ଭୁବନେଶ୍ବର,(ଗାର୍ଗୀ ଶତପଥୀ): ଗୋଦାମ, ପିଣ୍ଡି କି ବୈଷୟିକ ସୁବିଧା ତ ଦୂରର କଥା କାହାରିବି ଅଫିସ ଗୃହଟିଏ ନାହିଁ। କିନ୍ତୁ ରାଜ୍ୟର ୧୩ ଶହ ଏସଏଚଜି ୪୦୦୦ କୋଟି ଟଙ୍କାର ଧାନ ସଂଗ୍ରହ କରୁଛନ୍ତି। ୨୦୨୩ ମସିହାରେ ୨ ହଜାର ଏସଏଚଜି ପାଇଁ ୬ ହଜାର କୋଟି ଟଙ୍କାର ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏହା ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବ ନା ଧାନ ସଂଗ୍ରହ ପାଇଁ ବିକଳ୍ପ ଏଜେନ୍ସି ତିଆରି କରାଯାଉଛି ବୋଲି କୁହାଯିବ? ଲକ୍ଷ୍ୟ ଯେତେ ମହତ ହେଉନା କାହିଁକି ବିନା ଭିତ୍ତିଭୂମିରେ ଧାନ ସଂଗ୍ରହ ଭଳି ଜଟିଳ ପ୍ରକ୍ରିୟାରେ ଗୋଟିଏ ସଂସ୍ଥା ସାମିଲ କରିବା କେତେ ଠିକ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏଥିଯୋଗୁଁ ଅନେକ ସମୟରେ ବିନା ଦୋଷରେ ଏସଏଚଜି ସଂସ୍ଥାମାନେ କେତେବେଳେ କଳା ତାଲିକାଭୁକ୍ତ ହେଉଛନ୍ତି କେତେବେଳେ ଚାଷୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଏଜେନ୍ସି ଭାବରେ ପେକ୍ସ ଧାନ ସଂଗ୍ରହ କରିଥାଏ। ୨୦୧୮ ମସିହା ରବିରେ ପ୍ରଥମ କରି କଳାହାଣ୍ଡି ଜିଲ୍ଲାର ୧୭ଟି ଗ୍ରାମ ପଞ୍ଚାୟତରେ ୧୭ଟି ଏସଏଚଜି ୪୩ କୋଟି ଟଙ୍କାର ସମୁଦାୟ ୨ ଲକ୍ଷ ୪୭ ହଜାର ୧୯୬ କ୍ବିଣ୍ଟାଲ ଧାନ ସଂଗ୍ରହ କରିଥିଲେ। ଏଥିରେ ସେମାନଙ୍କୁ ୭୭.୨୫ ଲକ୍ଷ ଟଙ୍କା କମିସନ ମିଳିଥିଲା ଯାହାକି ଗ୍ରୁପ ପିଛା କମିସନ ୪.୫ ଲକ୍ଷ ଥିଲା। ଏହାପରେ ୨୦୧୯ ମସିହା ଖରିଫରେ ୧୧ଟି ଜିଲ୍ଲାରେ ୧୯୯ଟି ଏସଏଚଜି ୪୧୯ କୋଟି ଟଙ୍କାର ୨୩ ଲକ୍ଷ କ୍ବିଣ୍ଟାଲ, ରବିରେ ୮ଟି ଜିଲ୍ଲାର ୧୧୨ ଗ୍ରାମପଞ୍ଚାୟତରେ ୧୧୩ ଏସଏଚଜି ୩୧୯ କୋଟି ଟଙ୍କାର ୧୭.୫୮ ଲକ୍ଷ କ୍ବିଣ୍ଟାଲର ଧାନ ସଂଗ୍ରହ କରିଥିଲେ। ଏହାପର ଠାରୁ ଧାନ ସଂଗ୍ରହରେ ଅଧିକରୁ ଅଧିକ ସଂଖ୍ୟକ ଏସଏଚଜିଙ୍କୁ ସାମିଲ କରାଯାଉଛି।
ଗତବର୍ଷ ବିଭିନ୍ନ ଦାବି ନେଇ ଯେତେବେଳେ ପେକ୍ସମାନେ ଆନ୍ଦୋଳନ କରିଥିଲେ, ଏସଏଚଜି ଜରିଆରେ ସରକାର ଧାନ ସଂଗ୍ରହ କରିବେ ବୋଲି ଘୋଷଣା କରିଥିଲେ। ଚାଷୀ ସଙ୍ଗଠନ ପକ୍ଷରୁ ପ୍ରଶ୍ନ କରାଯାଉଛି, ଧାନ ସଂଗ୍ରହ ନିୟମ ଅନୁଯାୟୀ, ଚାଷୀ ମଣ୍ଡିକୁ ଧାନ ଆଣିବାଠାରୁ ପ୍ରାପ୍ୟ ମିଳିବା ପର୍ଯ୍ୟନ୍ତ ସବୁ ଦାୟିତ୍ବ କ୍ରୟକାରୀ ସଂସ୍ଥାର। ଅନେକ ସମୟରେ ମିଲରମାନେ ଧାନ ନିଅନ୍ତି ନାହିଁ, ସେହି ସମୟରେ ଗୋଦାମ ଗୃହରେ ଧାନ ରଖିବାକୁ ପଡ଼େ। ଶହ-ଶହ କ୍ବିଣ୍ଟାଲ ଧାନ ଆସୁଥିବାରୁ ତା’ର ଓଜନ, ହିସାବ, ଗୁଣାତ୍ମକମାନର ଯାଞ୍ଚ ସବୁ ଜରୁରୀ। ଏଭଳି ସ୍ଥିତିରେ ଏସଏଚଜିଙ୍କ ପାଖରେ ଦକ୍ଷ ମାନବ ସମ୍ବଳ ଅର୍ଥାତ ଡାଟା ଏଣ୍ଟ୍ରି ଅପରେଟର, କ୍ରୟ ପାଇଁ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀ, ଓଜନ ମେସିନ, ମଇସ୍ଚର ମିଟର, ମିନି ଗ୍ରେଡର, ସିମ୍ପଲ ଡିଭାଇଡର, ଗୋଦାମ, ପିଣ୍ଡି, ଇଣ୍ଟରନେଟ ସଂଯୋଗ ବ୍ୟବସ୍ଥା ରହିବା ନିହାତି ଜରୁରୀ। କିନ୍ତୁ ରାଜ୍ୟର ଅଧିକାଂଶ ଏସଏଚଜିଙ୍କ ନିଜସ୍ବ କାର୍ଯ୍ୟାଳୟ ମଧ୍ୟ ନାହିଁ। ବାକି ସୁବିଧା କ’ଣ ରହିବ? କିଛି ଏସଏଚଜି ପେକ୍ସ କାର୍ଯ୍ୟାଳୟତ ଆହୁ କିଛି ନିଜ ଘରେ ଧାନ ସଂଗ୍ରହ କରୁଛନ୍ତି। କେବଳ କମ୍ପୁଟର ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀ ରହୁଛନ୍ତି ହେଲେ ଅନ୍ୟ କୌଣସି ଭିତ୍ତିଭୂମି ରହୁନାହିଁ। କାଗଜପତ୍ରରେ ଟାର୍ଗେଟ ଅନୁସାରେ କ୍ରୟ କରାଯାଉଥିବା ଦେଖାଯାଉଛି। ଏଭଳି ସ୍ଥିତିରେ ଧାନ ସଂଗ୍ରହ ସମୁଦାୟ ପ୍ରକ୍ରିୟାରେ ଦଲାଲ ଏବଂ ମିଲର୍ସଙ୍କ ଏକଚାଟିଆ ଅଧିକାର ରହିଯାଉଛି। ଚାଷୀ ଶୋଷିତ ହେଉଛନ୍ତି। ଯାହାଙ୍କ ନାମରେ ଏତେ କୋଟି ଟଙ୍କାର କ୍ରୟ-ବିକ୍ରୟ ହେଉଛି ସେମାନେ ଅନେକ ସମୟରେ କିଛି ଜାଣି ପାରୁନଥିବା ଅଭିଯୋଗ ହେଉଛି। ଧାନ ଯେତବେଳେ ବ୍ୟାପକ କଟନିଛଟନି ହେଉଛି ପ୍ରାପ୍ୟରେ ସମସ୍ୟା ହେଉଛି ଚାଷୀଙ୍କ ଆକ୍ରୋଶ ଏସଏଚଜିଙ୍କ ଉପରେ ପଡ଼ୁଛି।
୨୦୨୦ ମସିହାରେ ସମ୍ବଲପୁର ଜିଲ୍ଲା ଉଚକାପାଟରେ ଧାନ କ୍ରୟ ପ୍ରକ୍ରିୟାରେ ଦଲାଲ ଯୋଗୁଁ ଚାଷୀ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିଲେ। ମାତ୍ର ସେହି ଧାନ ସଂଗ୍ରହ ଏସଏଚଜିମାନେ ସଂଗ୍ରହ କରିଥିବାରୁ ସେମାନଙ୍କୁ କଳା ତାଲିକାଭୁକ୍ତ କରିବା ସହିତ ଜରିମାନା ଲଗାଯାଇଥିଲା। ଚାଷୀ ନେତା ଅଶୋକ ପ୍ରଧାନଙ୍କ ଅନୁସାରେ, ପେକ୍ସରେ ଅଭିଜ୍ଞ ସରକାରୀ କର୍ମଚାରୀ ରହୁଛନ୍ତି। ଧାନ ସଂଗ୍ରହର ଏଜେଣ୍ଟ ହେଉଥିବା ଏସଏଚଜିଙ୍କୁ ଆର୍ଥିକ ଭାବରେ କ୍ଷମତାଶାଳୀ ହେବା ଦରକାର। ଧାନ ସଂଗ୍ରହରେ ଏସଏଚଜିଙ୍କୁ ସାମିଲ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ପେକ୍ସ ଭଳି ଧାନ ସଂଗ୍ରହ କରୁଥିବା ଏସଏଚଜିଙ୍କୁ ଭିତ୍ତିଭୂମି ଯୋଗାଇ ଦେବା ଉଚିତ। ନଚେତ ଧାନ ସଂଗ୍ରହରେ ଏସଏଚଜି ସାମିଲ ହେବା ପ୍ରହସନ ହୋଇ ପଡ଼ୁଛି।
ମିସନ ଶକ୍ତି ପକ୍ଷରୁ କୁହାଯାଇଛି, ଧାନ ସଂଗ୍ରହ ଦାୟିତ୍ବରେ ଥିବା ଏସଏଚଜିର ସଦସ୍ୟାମାନେ ବାୟୋମେଟ୍ରିକ୍ସ ଚେକ, ଅନଲାଇନ ଅପରେସନ, ଧାନ ବସ୍ତା ଓଜନ, ଆର୍ଦ୍ରତା ମାପିବା, ଡକ୍ୟୁମେଣ୍ଟେସନ ପ୍ରତ୍ୟେକ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ଧାନ ସଂଗ୍ରହରେ ଏସଏଚଜି ସାମିଲ ହେବା ଫଳରେ କମିସନ ପାଇ ସେମାନେ ଆର୍ଥିକ ଭାବରେ ଶକ୍ତିଶାଳୀ ହେଉଛନ୍ତି।