଭୁଆଁ ବୁଲାଇବା ଫଳରେ ଏସ୍‌ଏଚ୍‌ଜି ଋଣ ପରିଶୋଧ କରୁ ନାହାନ୍ତି। ଅପରପକ୍ଷରେ କେସିସି ବ୍ୟାଙ୍କରେ କୋରାପୁଟ ଜିଲ୍ଲାର ୧୧୯୨ ଋଣ ଖିଲାପକାରୀ ୭ କୋଟି ୮ଲକ୍ଷ ଟଙ୍କା , ନବରଙ୍ଗପୁର ଜିଲ୍ଲାର ୪୨୮ ଖିଲାପକାରୀ ୨ କୋଟି ୪୨ ଲକ୍ଷ ଟଙ୍କା, ମାଲାକାନଗିରି ଜିଲ୍ଲାର ୧୩୪ ଖିଲାପକାରୀ ୧ କୋଟି ୩ ଲକ୍ଷ ଟଙ୍କା, ରାୟଗଡ଼ା ଜିଲ୍ଲାର ୧୪୭ ଖିଲାପକାରୀ ୫୯ ଲକ୍ଷ ଟଙ୍କା ଏଭଳି ମୋଟ ୧୯୦୧ଜଣ ୧୧ କୋଟି ୧୪ ଲକ୍ଷ ଟଙ୍କା ପରି‌ଶୋଧ କରିନାହାନ୍ତି। ‌ବକେୟା ଓ ଖିଲାପକାରୀଙ୍କଠାରୁ କିପରି ଋଣ ଅର୍ଥ ଆଦାୟ ହେବ ସେ ନେଇ ବ୍ୟାଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ସଭାପତି ଶ୍ରୀ ପାଣିଗ୍ରାହୀ।