ବାରିପଦା/ଯଶିପୁର/ପଦ୍ମପୁର: ଦୀର୍ଘ ସାଢ଼େ ୪ ମାସ ପରେ ଆଜିଠୁ ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ପ୍ରଥମ ଦିନରେ ୩୩ଟି ଗାଡ଼ିରେ ୧୭୭ ଜଣ ପର୍ଯ୍ୟଟକ ଭିତରକୁ ଯାଇ ବୁଲାବୁଲି କରିଛନ୍ତି। ସେଥିମଧ୍ୟରୁ ବାହାର ରାଜ୍ୟର ୨୭ ଜଣ ପର୍ଯ୍ୟଟକ ଥିବାବେଳେ ଅନ୍ୟ ସମସ୍ତେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥି‌ଲେ।

Advertisment

ସୂଚନା ଅନୁସାରେ, ପିଠାବଟା ଗେଟ୍ ଦେଇ ୨୫ଟି ଗାଡ଼ିରେ ୧୩୩ ଜଣ ଓ ଯଶିପୁର ପଟୁ କାଳିପାଣି ଗେଟ୍ ଦେଇ ୮ଟି ଗାଡ଼ିରେ ୪୩ ଜଣ ପର୍ଯ୍ୟଟକ ଭିତରକୁ ଯାଇଥିଲେ। ପିଠାବଟା ଗେଟ୍‌ରେ ଶିମିଳିପାଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାର ପର୍ଯ୍ୟଟକମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରିଥିବାବେଳେ ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ସମେତ ପରିବେଶବିତ୍ ବିବେକାନନ୍ଦ ପଟ୍ଟନାୟକ ଉପସ୍ଥିତ ଥିଲେ। ସେହିପରି ଯଶିପୁରଠାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏସିଏଫ୍ ଲିକେଶ ମହାପାତ୍ର ଓ ଯଦୁମଣି କେରକେଟା, ରେଞ୍ଜ ଅଧିକାରୀ ଅଶୋକ କୁମାର ନାଏକ, ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଚକ୍ରଧର ହେମ୍ବ୍ରମ୍‌ ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ସ୍ୱାଗତ କରିଥିଲେ।

ପର୍ଯ୍ୟଟକମାନେ ଆଜି ବରେହିପାଣି, ଜୋରନ୍ଦା, ଉସ୍‌କୀ ଜଳପ୍ରପାତ ପରିଦର୍ଶନ କରିବା ସହ ଶିମିଳିପାଳର ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରି ବିମୋହିତ ହୋଇଥିଲେ। ସୂଚନାଯୋଗ୍ୟ; ୨ ହଜାର ୭୫୦ ବର୍ଗ କିଲୋମିଟର ପରିମିତ ଶିମିଳିପାଳ ଜୈବ ମଣ୍ଡଳ ଭିତରେ ଚଳିତବର୍ଷ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଏଥିସହ ଜୈବମଣ୍ଡଳର ସୁରକ୍ଷା ପାଇଁ ଭିତରକୁ ପଲିଥିନ୍‌ ନେବା ଉପରେ କଟକଣା ଜାରି କରାଯାଇଛି।