ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଆଜି ପ୍ରଥମ ଦିନରେ ଉଭୟ ପିଠାବଟା ଓ ଯଶିପୁର ଗେଟ୍‌ ଦେଇ ୩୩ଟି ଯାନରେ ମୋଟ ୧୨୯ଜଣ ପର୍ଯ୍ୟଟକ ଶିମିଳିପାଳକୁ ପ୍ରବେଶ କରିଛନ୍ତି। ସୂଚନା ଅନୁସାରେ, ପିଠାବଟା ଗେଟ୍‌ ଦେଇ ଓପନ୍ ଜିପ୍ ୮ଟି ସଫାରିରେ ୩୫ଜଣ, ଦୈନିକ ୧୨ଟି ପର୍ଯ୍ୟଟକ ଯାନରେ ୪୦ଜଣ ପର୍ଯ୍ୟଟକ ଆସିଥିବା ବେଳେ ଯଶିପୁର ଗେଟ୍‌ ଦେଇ ଓପନ୍ ଜିପ୍ ୩ଟି ସଫାରିରେ ୧୮ଜଣ, ଦୈନିକ ୧୦ଟି ପର୍ଯ୍ୟଟକ ଯାନରେ ୩୬ ଜଣ ପର୍ଯ୍ୟଟକ ପ୍ରବେଶ କରିଥିଲେ। 

Advertisment

ସକାଳ ୬ଟାରୁ ପର୍ଯ୍ୟଟକ ପ୍ରବେଶ କରିଥିବା ବେଳେ ଏହି ସମୟରେ ଆର୍‌ସିସିଏଫ୍‌ ପ୍ରକାଶ ଚାନ୍ଦ ଗୋଗିନେନୀ, ଏସ୍‌ଟିଆର୍‌ ସମ୍ରାଟ ଗୌଡ଼ାଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପର୍ଯ୍ୟଟକମାନଙ୍କୁ ସ୍ବାଗତ କରିଥିଲେ। ତେବେ ଆଜି ପ୍ରଥମ ଦିନରେ କେହି ବିଦେଶୀ ପର୍ଯ୍ୟଟକ ଆସି ନ ଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ କାଳୀପୂଜା ପୂର୍ବରୁ ଶିମିଳିପାଳକୁ ଖୋଲାଯାଇଛି। ସକାଳ ୬ଟାରୁ ୯ଟା ଭିତରେ ଅନୁମତିପତ୍ର ନେଇ ଶିମିଳିପାଳରେ ପ୍ରବେଶ କରିପାରିବେ।