ଭୁବନେଶ୍ୱର : ଅତୀତର ଅନୁଭୂତି, ବର୍ତ୍ତମାନର ଆହ୍ୱାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ନୂତନ ଜାତୀୟ ଶିକ୍ଷା ନୀତି। ୬ ବର୍ଷ ଧରି ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ, ପ୍ରକାଶକ ଓ ଅନ୍ୟମାନଙ୍କର ମାନସ ମନ୍ଥନ, ପରାମର୍ଶ, ଅନେକ କର୍ମଶାଳା ଓ ଆଲୋଚନାଚକ୍ରର ଆୟୋଜନ, ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରୁ ମତ ସଂଗ୍ରହ ପରେ ପ୍ରତୀକ୍ଷିତ ଜାତୀୟ ଶିକ୍ଷାନୀତି-୨୦୨୦ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିଛି। ଏହା ଦେଶର ଶିକ୍ଷା ବ୍ୟବସ୍ଥାର ନବୀକରଣ ପାଇଁ ମାର୍ଗଦର୍ଶିକା ଭାବେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏକବିଂଶ ଶତାବ୍ଦୀ ପାଇଁ ପ୍ରୟୋଜନୀୟ କୌଶଳ ଓ ମୂଲ୍ୟବୋଧ ଆଧାରିତ ବ୍ୟକ୍ତି ନିର୍ମାଣ ପାଇଁ ଉଦ୍ଦିଷ୍ଟ ଶିକ୍ଷା ପଦ୍ଧତି ପ୍ରବର୍ତ୍ତନ ପାଇଁ ମାର୍ଗ ପ୍ରସ୍ତୁତ କରିବ ବୋଲି ଶିକ୍ଷା ବିକାଶ ସମିତି, ଓଡ଼ିଶା ପକ୍ଷରୁ କୁହାଯାଇଛି।
ସମିତି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଜାତୀୟ ଶିକ୍ଷାନୀତିର ପ୍ରଧାନ ବିଷୟବସ୍ତୁ ହେଉଛି ଯେ ବିଦ୍ୟାଳୟ ଶିକ୍ଷାର ମୂଳ ବ୍ୟବସ୍ଥାକୁ ପରିବର୍ତ୍ତନ କରି ଏହାକୁ ୫+୩+୩+୪ କରିବା ପାଇଁ ସିଦ୍ଧାନ୍ତ ନେବା। ପ୍ରି-ସ୍କୁଲଠାରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଶିକ୍ଷାକୁ ସମନ୍ୱିତ କରି ଏହାକୁ ବୃତ୍ତିଗତ ଶିକ୍ଷା ସହିତ ଯୋଡ଼ିବା। ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷାକୁ ବ୍ୟବସ୍ଥିତ କରି ଏଥିସହ ସ୍ୱାସ୍ଥ୍ୟ, ପୋଷଣ ଓ ସ୍ୱସହାୟତାର କୌଶଳ ନିର୍ମାଣ। ବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ ନ କରି ଅଧାରୁ ଛାଡ଼ି ଯାଉଥିବା ପିଲାଙ୍କୁ ଶିକ୍ଷାରେ ମନୋନିବେଶ କରାଇବା ପାଇଁ ଔପଚାରିକ ଓ ଅନୌପଚାରିକ ବ୍ୟବସ୍ଥା ଗ୍ରହଣ କରି ଶତ ପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ୱ ଦେଇ ଶିକ୍ଷାନୀତିର ଉଲ୍ଲେଖନୀୟ ଦିଗ। ଏଦିଗରେ ଜୀବନକୌଶଳ ଓ ଦକ୍ଷତାର ବିକାଶ ଠାରୁ ଆରମ୍ଭ କରି ବୈଜ୍ଞାନିକ ମନସ୍କତା, ବହୁ ଭାଷିକତା ଓ ଡିଜିଟାଲ ସାକ୍ଷରତା ଉପରେ ଗୁରୁତ୍ୱ ଦିଆଯିବ। ମୂଲ୍ୟାଙ୍କନକୁ କେବଳ ପରୀକ୍ଷା କେନ୍ଦ୍ରୀତ ନ କରି ବହୁସ୍ତରୀୟମାନଙ୍କ ବ୍ୟବସ୍ଥାର ପ୍ରଚଳନ ହେଲେ ପରିଣାମ ପ୍ରେରଣାପ୍ରଦ ହେବ। ଉଚ୍ଚଶିକ୍ଷାରେ ମଧ୍ୟ ବହୁ ପରିବର୍ତ୍ତନ ପାଇଁ ଏହି ଶିକ୍ଷାନୀତିରେ ଅନୁମୋଦନ ରହିଛି। ୧୯୬୮, ୧୯୮୬ରେ ଯେଉଁ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ ହୋଇଥିଲା। ବିଭିନ୍ନ ସମୟରେ ସେଥିରେ ସଂଯୋଜନକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଆହ୍ୱାନ ଓ ଭବିଷ୍ୟତର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି। ଏହାର ସଫଳ ରୂପାୟନ ପାଇଁ ସମସ୍ତ ଭାରତୀୟ ସହଯୋଗ କରିବାକୁ ସମିତି ପକ୍ଷରୁ ଆହ୍ୱାନ କରାଯାଇଛି।