ଭୁବନେଶ୍ବର: ସମବାୟ ବ୍ୟାଙ୍କ ଉପରେ ନିର୍ଭରଶୀଳ ଗ୍ରାମ୍ୟ ଏବଂ କୃଷି ଅର୍ଥନୀତି। ଉପରେ ବୋଝ ହେଲେଣି ଏସ୍‌ଏଚ୍‌ଜି। ଏକଥା ଆମେ କହୁନାହୁଁ। ସମବାୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, ଋଣ ବାକି ରଖିଥିବା ଏସ୍‌ଏଚ୍‌ଜିଙ୍କ ସଂଖ୍ୟା ବର୍ତ୍ତମାନ ୪୦ ହଜାର ୭୩୨ରେ ପହଞ୍ଚିଛି। ପ୍ରତିବର୍ଷ ଏହି ସଂଖ୍ୟା ଯେଉଁଭଳି ବୃଦ୍ଧି ପାଉଛି, ଏହା ସମବାୟ ବ୍ୟାଙ୍କମାନଙ୍କୁ ଖୁବ୍‌ଶୀଘ୍ର ଦେବାଳିଆ କରିଦେଇପାରେ। ମହିଳା, କିନ୍ନର, ଭିନ୍ନକ୍ଷମ, କୁଷ୍ଠାକ୍ରାନ୍ତ ଭଳି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ବ୍ୟବସାୟ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ପାଇଁ ଗଠନ କରାଯାଉଛି ସ୍ବୟଂସହାୟକ ସମୂହ (ଏସ୍‌ଏଚ୍‌ଜି)। ଟଙ୍କା ଅଭାବ କୌଣସି ଏସ୍‌ଏଚ୍‌ଜିଙ୍କ ଉଦ୍ୟମତାକୁ ପ୍ରଭାବିତ ନ କରୁ, ଏଥିପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସରକାର ୨୦୧୯ ମସିହାରୁ ଏସ୍‌ଏଚ୍‌ଜିମାନଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଦେଉଛନ୍ତି। ଏହା ପୂର୍ବରୁ ୨୦୧୩ ମସିହାରୁ ୨% ଏବଂ ୨୦୧୫ ମସିହାରୁ ୧% ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଥିଲା।

Advertisment

ସବୁଠାରୁ ବଡ଼ କଥା ହେଲା, କେବଳ ମହିଳା ନୁହଁନ୍ତି, ସବୁପ୍ରକାର ଏସ୍‌ଏଚ୍‌ଜି ରିହାତି ସୁଧର ଲାଭ ନେବାର ବ୍ୟବସ୍ଥା ଅଛି। ହେଲେ ସରକାର ଧୀରେ ଧୀରେ ଏହାକୁ ସଙ୍କୁଚିତ କରି ୨୦୨୨ରୁ କେବଳ ମହିଳା ଏସ୍‌ଏଚ୍‌ଜିଙ୍କୁ ଋଣ ପ୍ରଦାନ କରୁଛନ୍ତି। ପରିସଂଖ୍ୟାନ କହୁଛି, ସୁଧମୁକ୍ତ ଋଣ ପାଇଥିବା ଅନ୍ୟ ଏସ୍‌ଏଚ୍‌ଜିଙ୍କ ସଂଖ୍ୟା ୨୦୧୯ ମସିହାରେ ୧୩ ହଜାର ୯୩୯ରୁ ୯୨୦, ୨୦୨୦ରେ ୧୫ ହଜାର ୯୦୧ରୁ ୧୯ ଏବଂ ୨୦୨୧ରେ ୧୪ ହଜାର ୯୮୨ରୁ ମାତ୍ର ୨୨ ଥିଲା। ୨୦୨୨ ରେ ଋଣ ପାଇଥିବା ସମସ୍ତ ୧୮ ହଜାର ୦୮୬ ଏସ୍‌ଏଚ୍‌ଜି ମହିଳା ଗ୍ରୁପ୍‌ ଅଟନ୍ତି। ଦେଖାଯାଉଛି ଯେ କିଛି ମହିଳା ଅଭିନବ ବ୍ୟବସାୟ କରି ଉଦାହରଣ ସୃଷ୍ଟି କରୁଛନ୍ତି। ହେଲେ ଅଧିକାଂଶ ଏସ୍‌ଏଚ୍‌ଜି ଶାସକ ଦଳର ହାତବାରିସି ସାଜି ବ୍ୟବସ୍ଥାକୁ ମୋଡ଼ି ଦେଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଋଣ ନେଇ ଆଉ ଫେରାଇବାର ନାଁ ଧରୁନାହାନ୍ତି। ସରକାରଙ୍କ ରିପୋର୍ଟ କହୁଛି, ୨୦୧୯ ବେଳକୁ ଋଣ ବକେୟା ପରିମାଣ ୨୪୭ କୋଟି ୫୪ ଲକ୍ଷ ଟଙ୍କା ଥିଲା। ୨୦୨୦ ବେଳକୁ ଏହା ବୃଦ୍ଧି ପାଇ ୩୨୮ କୋଟି ୭୫ଲକ୍ଷ, ୨୦୨୧ରେ ୩୯୬ କୋଟି ୫୩ ଲକ୍ଷ ଛୁଇଁଥିବା ବେଳେ ୨୦୨୨ ବେଳକୁ ୪୮୦ କୋଟି ୯୭ ଲକ୍ଷ ଟଙ୍କା ଛୁଇଁ ଯାଇଛି।

ରାଜ୍ୟ ସରକାର ଏମାନଙ୍କୁ ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଏମାନଙ୍କ ଉପସ୍ଥିତି ସରକାରଙ୍କ ପ୍ରତି ଜନସମର୍ଥନ ବୋଲି ବିବେଚନା କରାଯାଉଛି। ସେପଟେ କିନ୍ତୁ ସମବାୟ ବିଭାଗର ଏହି ରିପୋର୍ଟ ଏମିତି ବୟାନ କଲାଣି। ନିକଟରେ ଅବସର ନେଇଥିବା କିଛି ବିଭାଗର ଅଧିକାରୀଙ୍କ ମତରେ, କିଛି ଏସ୍‌ଏଚ୍‌ଜି ସରକାରଙ୍କ ସୁଧମୁକ୍ତ ଋଣରେ ବ୍ୟବସାୟ ନକରି ମହାଜନ ଭଳି ମାତ୍ରାଧିକ ସୁଧ ହାରରେ ଋଣ ଲଗାଉଛନ୍ତି। ଧାନ ସଂଗ୍ରହରେ କଳା ତାଲିକାଭୁକ୍ତ ଏସ୍‌ଏଚ୍‌ଜିଙ୍କ ସଂଖ୍ୟା ବଢ଼ିବା ସହ ସେମାନଙ୍କ ଉପରେ ବକେୟା ରାଶି ମଧ୍ୟ ବଢ଼ି ଚାଲିଛି। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏବେ ସରକାରଙ୍କ ପୂର୍ଣ୍ଣ ସମର୍ଥନ ଥିବା କାରଣରୁ ଋଣ ପରିଶୋଧ ଖିଲାପ କରୁଥିବା ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ। ମହିଳା କେତେ ସ୍ବାବଲମ୍ବୀ ହେବେ, ତାହା ଭିନ୍ନ କଥା। କିନ୍ତୁ ଋଣ ଦେଇଥିବା ସଂସ୍ଥାମାନେ ଯେ ଦେବାଳିଆ ହେବାକୁ ଆଉ ବେଶି ଦିନ ନାହିଁ, ଏକଥା ସରକାର ଏବେଠୁ ଚେତିବା ଉଚିତ୍ ବୋଲି ବିଶେଷଜ୍ଞମାନେ ମତ ରଖିଲେଣି।