ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାର ମହାନଦୀ କୂଳରେ ଏକ ଜାହାଜ ତିଆରି କ୍ଲଷ୍ଟର୍ ସ୍ଥାପନ କରାଯିବ। ପାରାଦୀପରେ ଥିବା ଇଫ୍କୋ କାରଖାନାର ବିପରୀତ ଦିଗରେ ଏହାକୁ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ୨୪,୭୦୦ କୋଟି ଟଙ୍କା ନିବେଶ କରାଯିବ। ଶୁକ୍ରବାର ଗୁଜରାଟର ଭାବନଗରଠାରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଓ ଓଡ଼ିଶା ମାରିଟାଇମ୍ ବୋର୍ଡ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଭାରତକୁ ଜାହାଜ ତିଆରି ଦେଶଗୁଡ଼ିକର ମଧ୍ୟରେ ଶୀର୍ଷ ପାଞ୍ଚ ମଧ୍ୟରେ ସ୍ଥାନିତ କରିବା ଲକ୍ଷ୍ୟ ନେଇ ପ୍ରକଳ୍ପର ପରିକଳ୍ପନା କରାଯାଇଛି।
୨୪,୭୦୦ କୋଟି ନିବେଶ
ପାରାଦୀପ ବନ୍ଦର-ଓଡ଼ିଶା ମାରିଟାଇମ୍ ବୋର୍ଡ ମଧ୍ୟରେ ଏମ୍ଓୟୁ
ଏହି ପ୍ରକଳ୍ପରେ ବାର୍ଷିକ ୧-୨ ନିୟୁତ ଗ୍ରସ୍ ଟନେଜ୍ର ମିଳିତ କ୍ଷମତା ବିଶିଷ୍ଟ ଏକ କିମ୍ବା ଏକାଧିକ ସିପ୍ୟାର୍ଡ ରହିବ। ଏଥିରେ ୨୦୦୦-୨୫୦୦ ଏକର ଜମିରେ ଦୁଇରୁ ଅଢ଼େଇ କିଲୋମିଟରର ଏକ ଉତ୍ସର୍ଗୀକୃତ ନଦୀପାର୍ଶ୍ବ ପ୍ରକଳ୍ପ ରହିବ। ଜାହାଜ ତିଆରି ପ୍ରକ୍ରିୟାକୁ ସମର୍ଥନ ଦେବା ଲାଗି ଏହି କ୍ଲଷ୍ଟର୍ରେ ଇଞ୍ଜିନ ନିମାଣ, ଷ୍ଟିଲ୍ ଫେବ୍ରିକେସନ୍ ଓ ଉପକରଣ ଯୋଗାଣକାରୀଙ୍କ ପାଇଁ ବ୍ୟବସ୍ଥା ରହିବ। ଏଥିରେ ବିଭିନ୍ନ ପ୍ରକାର ଆନୁଷଙ୍ଗିକ ଶିଳ୍ପକୁ ସ୍ଥାନ ଦିଆଯିବ। ଏହା ବ୍ୟତୀତ ପ୍ରଶାସନିକ କୋଠା, ତାଲିମ କେନ୍ଦ୍ର ଏବଂ ଗବେଷଣା ଓ ବିକାଶ ସୁବିଧା ମଧ୍ୟ ରହିବ। ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ପାରାଦୀପ ବନ୍ଦର ଓ ଓଡ଼ିଶା ମାରିଟାଇମ୍ ବୋର୍ଡ ପକ୍ଷରୁ ଜମି ପାର୍ଶ୍ବରେ ଏବଂ ନଦୀ ପାର୍ଶ୍ବକୁ ବିକାଶ କରିବେ। ନିବେଶ ହାସଲ କରିବା, ପ୍ରତିଯୋଗିତା ବଢ଼ାଇବା ଏବଂ ଭାରତର ବାଣିଜ୍ୟିକ ଜାହାଜ ନିର୍ମାଣ କ୍ଷମତାକୁ ବଢ଼ାଇବାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ବିକାଶ କରାଯିବ।