ବାତ୍ୟା ‘ଫନି’ ପରେ ମାଗଣାରେ ‘ଚା’ ବାଣ୍ଟୁଛନ୍ତି ଭୁବନେଶ୍ୱରର ଶିବ ପାତ୍ର

ଭୁବନେଶ୍ୱର (ମହେନ୍ଦ୍ର ସାହୁ): ସାମୁଦ୍ରିକ ଝଡ଼ ‘ଫନି’ ଉପକୂଳବର୍ତ୍ତୀ ଓଡ଼ିଶା ସମେତ ରାଜଧାନୀ ଭୁବନେଶ୍ୱରର ସୁନ୍ଦରତାକୁ ବର୍ବାଦ କରିଦେଇଛି। ଭୁବନେଶ୍ୱରର ମାନଚିତ୍ର ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ ହୋଇଯାଇଛି। ଲୋକେ ଚା’ ପାଣି ଟିକିଏ ପାଇବା ପାଇଁ ଦୀର୍ଘ ଦୂର ଚାଲି ଚାଲି ଯାଇ ବି ଏହା ପାଇପାରୁ ନଥିଲେ। ଏଭଳି ଦୁର୍ଦ୍ଦିନ ସମୟରେ ଶିବ ପାତ୍ର ନାମକ ଜଣେ ଯୁବକ ଲୋକଙ୍କୁ ମାଗଣାରେ ଚା’ ବାଣ୍ଟୁିଛନ୍ତି।

ଗଂଜାମ ଜିଲ୍ଲାର ଭଂଜନଗର ଅଂଚଳରୁ ଆସି ଭୁବନେଶ୍ୱରର ୟୁନିଟ-୮ ନିକଟ ନୂଆସାହିରେ ବସବାସ କରୁଥିବା ଶିବଙ୍କ ଘର ଦ୍ୱାର ଭାଙ୍ଗି ଯାଇଛି। ଚା’ ଦୋକାନ ଭାଙ୍ଗିଯାଇଥିବାରୁ ଖୋଲା ଆକାଶ ତଳେ ଷ୍ଟୋଭ୍‌ ଜାଳି ଲୋକଙ୍କୁ ଚା’ ବାଣ୍ଟୁିଛନ୍ତି। ଶିବ ପାତ୍ର ୟୁନିଟ-୮ କଲ୍ୟାଣ ମଣ୍ଡପ ଛକ ଠାରୁ ରାଜ୍ୟ ଲୋକ କଲ୍ୟାଣ କାର୍ଯ୍ୟାଳୟ ରାସ୍ତା କଡ଼ରେ ଲୋକଙ୍କୁ ଚା’ ବାଣ୍ଟୁଛନ୍ତି।

ସେ କହିଛନ୍ତି, ଦୀର୍ଘ ୧୨ ବର୍ଷ ହେବ ଚା’ ଦୋକାନ ଖୋଲି ପରିବାର ପୋଷୁଛନ୍ତି। ଏତେ ବଡ଼ ଭୟଙ୍କର ବାତ୍ୟା ସେ ଆଗରୁ କେବେ ଦେଖି ନଥିଲେ। ଲୋକଙ୍କୁ ଖାଇବାକୁ ଦେବା ପାଇଁ ମନ ଥିଲେ ବି ଗରିବ ଲୋକ ହୋଇଥିବାରୁ କେଉଁଠୁ ଆଣି ଦେବି। ତେଣୁ ଯଥା ସମ୍ଭବ ଲୋକଙ୍କୁ ଚା’ ଟିକିଏ ଲେଖାଏଁ ଦେଲେ ଖୁସି ଲାଗୁଛି।

ବାତ୍ୟା ଶୁକ୍ରବାର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୨୦୦ରୁ ଅଧିକ ବେଗରେ ପବନ ବୋହି ଭୁବନେଶ୍ୱରକୁ ଛାରଖାର୍‌ କରିଦେଇଛି। ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଗଳିକନ୍ଦି ଚାରିଆଡେ କୁଢ଼ କୁଢ଼ ଗଛ, ବିଦ୍ୟୁତ୍‌ ତା’ର, ଅନ୍ୟାନ୍ୟ କେବୁଲ ତା’ର ଗଦାଗଦା ହୋଇ ପଡ଼ିଛି। ସଂପୂର୍ଣ୍ଣ ଭୁବନେଶ୍ୱରରେ ଲୋକେ ପାଣି ଓ ବିଦ୍ୟୁତ୍‌ ସେବା ପାଇଁ ହାହାକାର ହେଉଛନ୍ତି।

ସମ୍ବନ୍ଧିତ ଖବର