ବାରିପଦା: ଜୁନ୍ ୧୨ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବର୍ଷାଦିନ ପରେ ସେପ୍ଟେମ୍ବର ୩୦ରୁ ଶିମିଳିପାଳ ଜାତୀୟ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ। ତେବେ, ଏହିସମୟରେ ଶିମିଳିପାଳ ପରିସରସ୍ଥିତ ଜାମୁଆଣି, ଗୁରୁଗୁଡ଼ିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ପର୍ଯ୍ୟଟନସ୍ଥଳ ଖୋଲା ରହିବ ବୋଲି କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।

Advertisment

ଚଳିତବର୍ଷ ଶିମିଳିପାଳକୁ କମ୍ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ଗତବର୍ଷ ୨୦୨୨-୨୩ରେ ୪୧ ହଜାର ୩୪୬ ଜଣ ପର୍ଯ୍ୟଟକ ଆସିଥିବା ବେଳେ ଚଳିତବର୍ଷ ୨୦୨୩-୨୪ରେ ୨୫ ହଜାର ୮୪୬ ଜଣ ଆସିଛନ୍ତି। ପାଖାପାଖି ମାସେ ଧରି ବନବାସୀଙ୍କ ଆନ୍ଦୋଳନ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା କମ୍ ରହିଲା ବୋଲି ଡ.ଗୋଗିନାନୀ କହିଛନ୍ତି। ୨୦୨୩ ନ‌ଭେମ୍ବରରେ ୩୨୬୯ ଜଣ, ଡିସେମ୍ବରରେ ୬୪୭, ୨୦୨୪ ଜାନୁଆରିରେ ୧୬୦୭, ଫେବ୍ରୁଆରିରେ ୫୮୦, ମାର୍ଚ୍ଚରେ ୭୯୭, ଏପ୍ରିଲରେ ୨୫୩ ଓ ମେ’ ମାସରେ ୧୭୮ ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଆସିଥିଲେ। ବାରିପଦା ପିଠାବଟା ଫାଟକ ଦେଇ ୧୨ ହଜାର ୯୦୯ ଓ ଯଶୀପୁର କାଳିକାପ୍ରସାଦ ଫାଟକ ଦେଇ ୧୩ ହଜାର ୨୧୦ ଜଣ ପର୍ଯ୍ୟଟକ ଆସିଛନ୍ତି। ନଭେମ୍ବରରୁ ମେ’ ମାସ ମଧ୍ୟରେ ମୋଟ୍ ୪ ହଜାର ୬୫୪ଟି ଗାଡ଼ିରେ ପର୍ଯ୍ୟଟକମାନେ ଶିମିଳିପାଳ ଭ୍ରମଣ କରିଥିବା ଜଣାପଡ଼ିଛି।