ଭୁବନେଶ୍ବର : ଯେଉଁ ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସରେ ସମ୍ପାଦକମାନେ ଧର୍ମଘଟ କରୁଛନ୍ତି ସେଠି ଧାନ ସଂଗ୍ରହ କରିବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)। ଏଥିପାଇଁ ଅଧିକ ସଂଖ୍ୟକ ଗୋଷ୍ଠୀଙ୍କୁ ଧାନ ସଂଗ୍ରହରେ ସାମିଲ କରାଯିବ। ଏ ସଂକ୍ରାନ୍ତରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଚିଠି ଦିଆଯାଇଥିବା ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ପ୍ରେସ ବିଜ୍ଞପ୍ତିରେ ବିଭାଗ ଜଣାଇଛି, ଆବଶ୍ୟକ ପଡ଼ିଲେ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ, ଯୋଗାଣ ସହାୟକମାନଙ୍କୁ ମଧ୍ୟ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯିବ। ଏଥିପାଇଁ ନୂତନ ତାଲିକା ସହିତ ୟୁଜର ଆଇଡି, ପାସୱାର୍ଡ ପ୍ରସ୍ତୁତ କରାଯିବ। ସେମାନଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି। ଯେଉଁ ସ୍ଥାନରେ ଧାନ ସଂଗ୍ରହ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି, ସେଠାରେ ଚାଷୀ ସହଜରେ ଏବଂ ସୁବିଧା ଧାନ ବିକ୍ରି କରିବା ନେଇ କିଭଳି ପଦକ୍ଷେପ ଗ୍ରହଣ ହେଉଛି ସେ ସଂକ୍ରାନ୍ତରେ ଜଣାଇବାକୁ କୁହାଯାଇଛି। ଏଥିସହିତ ମୁଖ୍ୟ ଯୋଗାଣ ଅଧିକାରୀ, ଯୋଗାଣ ଅଧିକାରୀ, ଡିଆରସିଏସ, ଏଆରସିଏସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକମାନେ ଜିଲ୍ଲାସ୍ତରୀୟ ବୈଠକ କରି ସମସ୍ୟାର ସମାଧାନ ଖୋଜିବାକୁ କୁହାଯାଇଛି।