ବନାଗ୍ନି ବ୍ୟାପିବାରୁ ବଞ୍ଚାଇଲା ବର୍ଷା: ସିଞ୍ଚିଲା ଆଶୀର୍ବାଦର ଜଳ, ଏବେବି ଶିମିଳିପାଳର ୯ଟି ସ୍ଥାନରେ ଜଳୁଛି ନିଆଁ

ବାରିପଦା ବନାଞ୍ଚଳ ଅଧିନରେ ଆଜି ୧୧ ଫାୟାର୍ ପଏଣ୍ଟ ଚିହ୍ନଟ

ବାରିପଦା: ମୟୂରଭଂଜ ଜିଲ୍ଲା ଶିମିଳିପାଳରେ ଲାଗିଥିବା ନିଆଁ ଆହୁରି ଅଧିକ ବ୍ୟାପକ ହେବାରୁ ବର୍ଷା ହିଁ ବଞ୍ଚାଇଛି। ଆଶୀର୍ବାଦ ଭଳି ସିଞ୍ଚି ଦେଇଛି ଆନନ୍ଦାଶ୍ରୁ। ଏହା କେବଳ ମୟୂରଭଞ୍ଜବାସୀ କହୁନାହାନ୍ତି, ବନାଗ୍ନି ନିୟନ୍ତ୍ରଣ ପାଇଁ ଗଠିତ ଟାସ୍କଫୋର୍ସ ମଧ୍ୟ ଏହାକୁ ସ୍ବିକାର କରିଛନ୍ତି। ବନାଗ୍ନିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ମୋନା ଶର୍ମା କ୍ଷେତ୍ର ପରିଦର୍ଶନ କରିଥିଲେ ।

କୋର୍ ଏରିଆରେ କୌଣସି ନିଆଁ ନଥିବା ଏବଂ ବନାଗ୍ନି ନିୟନ୍ତ୍ରଣରେ ଥିବା ପ୍ରକାଶ କରିଥିଲେ। ଆଜି ଟାସ୍କଫୋର୍ସ ମୁଖ୍ୟ ସନ୍ଦିପ ତ୍ରିପାଠୀଙ୍କ ଅନୁଯାୟୀ ଆଜି ଶିମିଳିପାଳରେ ୯ଟି ସ୍ଥାନରେ ନିଆଁ ଜଳୁଥିବା ସୂଚନା ଦେଇଛନ୍ତି। ତେବେ ଏହା ବିଶେଷ କ୍ଷତି କରିବା ଭଳି ନୁହେଁ ବୋଲି ଜଣାପଡ଼ିଛି। ସେହିପରି ବାରିପଦା ବନାଞ୍ଚଳ ଅଧିନରେ ଆଜି ୧୧ଟି ସ୍ଥାନରେ ଫାୟାର୍ ପଏଣ୍ଟ ଚିହ୍ନଟ କରାଯାଇଥିଲା। ମାତ୍ର ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୮ଟି ବ୍ଲୋଅର୍ମେସିନ୍ ସହାୟତାରେ ତୁରନ୍ତ ନିଆଁକୁ ଆୟତ କରିଥିବା ବାରିପଦା ଡିଏଫ୍ଓ ସନ୍ତୋଷ କୁମାର ଯୋଶୀ ସୂଚନା ଦେଇଛନ୍ତି।

ଆଜି ଶିମିଳିପାଳ ନିଆଁର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍‌ର ଦୁଇ ଜଣିଆ ସଦସ୍ୟ। ବେଶି କିଛି କହିନଥିଲେ ମଧ୍ୟ ବାଘଙ୍କର କୌଣସି କ୍ଷତି ହୋଇନଥିବା ସ୍ପଷ୍ଟ କରିଛନ୍ତି। ସେହିପରି କୋର୍ ଏରିଆ କିମ୍ବା ବଫର୍ ଏରିଆରେ ମଧ୍ୟ କୌଣସି ଫାୟାର୍ ପଏଣ୍ଟ ନଥିବା ବନ ଅଧିକାରୀଙ୍କ ପକ୍ଷରୁ ପ୍ରକାଶ। ବନାଗ୍ନି ପରବର୍ତ୍ତୀ କ୍ଷୟକ୍ଷତି ନିଶ୍ଚିତ ଶିମିଳିପାଳର ସବୁଜିମାଙ୍କୁ କ୍ଷତି ପହଞ୍ଚାଇଥିବା ପରିବେଶବିତମାନେ ଦାବି କରିଛନ୍ତି। ଏହାର ସବିଛଶେଷ ସମୀକ୍ଷା କରାଯାଇ ପଦକ୍ଷେପ ନେବାକୁ ଦାବି ହୋଇଛି। ବୁଧବାର ଆରମ୍ଭ ହୋଇଥିବା ବର୍ଷା ଗତକାଲି ମଧ୍ୟ ଶିମିଳିପାଳର କିଛି ଅଂଶରେ ହୋଇଥିଲା।

 

ସମ୍ବନ୍ଧିତ ଖବର