ହର ଘର ତ୍ରିରଙ୍ଗା ଅଭିଯାନରେ ସାମି‌ଲ ହେଲେ ଏସ୍‌ଏଚ୍‌ଜି ମହିଳା, ତିଆରି କଲେ ୨.୫୦ ଲକ୍ଷ ପତାକା

ବାଲେଶ୍ବର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ସମଗ୍ର ଦେଶରେ ପାଳନ ହେଉଛି। ଏହି ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ସମସ୍ତେ ଉତ୍ସୁକ ଓ ଗର୍ବିତ। ତ୍ରିରଙ୍ଗା କ୍ରୟ କରି ଜାତୀୟ ପତାକାର ସମ୍ମାନ ଓ ଜାତୀୟ ଏକତାକୁ ରକ୍ଷା କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ସହିତ ହର ତ୍ରିରଙ୍ଗା ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି। ଏହି ଅବସରରେ ରାଜ୍ୟକୁ ୩୦ ଲକ୍ଷ ପତାକା ତିଆରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିବା ବେଳେ ବାଲେଶ୍ବର ଜିଲ୍ଲାକୁ ୨ ଲକ୍ଷ ୫୦ ହଜାର ପତାକା ତିଆରି ପାଇଁ ନିର୍ଦ୍ଦେଶ ରହିଛି। ବାଲେଶ୍ବର ଜିଲ୍ଲାର ପାଖାପାଖି ୪ ଶହ ମହିଳା ଜାତୀୟ ପତାକା ତିଆରି କରିବାରେ ସାମିଲ ହୋଇଛନ୍ତି। ଜିଲ୍ଲାର ୨୬ଟି ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ଏଥିରେ ସାମିଲ ହୋଇ ପତାକା ତିଆରି କରିଛନ୍ତି। ଗ୍ରୁପ୍‌ର ମହିଳାମାନେ ୧୦/୧୨ ଦିନ ଭିତରେ ପତାକା ତିଆରି କରିଛନ୍ତି। ଦେଶ ପାଇଁ ପତାକା ବନାଇବା ନେଇ ମହିଳାମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିବା ବେଳେ ସେମାନଙ୍କ ପାଇଁ ଏହା ରୋଜଗାରର ବାଟ ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର