ଖୋଲିଲା ଶିମିଳିପାଳ ଅଭୟାରଣ୍ୟ : ପ୍ରଥମ ଦିନରେ ବୁଲିଲେ ୨୮୭ ପର୍ଯ୍ୟଟକ

ପିଠାବଟା ଓ କାଳିଆଣି ଫାଟକରେ ପଶିଲେ, ପର୍ଯ୍ୟଟକମାନଙ୍କୁ ସ୍ବାଗତ କଲେ କତ୍ତୃର୍ପକ୍ଷ

ବାରିପଦା : ଆଜିଠାରୁ ଖୋଲିଲା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳର ଦୁଇ ପ୍ରବେଶ ଦ୍ବାର ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ଟି ଚାରିଚକିଆ ଗାଡ଼ିରେ ୧୭୫ ପର୍ଯ୍ୟଟକ ଓ ଯଶିପୁରର କାଳିଆଣି ଫାଟକ ଦେଇ ୨୧ଟି ଗାଡ଼ିରେ ୧୧୨ ଜଣ ଏହିପରି ମୋଟ ୪୬ଟି ଗାଡ଼ିରେ ୨୮୭ ଜଣ ପର୍ଯ୍ୟଟକ ପ୍ରଥମ ଦିନରେ ଅଭୟାରଣ୍ୟ ବୁଲିଲେ। ପିଠାବଟା ପ୍ରବେଶ ପଥରେ ଆଞ୍ଚଳିକ ବନସଂରକ୍ଷକ ଅରୁଣ କୁମାର ବିଶ୍ବାଳ, ପିଠାବଟା ରେଞ୍ଜର ଓ ଫରେଷ୍ଟ କର୍ମଚାରୀମାନେ ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଝାଡ଼ଖଣ୍ତ ରାଜ୍ୟରୁ ଗୋଟାଏ, ପଶ୍ଚିମବଙ୍ଗ ରାଜ୍ୟରୁ ୪ଟି ଓ ଓଡ଼ିଶାରୁ ୨୦ଟି ଗାଡ଼ିରେ ପର୍ଯ୍ୟଟକମାନେ ଏହି ଫାଟକ ଦେଇ ଶିମିଳିପାଳ ଭ୍ରମଣରେ ଯାଇଥିଲେ। ମାସ୍କ ପରିଧାନ ଓ ସାମାଜିକ ଦୂରତ୍ବ ରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇଥିଲେ ଅଭୟାରଣ୍ୟ କର୍ତ୍ତୃପକ୍ଷ। କରୋନା କାଳରେ ପ୍ରଥମ ଦିନ ଏତେ ସଂଖ୍ୟକ ପର୍ଯ୍ୟଟକ ଶିମିଳିପାଳକୁ ଆସିବା ପର୍ଯ୍ୟଟନ ବିଭାଗ ପାଇଁ ଭଲ ଖବର ଆଣିଛି।

ସୂଚନାଯୋଗ୍ୟ, ଶିମିଳିପାଳକୁ ପ୍ରବେଶ ପାଇଁ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ୯ଟା ମଧ୍ୟରେ ଅନୁମତି ପତ୍ର ହାସଲ କରିପାରିବେ ପର୍ଯ୍ୟଟକ। ଦୈନିକ ପିଠାବଟା ଫାଟକ ଦେଇ ୨୫ ଓ ଯଶିପୁର ଫାଟକ ଦେଇ ୩୫ଟି ୪ ଚକିଆ ଗାଡ଼ିକୁ କ୍ରମାନ୍ବୟରେ ପ୍ରବେଶ ଅନୁମିତି ମିଳିବ। ଅଭୟାରଣ୍ୟକୁ ସ୍ବଚ୍ଛ ରଖିବା ଲକ୍ଷ୍ୟ ନେଇ ପର୍ଯ୍ୟଟକମାନେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଆଦି ନେବା ଉପରେ କଟକଣା ଜାରି କରାଯାଇଅଛି। ଚଳିତବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକଙ୍କ ରାତ୍ରି ରହଣି ପାଇଁ ବଫର ଏରିଆର ଜାମୁଆଣି, ଗୁଡ଼ୁଗୁଡ଼ିଆ, ରାମତୀର୍ଥ, ବରେହିପାଣି ଆଦି ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ଓ କୁଆଁରୀଗାଁ ନିକଟରେ ବାଉଁଶରେ ନିର୍ମିତ କଟେଜର ବ୍ୟବସ୍ଥା କରାଯାଇଅଛି।

ସମ୍ବନ୍ଧିତ ଖବର