ବାରିପଦା, (ବଟକୃଷ୍ଣ ବିହାରୀ) : ଓଡ଼ିଶାକୁ ପ୍ରକୃତିର ବଡ଼ ଅବଦାନ ହେଉଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ। ଅଧା ଓଡ଼ିଶାକୁ ଏହା ଅମ୍ଳଜାନ ଯୋଗାଇଥାଏ। ତେବେ ବନାଗ୍ନି ଓ ଅବିଚାରିତ ଗଛକଟା ଯୋଗୁଁ ଓଡ଼ିଶାର ସର୍ବବୃହତ ଜୈବମଣ୍ଡଳ ଶିମିଳିପାଳ ଏବେ ନିଜ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି। ମହାବଳ ବାଘ ସମେତ ବିଭିନ୍ନ ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଶିମିଳିପାଳରୁ ବୁଢ଼ାବଳଙ୍ଗ, ଖଇରୀ, ଭଣ୍ଡନ, ଦେଓ, ପଳପଳା ଆଦି ଏକାଧିକ ନଦୀର ଉତ୍ପତ୍ତି ହୋଇଛି। ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଏହି ବିଶାଳ ଜଙ୍ଗଲର ବିବିଧତାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ବର୍ଷତମାମ ଆଦୌ ଶୁଖୁନଥିବା ସୀତାକୁଣ୍ଡ ପରି ଏକାଧିକ ଚିରସ୍ରୋତା ଜଳଉତ୍ସ ଏବେ ଖରାଦିନେ ଶୁଖିଯାଉଛି।

Advertisment

publive-image Facebook

ଶିମିଳିପାଳ କେବଳ ଓଡ଼ିଶା ନୁହେଁ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ପାଣିପାଗକୁ ମଧ୍ୟ ସନ୍ତୁଳନ କରିଥାଏ। ୨ ହଜାର ୭୫୦ ବର୍ଗ କିଲୋମିଟର ଯାଏ ବ୍ୟାପିଛି ଶିମିଳିପାଳର ବିସ୍ତ୍ରୀଣ୍ଣ ଜୈବମଣ୍ଡଳ। ଏହା ମଧ୍ୟରେ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୯ ପ୍ରଜାତିର ସରୀସୃପ, ୨୩୧ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି। ଶିମିଳିପାଳ ଜଙ୍ଗଲ ମଧ୍ୟରେ ରହିଛି ବହୁ ମୂଲ୍ୟବାନ ବୃକ୍ଷରାଜି ଓ ଔଷଧୀୟ ଗୁଳ୍ମଲତା। ଏଥିସହ ୯୬ ପ୍ରଜାତିର ଓର୍କିଡ୍‌ ଏଠାରେ ଦେଖିବାକୁ ମିଳେ; ଯାହାକି ଭାରତରେ ଦେଖା ଯାଉଥିବା ମୋଟ୍‌ ଓର୍କିଡ୍‌ର ୮ ପ୍ରତିଶତ। ଭାରତରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତିର ଫୁଲର ୭ ପ୍ରତିଶତ, ୧୨ ପ୍ରତିଶତ ସରୀସୃପ, ୨୯ ପ୍ରତିଶତ ପକ୍ଷୀ ଓ ୧୪ ପ୍ରତିଶତ ସ୍ତନ୍ୟପାୟୀ ପ୍ରାଣୀ ଏଠାରେ ଦେଖିବାକୁ ମିଳିଥାନ୍ତି। ପର୍ଯ୍ୟଟନ ଋତୁ ଆସିଲେ ସତେ ଯେମିତି ନିଜକୁ ନୂଆବୋହୂ ପରି ସଜେଇ ନିଏ ଶିମିଳିପାଳ। ଦେଶ ବିଦେଶରୁ ଛୁଟିଆସନ୍ତି ଶହଶହ ପର୍ଯ୍ୟଟକ।

ତେବେ ଗତ କିଛି ବର୍ଷ ହେଲା ବନାଗ୍ନି ଯୋଗୁଁ ଏହି ବିଶାଳ ଜୈବମଣ୍ଡଳର ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଗତବର୍ଷ ଶିମିଳିପାଳରେ ବନାଗ୍ନି ଘଟି ଶହଶହ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା। ପ୍ରାୟ ୪ ସପ୍ତାହ ଧରି ଜଙ୍ଗଲ ଜଳିବା ସହ ଅନେକ ବନ୍ୟଜନ୍ତୁ ଜଙ୍ଗଲ ନିଆଁ‌ରେ ଜଳିଗଲେ। ଶିମିଳିପାଳରେ ଲାଗୁଥିବା ନିଆଁ ପ୍ରାୟ ସମୟରେ ମନୁଷ୍ୟକୃତ ହୋଇଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍‌। ଶିମିଳିପାଳ ପରିସର ସଙ୍କୁଚିତ ହେବାକୁ ବସିଛି। ପୂର୍ବରୁ ଏହାର ସୀମା ୨ ହଜାର ୭୫୦ ବର୍ଗ କିଲୋମିଟର ଥିବା ବେଳେ ଏବେ ହ୍ରାସ ପାଇ ୨ ହଜାର ୫୭୯ ବର୍ଗ କିଲୋମିଟରରେ ରହିଛି। ଏହାର ପ୍ରଭାବରେ ଖରାଦିନେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି। ଶିମିଳିପାଳର ସୁରକ୍ଷା ପ୍ରତି ସରକାର ସ୍ବତନ୍ତ୍ର ଯୋଜନା ହାତକୁ ନେବାର ସମୟ ଆସିଛି।