ରାଇରଙ୍ଗପୁର: ଆଜି ଠାରୁ (ଜୁନ ୧୬) ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ। ତେବେ କେବଳ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଚାରୋଟି ଇକୋ ଟ୍ୟୁରିଜିମ ଖୋଲା ରହିବ। ପ୍ରତ୍ୟେକ ବର୍ଷ ବର୍ଷାଋତୁକୁ ଦୃଷ୍ଟିରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଇଥାଏ। ଚଳିତ ବର୍ଷ ମଧ୍ୟ ଆଗକୁ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ହେବା ନେଇ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ବର୍ଷା ଋତୁ ଯୋଗୁଁ ଶିମିଳିପାଳ ଅଭୟାରଣ୍ୟର ରାସ୍ତାଘାଟ ଧୋଇ ଯାଇଥାଏ। ଫଳରେ ରାସ୍ତାଘାଟ ବିପଦ ସଂକୁଳ ଅବସ୍ଥାରେ ରହିଥାଏ। ତେଣୁ ପର୍ଯ୍ୟଟକ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଏହି ସମୟରେ ଅର୍ଥାତ୍ ବର୍ଷା ଋତର ଆଗମନରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଯିବା ପାଇଁ ପର୍ଯ୍ୟଟକମାନଙ୍କୁ ବାରଣ କରା ଯାଇଥାଏ। ତେଣୁ  ସାମୟିକ ଭାବେ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରା ଯାଇଥାଏ।
Advertisment
ବର୍ଷା ଋତୁ ପରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ରାସ୍ତା ଗୁଡ଼ିକର ମରାମତି କାର୍ଯ୍ୟ କରା ଯାଇଥାଏ। ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରାଗଲେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଗୁଡୁଗୁଡ଼ିଆ,କୁମାରୀ, ରାମତୀର୍ଥ ଓ ଜାମୁଆଣି ଏହି ଚାରୋଟି ଇକୋ ଟୁରିଜିମ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ। ସେଠାରେ ପର୍ଯ୍ୟଟକମାନଙ୍କ ରହିବାର ସୁବିଧା ସହିତ ସେଠାକାର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ।
ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପୀଠାବଟା ଫାଟକ ସମେତ ଯଶୀପୁର ବ୍ଲକ ଅନ୍ତର୍ଗତ କାଳିଆଣି ଫାଟକ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବର୍ଷା ଋତୁ ଯୋଗୁଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ  ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନ ଘଟିବ ସେନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ। ତେବେ ଚଳିତ ଜୁନ ମାସ ୧୬ ତାରିଖରୁ ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡା ପ୍ରକାଶ ଚାନ୍ଦ ଗୋଗିନେନି ଏକ ବିଜ୍ଞପ୍ତି ଜାରି କରିବା ସହିତ ସୂଚନା ମଧ୍ୟ ଦେଇଛନ୍ତି।