ରାୟଗଡା: ଏହି ବ୍ଲକର ପେନିକଣା ଗ୍ରାମରେ ଗତ ୨୦୧୦ ମସିହାରେ ଇନ୍ଦ୍ର ମା’ ସ୍ବୟଂ ସହାୟକ ଗୋଷ୍ଠୀ ଗଢ଼ି ଉଠିଥିଲା। ସେତେବେଳେ ୧୦ ଜଣରେ ଗଢ଼ି ଉଠିଥିବା ଏହି ସ୍ବୟଂ ସହାୟକ ଗୋଷ୍ଠୀରେ ଏବେ ୧୨ ଜଣ ସଦସ୍ୟା ରହିଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ବ୍ୟବସାୟ କରି ଏହି ଗୋଷ୍ଠୀ ସ୍ବାବଲମ୍ବୀ ହୋଇଥିବା ବେଳେ ଏବେ ଅଂଗନବାଡ଼ି ଓ ସ୍କୁଲ ପିଲାଙ୍କ ପାଇଁ ୟୁନିଫର୍ମ ତିଆରି କରି ବେଶ ଦିପଇସା ରୋଜଗାର କରିପାରୁଛନ୍ତି। ସଭାପତି ବିହୁଳା ନାଗଙ୍କ ନେତୃତ୍ବରେ ଶାନ୍ତିମା ପାସପୁରେଡି, ଲକ୍ଷ୍ମୀ ପାସପୁରେଡି, ମୀନତି ନାଗ, ତୁଳସା ନାଗ, କୁମାରୀ ନାଗ, ଫୁଲନ୍ତି ନାଗ, ମଞ୍ଜୁଳା ନାଗ, ଶୁଭଶ୍ରୀ ନାଗ, ଲଳିତା ପାଲକା, ଆରତୀ ପାଲକା ଏବଂ ସୁମିତ୍ରା ପାସପୁରେଡି ମିଳିତ ଭାବେ କାମ କରନ୍ତି।
ରାୟଗଡା ବଜାରରୁ ୟୁନିଫର୍ମ କପଡା ଖରିଦ କରି ପିଲାଙ୍କ ପାଇଁ ୟୁନିଫର୍ମ ସିଲାନ୍ତି। ଏହି ଗୋଷ୍ଠୀ ନିକଟରେ ପ୍ରାୟ ୪ରୁ ୫ଟି ସିଲେଇ ମେସିନ ରହିଛି। ସମସ୍ତ ସଦସ୍ୟାମାନେ ଏକତ୍ର ହୋଇ କିଛି କପଡା କାଟୁଥିବା ବେଳେ ଅନ୍ୟମାନେ ସିଲେଇ କାମରେ ବ୍ୟସ୍ତ ରହନ୍ତି। ନିଜର ଘର କାମ ସାରି ଏମାନେ ଗୋଷ୍ଠୀର କାମ କରିବାକୁ ଆସନ୍ତି। ବର୍ତ୍ତମାନ କିଛି ମାସ ହେଲା ଏହି ନୂଆ ବ୍ୟବସାୟ ଆରମ୍ଭ ହୋଇଥିବାରୁ ଏହା ବେଶ ଲାଭ ଜନକ ହେବାର ଆଶା ରଖିଛନ୍ତି ଇନ୍ଦ୍ର ମା’ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ। ନିଜ ପଞ୍ଚାୟତର ହାତଗଣତି ଅଙ୍ଗନବାଡି ଏବଂ ସ୍କୁଲକୁ ନେଇ ୟୁନିଫର୍ମ ସିଲେଇବା ଆରମ୍ଭ କରିଛନ୍ତି। ପ୍ରଥମେ ୨ ଲକ୍ଷ ଋଣ ଆଣି ବ୍ୟବସାୟ ଆରମ୍ଭ କରି ଋଣ ସୁଝିବା ପରେ ୩ ଲକ୍ଷ ଋଣ ଆଣି ତାକୁ ମଧ୍ୟ ସୁଝିଥିବା କହନ୍ତି। ଏବେ ୫ ଲକ୍ଷ ଋଣ ଆଣି ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି।
ତେବେ ବର୍ଷକୁ ପ୍ରାୟ ୧୦ ଲକ୍ଷ ଟଂକାର ବ୍ୟବସାୟ ହେବାର ଆଶା କରାଯାଇଛି। ଏହା ସଫଳ ହେଲେ ଆଗକୁ ଆହୁରି ବ୍ୟବସାୟକୁ ବୃଦ୍ଧି କରି ୨୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚାଇବେ ବୋଲି କହନ୍ତି। ତେବେ ସରକାରଙ୍କ ତରଫରୁ ସଦସ୍ୟମାନଙ୍କୁ ତାଲିମ ଏବଂ ଅତ୍ୟାଧୁନୀକ ସିଲେଇ ମେସିନ ଯୋଗାଇ ଦେଲେ କାମ ଶୀଘ୍ର ହୋଇପାରନ୍ତା ବୋଲି କହିଥିଲେ। ନିଜର ବୋଲି ଘର ନଥିବାରୁ ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ବସି ସିଲେଇ କରୁଥିବା ଦେଖିବାକୁ ମିଳିଛି। ତେବେ ସରକାରଙ୍କ ତରଫରୁ ଏକ କମ୍ୟୁନିଟି ହଲ ନିର୍ମାଣ କରାଗଲେ ସେଠାରେ ବସି ନିଜେ ସିଲେଇ କରିବା ସହ ଅନ୍ୟ ଯୁବତୀମାନଙ୍କୁ ମଧ୍ୟ ସିଲେଇ ତାଲିମ ପ୍ରଦାନ କରାଯାଇପାରନ୍ତା ବୋଲି ସଦସ୍ୟାମାନେ କହିଥିଲେ। ଏହି ଅଂଚଳର ବେକାର ଯୁବତୀମାନେ ତାଲିମ ନେଇ ନିଜେ ସ୍ବାବଲମ୍ବୀ ହେବା ସହ ଘର ଚଳାଇବାରେ ସହାୟକ ହୋଇପାରିବେ। ତେବେ ଇନ୍ଦ୍ର ମା’ ଏସଏଚଜିର ଏହି ପ୍ରୟାସ ଆଗକୁ ଆହୁରି ଆଗକୁ ଯିବ ଏତିକି କାମନା।