ଶିମିଳିପାଳର ୯ଟି ଫାୟାର ଆଲର୍ଟ ସମେତ ୭୦୦ଟି ଫାୟାର ଆଲର୍ଟ ପଂଜିକରଣ ହୋଇଛି : ଫରେଷ୍ଟ ଫାୟାର ଟାସ୍କଫୋର୍ସ

ଭୁବନେଶ୍ବର: ରାଜ୍ୟରେ ବନାଗ୍ନି ପ୍ରଶମନ ଏବଂ ପରିଚାଳନା ପାଇଁ ସରକାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ଜଙ୍ଗଲ ଅଗ୍ନି ସତର୍କ ସୂଚନା ଅନୁଯାୟୀ ଗତକାଲି ରାଜ୍ୟରେ ଶିମିଳିପାଳ ଜଙ୍ଗଲର ୯ଟି ଫାୟାର ଆଲର୍ଟ ସମେତ ସର୍ବମୋଟ ୭୦୦ଟି ଫାୟାର ଆଲର୍ଟ ପଂଜିକରଣ କରାଯାଇଛି ଏବଂ ବର୍ତ୍ତମାନ ରାଜ୍ୟରେ ଅଗ୍ନି ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆହୁରି ମଧ୍ୟ ଶିମିଳିପାଳ ଜଙ୍ଗଲ ସମେତ ରାଜ୍ୟର କିଛି ଅଂଶରେ ଗତକାଲି ବର୍ଷା ହୋଇଛି, ଯାହା ରାଜ୍ୟରେ ବନାଗ୍ନି ବିସ୍ତାରକୁ ରୋକିବାରେ ସହାୟକ ହେବ।

ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଙ୍ଗଲରେ ବନାଗ୍ନି ଯେପରି ବିସ୍ତାର ନହୁଏ, ସେଥିପାଇଁ ସତର୍କ ରହିବାକୁ ସରକାର ବନ କର୍ମଚାରୀମାନଙ୍କୁ ସଜାଗ ରହିବାକୁ କହିଛନ୍ତି। ରାତିରେ ପାଟ୍ରୋଲିଂ କରିବା ସହ ଅଗ୍ନି ସତର୍କତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫରେଷ୍ଟ ଆଇଟି ଏବଂ ଜିଓମେଟ୍ରିକ୍‌ ସେଣ୍ଟର (ଏଫ୍‌ଟିଜିସି) ଦ୍ବାରା ପ୍ରତିଦିନ ଏସ୍‌ଏନ୍‌ପିପି, ଏମ୍‌ଓଡିଆଇଏସ୍‌ ଉପଗ୍ରହରୁ ଏଫ୍‌ଏସ୍‌ଆଇ ମାଧ୍ୟମରେ ପ୍ରାପ୍ତ ତଥ୍ୟକୁ ବିଟ୍‌ ସ୍ତରର କର୍ମଚାରୀଙ୍କୁ ଅବିଳମ୍ବେ ଉପଲବ୍ଧ କରାଯାଉଛି। କ୍ଷେତ୍ର ବନକର୍ମଚାରୀ ପ୍ରାପ୍ତ ସୂଚନା ଆଧାରରେ ଫାୟାର ପଏଣ୍ଟକୁ ଯିବା ପରେ ଓଏଫ୍‌ଏମ୍‌ଏସ୍‌ରେ ଫଟୋ ସହିତ ସୂଚନା ଅପ୍‌ଲୋଡ୍‌ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାପ୍ତ ଏହି ସମସ୍ତ ଅଗ୍ନି ପଏଣ୍ଟଗୁଡ଼ିକରୁ ୯୫ ପ୍ରତିଶତରୁ ଅଧିକ ସ୍ଥାନର ନିରାକରଣ କରାଯାଇଛି। ପିସିସିଏଫ୍‌/ପିସିସିଏଫ (ବନ୍ୟପ୍ରାଣୀ) ଏବଂ ସମସ୍ତ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ୨୪X୭ ଘଣ୍ଟିଆ ଫରେଷ୍ଟ ଫାୟାର ସେଲ୍‌ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର