ରାଉରକେଲା: ମହିଳାମାନଙ୍କୁ ସ୍ବାବଳମ୍ବୀ କରିବାକୁ ରାଜ୍ୟ ସରକାର ସ୍ବୟଂ ସହାୟକ ଗୋଷ୍ଠି(ଏସ୍‌ଏଚ୍‌ଜି) ଗୁଡ଼ିକୁ ପ୍ରାଥମିକତା ଦେଉଛନ୍ତି। ଏହି କ୍ରମରେ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ବଣ୍ଟନ ମଧ୍ୟ ଏସ୍‌ଏଚ୍‌ଜିକୁ ନ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ବିଜ୍ଞପ୍ତି ବି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ଅଢ଼େଇ ବର୍ଷରୁ ଅଧିକ ସମୟ ବିତିଲାଣି; ତଥାପି ଏହା ଦିବାସ୍ବପ୍ନ ପାଲଟିଛି। ଆଉ ଏହାର ମୁଖ୍ୟ କାରଣ ହେଉଛି ଖୋଦ୍‌ ରାଜ୍ୟ ସରକାରଙ୍କ କଠୋର ମାନଦଣ୍ଡ। ମଧ୍ୟାହ୍ନ ଭୋଜନ ପାଇଁ ଆଗୁଆ ତିନି ମାସର ସିକ୍ୟୁରିଟି ବାବଦକୁ ଅର୍ଥଜମା କରିବା ବାଧ୍ୟତାମୂଳକ ଥିବାରୁ ଏସ୍‌ଏଚ୍‌ଜି ଗୁଡ଼ିକ ଏହି ଦାୟିତ୍ବ ମୁଣ୍ଡେଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଫଳସ୍ବରୂପ ପୂର୍ବଭଳି ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ହାତରେ ମଧ୍ୟାହ୍ନ ଭୋଜନ ବିତରଣ ଦାୟିତ୍ବ ରହୁଥିବାରୁ ବାଟମାରଣା ହେବାର ଆଶଙ୍କା ରହୁଛି।

Advertisment

କରୋନା ମହାବାରୀ ପୂର୍ବରୁ, ଅର୍ଥାତ୍‌ ୨୦୧୯ ନଭେମ୍ବର ଶେଷ ଆଡ଼କୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ। ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଥା ଶିକ୍ଷାବିଭାଗ, ସିଡିପିଓ, ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସହଯୋଗରେ ଯୋଗ୍ୟ ଏସ୍‌ଏଚ୍‌ଜିମାନଙ୍କୁ ଚୟନ କରି ସେମାନଙ୍କ ମାଧ୍ୟମରେ ମଧ୍ୟାହ୍ନଭୋଜନ ବଣ୍ଟନ କରାଯିବାର ନିର୍ଦ୍ଦେଶ ରହିଥିଲା। ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍‌ ୨୩୨୪ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥିମକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏସ୍‌ଏଚ୍‌ଜି ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ସ୍କୁଲ ପାଇଁ ମୋଟ୍‌ ୨୪୧ଟି ଏସ୍‌ଏଚ୍‌ଜିକୁ ଚୟନ କରାଯାଇଥିବାବେଳେ ମାତ୍ର ୯୭ଟି ଏସ୍‌ଏଚ୍‌ଜି ଏଥିରେ ସହମତି ପ୍ରକାଶ କରିବାସହ ରାଜିନାମା‌ କରିଥିଲେ। ଅବଶ୍ୟ, ଏହାପରେ କୋଭିଡ୍‌ ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହେବାରୁ ଏ ଦିଗରେ ଆଉ ପ୍ରଶାସନ ଦୃଷ୍ଟି ଦେଇନଥିଲା। ଇତିମଧ୍ୟରେ କୋଭିଡ୍‌ ମହାମାରୀ ଶିଥିଳ ପଡ଼ିଯାଇଥିବାବେଳେ ସ୍କୁଲଶିକ୍ଷା ବି ଆରମ୍ଭ ହୋଇଗଲାଣି। ତେବେ, ଏବେ ମଧ୍ୟ ଏହି ପ୍ରକ୍ରିୟା ଆଗେଇ ପାରୁନି। ଦାୟିତ୍ବ ନେବାକୁ ନୂଆ ଏସ୍‌ଏଚ୍‌ଜି ପଛଘୁଞ୍ଚା ଦେଉଥିବାବେଳେ ପୂର୍ବରୁ ଚୁକ୍ତି କରିଥିବା କିଛି ଏସ୍‌ଏଚ୍‌ଜି ମଧ୍ୟ ଏଥିରୁ ଓହରିଗଲେଣି। ଏହାର ଏକମାତ୍ର କାରଣ ହେଲା, ତିନିମାସର ଅଗ୍ରୀମ ଟଙ୍କା ପୈଠ କରିବାର କଠୋର ନିୟମ। ନିୟମାନୁଯାୟୀ, ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ଅନୁସାରେ ସରକାରଙ୍କ ପକ୍ଷରୁ ଚାଉଳ ଆବଣ୍ଟିତ ହୋଇଥାଏ। ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ଶହେ ଗ୍ରାମ ଓ ୬ରୁ ୮ ଶ୍ରେଣୀ ପିଲାଙ୍କ ପାଇଁ ୧୫୦ ଗ୍ରାମ ଚାଉଳ ଦିଆଯାଏ। ଏତଦ୍‌ବ୍ୟତୀତ ଡାଲି, ତେଲ, ପନିପରିବା, ଅଣ୍ଡା ଆଦି ବାବଦକୁ ୧-୫ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୫ ଟଙ୍କା ୪୨ ପଇସା ଓ ୬-୮ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୮ ଟଙ୍କା ୧୦ ପଇସା ଅନୁଦାନ ଆସିଥାଏ। ତେବେ ସାମଗ୍ରୀ ନେବା ପୂର୍ବରୁ ସିକ୍ୟୁରିଟି ବାବଦକୁ ଏସ୍‌ଏଚ୍‌ଜିଗୁଡ଼ିକୁ ତିନିମାସର ଆଗୁଆ ଟଙ୍କା ପୈଠ କରିବା ବାଧ୍ୟତାମୂଳକ। ଅର୍ଥାତ୍‌, ହିତାଧିକାରୀ ସଂଖ୍ୟା ଅନୁଯାୟୀ ଏସ୍‌ଏଚ୍‌ଜିଗୁଡ଼ିକୁ ୪୦/୫୦ ହଜାରରୁ ଆରମ୍ଭକରି ଲକ୍ଷେ ପର୍ଯ୍ୟନ୍ତ ଦେବାକୁ ପଡ଼ିବ। ଏତେ ପରିମାଣର ଅଗ୍ରୀମ ଅର୍ଥ ପୈଠ କରିବାକୁ ଅସମର୍ଥ ପ୍ରକାଶ କରି ଏସ୍‌ଏଚ୍‌ଜିଗୁଡ଼ିକୁ ଏଥିରୁ ପଛଘୁଞ୍ଚା ଦେଉଛନ୍ତି।

ଏସ୍‌ଏଚ୍‌ଜିଗୁଡ଼ିକ ଏମ୍‌ଡିଏମ୍‌ ବଣ୍ଟନ କରିବାକୁ ଅମଙ୍ଗ ହେଉଥିବାରୁ ସ୍କୁଲ ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ମାର୍ଫତରେ ମଧ୍ୟାହ୍ନ ଭୋଜନ ବଣ୍ଟନ ହେଉଛି। ଉଲ୍ଲେଖଯୋଗ୍ୟ, ସ୍କୁଲ କର୍ତୃପକ୍ଷ-ପରିଚାଳନା କମିଟି ପାଇଁ କିନ୍ତୁ ଆଗୁଆ ଟଙ୍କା ଜମା କରିବାକୁ ପଡ଼ୁନି। ଏମାନେ ପୂର୍ବ ଢ଼ାଞ୍ଚାରେ ନିଜ ମନ ମୁତାବକ ବଣ୍ଟନ କରୁଛନ୍ତି। ଫଳରେ ଭିନ୍ନ ଭିନ୍ନ ସମୟରେ ଏମ୍‌ଡିଏମ୍‌ ଅର୍ଥ, ସାମଗ୍ରୀ ବାଟମାରଣା ହେଉଥିବାର ଅଭିଯୋଗ ହେଉଛି। ବିଗତ ଦିନରେ ସରସ୍ବତୀ ପୂଜା ଭଳି ଛୁଟି ଦିନରେ ମଧ୍ୟ ମଧ୍ୟାହ୍ନ ଭୋଜନ ବଣ୍ଟାଯାଇଥିବା ଦର୍ଶାଇ ଏକ ସ୍କୁଲ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଥିଲେ। ଆମ ପାଖରେ ଅର୍ଥାଭାବ ରହିଛି। ଏଭଳି ସ୍ଥିତିରେ ଆମେ ଏତେ ଟଙ୍କା କେଉଁଠୁ ଆଣି ଜମା କରିବୁ? ଆଗୁଆ ଜମା କରିବା ନିୟମକୁ କୋହଳ କଲେ ସ୍ବେଚ୍ଛାକୃତଭାବେ ମଧ୍ୟାହ୍ନଭୋଜନ ବଣ୍ଟନ କରିବୁବୋଲି କିଛି ଏସ୍‌ଏଚ୍‌ଜି ସୂଚନା ଦେଇଛନ୍ତି।