ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ଖଡ଼ିଆଳ ବ୍ଲକ ସମେତ ଜିଲ୍ଲାର ୩୬ ଜଣଙ୍କ ଅଭିଯୋଗକୁ ଗ୍ରହଣ କରି ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ସ୍ୱଧାଦେବ ସିଂ ନିର୍ଦ୍ଦେଶ ଦେଇଛନ୍ତି। କୋମନା ବ୍ଲକ ବୁଦ୍ଧିକୋମନା ପଞ୍ଚାୟତ ଡୁଙ୍ଗରିପାଲି ଗ୍ରାମରେ ୨୬ଟି ସ୍ବୟଂ ସହାୟକ ଗୋଷ୍ଠୀରେ ଶତାଧିକ ସଦସ୍ୟା ଗ୍ରାମରେ ଥିବା ସମସ୍ତ ମଦ କୋଠି ଗୁଡ଼ିକକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ଡୁଙ୍ଗରିପାଲି ଗ୍ରାମରେ ତିନିଟି ୱାର୍ଡ ଅଛି। ଏହାର ଜନସଂଖ୍ୟା ୬୦୦ରୁ ଅଧିକ। ଏଠାରେ ଛତୁ ଫୁଟିଲା ପରି ମଦ କୋଠି ଖୋଲିଥିବା ହେତୁ ଗାଁରେ ଅଶାନ୍ତି ଲାଗି ରହିଥିବା ଗ୍ରାମବାସୀ ତଥା ମହିଳା ଗୋଷ୍ଠୀ ଅଭିଯୋଗ କରିଛନ୍ତି। ତୁରନ୍ତ ଗାଁରେ ବନ୍ଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି। ଆଗାମୀ ଦିନରେ ଯଦି ଗ୍ରାମରେ ଥିବା ମଦକୋଠି ଗୁଡିକ ବନ୍ଦ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଡୁଙ୍ଗରିପାଲି ଗ୍ରାମର ମାଁ ତାରିଣୀ, ମାଁ ସନ୍ତୋଷୀ, ଜୟ ମାଁ ଧରିତ୍ରୀ, ସତ୍ୟମ୍ ଶିବମ, ଗଙ୍ଗାଦେବୀ, ମାଁ ଲକ୍ଷ୍ମୀ, ତାଣ୍ଡେଲ ପାହାଡ଼, ଗଙ୍ଗା ଯମୁନା, ସିଂହବାହିନୀ, ଭଣ୍ଡାର ଘରେଣ, ମାଁ ବୀଣାପାଣି, କୃଷ୍ଣ ବଳରାମ, ମାଁ ତୁଳସୀ, ମାଁ ସିଦ୍ଧେଶ୍ଵର, କୃଷ୍ଣ କାବେରୀ, ମାଁ ସମଲେଇ, ମାଁ ରାଜା ମାତା, ଜୟ ମାଁ ମଙ୍ଗଳା, ଓମ୍ ନମଃ ବିରଜାଇ, ମାଁ ଅନ୍ନପୂର୍ଣ୍ଣା, ମାଁ ଗଜଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଖଡ଼ିଆଳ ଥାନାର ଏସ୍ଆଇ ଡମ୍ବରୁଧର ହରିଜନଙ୍କୁ ପଚାରିବାରୁ ଏହି ଅଭିଯୋଗ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ହୋଇଛି। ଏହାର ଅତିଶୀଘ୍ର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି।