କଟକ: ଓଡ଼ିଶାରେ ମୂଲ୍ୟବାନ୍ ଅଷ୍ଟ୍ରେଲିଆନ୍ କୋଇଲାର ବଡ଼ ଧରଣର ଚୋରା କାରବାର ଚାଲିଛି। ଧାମରା ବନ୍ଦରରୁ ମାଲବାହୀ ଟ୍ରେନରେ ବୋଝେଇ ହୋଇ କମ୍ପାନିକୁ ଯାଉଥିବା ଅଷ୍ଟ୍ରେଲିଆନ୍ କୋଇଲା ଭଦ୍ରକ-ଧାମରା ଜଙ୍କସନରୁ ଚୋରି ହେଉଛି। ଏହି ଅଷ୍ଟ୍ରେଲିଆନ୍ କୋଇଲା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ପଶ୍ଚିମଓଡ଼ିଶା ଚାଲାଣ ହେଉଛି। କେଜି ପିଛା ୨୦ ଟଙ୍କାରେ ମିଳୁଥିବା ଏହି କୋଇଲାକୁ ମାଫିଆ ମାଲବାହୀ ଟ୍ରେନରୁ ଚୋରି କରି କେଜି ପିଛା ୧୦ ଟଙ୍କା ଅର୍ଥାତ ଅଧା ମୂଲ୍ୟରେ ଉକ୍ତ ଅଞ୍ଚଳର କମ୍ପାନିରେ ବିକ୍ରି କରିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ଏବେ ରେଳ ବିଭାଗରେ ପହଞ୍ଚିଛି। ବିଳମ୍ବିତ ରାତିରେ ଏହି ଅଷ୍ଟ୍ରେଲିଆନ୍ କୋଇଲା ପିକ୍ ଅପ୍ ଭ୍ୟାନ୍ରେ ଚାଲାଣ ହେବା ଘଟଣା ଏବେ ରେଳବାଇ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆରୁ ଜାହାଜରେ ଆମଦାନୀ ହେଉଥିବା ଏହି କୋଇଲା ଧାମରା ବନ୍ଦରରେ ପହଞ୍ଚୁଛି। ସେଠୁ ମାଲବାହୀ ଟ୍ରେନରେ ରାଜ୍ୟର ବିଭିନ୍ନ ଘରୋଇ କମ୍ପାନିକୁ ସ୍ଥାନାନ୍ତର କରାଯାଉଛି। କିନ୍ତୁ ଭଦ୍ରକ-ଧାମରା ଜଙ୍କସନରୁ ଏହି କୋଇଲା ଚୋରି ହେଉଛି।
ଏହି ଜଙ୍କସନରେ କୋଇଲା ବୋଝେଇ ମାଲବାହୀ ଗାଡ଼ି ସିଙ୍ଗଲ୍ ଲାଇନରେ ଯାଉଥିବାରୁ ଅନେକ ସମୟରେ ସିଗନାଲ୍ ନ ମିଳିଲେ ଗାଡ଼ି ଅଟକୁଛି। ଗାଡ଼ି ଅଟକିବା ଫଳରେ ଗାଡ଼ିରୁ କୋଇଲା ତଳକୁ ଖସାଯାଉଛି। ୫୮ କିମି ଦୂର ଏହି ରେଳ ଲାଇନ୍ ମଝିରେ ହିଁ ସବୁ କାରବାର ହେଉଛି। ସେଠୁ ପିକଅପ୍ ଭ୍ୟାନରେ କୋଇଲା ଲୋଡିଂ କରାଯାଉଛି। ବାଲେଶ୍ବର ଜିଲ୍ଲା ସୋର ଦେଇ ଝାଡ଼ଖଣ୍ଡର ଧାନବାଦ, ଜାମସେଦପୁର, ଟାଟା ଏବଂ ପଶ୍ଚିମବଙ୍ଗର ଖଡ଼ଗପୁର, କଲିକତା ଯାଉଥିବା ବେଳେ ଆଉ କିଛି ଯାଜପୁର ଜିଲ୍ଲା ପାଣିକୋଇଲିରୁ ଯାଜପୁର ରୋଡ-ବ୍ୟାସନଗର କଲେଜ ରାସ୍ତା- ଦାନଗଦି-ଡୁବୁରି ଓ କଳିଙ୍ଗନଗର ଆଡ଼କୁ ଯାଉଛି। ଆଉ କିଛି ଚଣ୍ଡିଖୋଲ-ମଙ୍ଗୁଳି-ଜଗତପୁରରେ ପହଞ୍ଚୁଛି। ଜଗତପୁର ଓ ମଙ୍ଗୁଳିରେ ଜାତୀୟ ରାଜପଥ ପାର୍ଶ୍ବରେ ଏହି ଗାଡ଼ି ଅଟକୁଛି। ବିଳମ୍ବିତ ରାତିରେ ଅସ୍ଥାୟୀ କୋଇଲା ମଣ୍ଡି ଖୋଲୁଛି। କୋଇଲା ମାଫିଆମାନେ କମ୍ପାନି ଏଜେଣ୍ଟଙ୍କ ସହିତ ଟଙ୍କା ମୂଲଚାଲ କରୁଛନ୍ତି। ହିସାବ ଛିଣ୍ଡିବା ପରେ ଏହି ପିକଅପ୍ ଭ୍ୟାନ୍ ସିଧା ପଶ୍ଚିମ ଓଡ଼ିଶାରେ ଥିବା କମ୍ପାନିକୁ ଯାଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ, ଅନୁଗୁଳ ଜିଲ୍ଲା ତାଳଚେର, ଝାରସୁଗୁଡ଼ା ଓ ରାଉରକେଲାରେ ଥିବା କମ୍ପାନିକୁ ଚାଲାଣ କରାଯାଉଛି।
ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ଯେତେସବୁ ପ୍ଲାଣ୍ଟ ଅଛି ସବୁ ପ୍ଲାଣ୍ଟକୁ ଅଷ୍ଟ୍ରେଲିଆନ୍ କୋଇଲା ରପ୍ତାନୀ ହେଉଛି। ତାଳଚେର କୋଇଲା କେବଳ ଥର୍ମାଲ୍ ପାଵାର ପ୍ଲାଣ୍ଟରେ ବ୍ୟବହାର ହେଉଛି। ତାଳଚେରରୁ ଉତ୍ପାଦନ ହେଉଥିବା କୋଇଲା କେଜି ପିଛା ପ୍ରାୟ ୧୦ ଟଙ୍କାରେ ବିକ୍ରି ହେଉଛି। ତାଳଚେର କୋଇଲା ଉନ୍ନତମାନର ହୋଇ ନଥିବାରୁ ପ୍ଲାଣ୍ଟରେ ଅଷ୍ଟ୍ରେଲିଆନ୍ କୋଇଲାକୁ ଅଗ୍ରାଧିକାର ଦିଆଯାଉଛି। ଅଷ୍ଟ୍ରେଲିଆନ୍ କୋଇଲାର ମୂଲ୍ୟ ଅଧିକ ରହିଥିବାରୁ ଚୋରାରେ ଏହାକୁ କିଣାଯାଉଛି। ଅଷ୍ଟ୍ରେଲିଆନ୍ କୋଇଲା ମାଫିଆ ଭଦ୍ରକ-ଧାମରା ରେଳ ଧାରଣାରୁ ଅଷ୍ଟ୍ରେଲିଆନ୍ କୋଇଲା କେଜି ପିଛା ପ୍ରାୟ ୫ ଟଙ୍କାରେ କିଣି କମ୍ପାନିରେ ୧୦ରୁ ୧୧ ଟଙ୍କାରେ କମ୍ପାନିକୁ ବିକ୍ରି କରୁଛନ୍ତି। କିନ୍ତୁ ପ୍ରକୃତରେ ଆଇନଗତ ଭାବେ ଆମଦାନୀ ହେଉଥିବା ଅଷ୍ଟ୍ରେଲିଆନ୍ କୋଇଲା କେଜି ପିଛା ମୂଲ୍ୟ ପ୍ରାୟ ୨୦ ଟଙ୍କା ରହୁଛି। ସେଥିପାଇଁ ଅନେକ କମ୍ପାନି ଏଭଳି ଚୋରା ଉପାୟରେ ଅଷ୍ଟ୍ରେଲିଆନ୍ କୋଇଲା ଉପରେ ନିର୍ଭର କରୁଛନ୍ତି।
ଅଷ୍ଟ୍ରେଲିଆନ୍ କୋଇଲାର ଗୁଣାତ୍ମକ ମାନ ଦୃଷ୍ଟିରୁ ଏହାକୁ ଦୁଇ ଗୁଣ ମୂଲ୍ୟରେ କମ୍ପାନି କିଣିବା ବଦଳରେ ଚୋରାରେ ଅଧା ମୂଲ୍ୟରେ ପ୍ରାୟ ୧୦ରୁ ୧୧ ଟଙ୍କାରେ କୋଇଲା ମାଫିଆଙ୍କ ନିକଟରୁ କିଣୁଛନ୍ତି। ଭଦ୍ରକ ଆରପିଏଫ୍ ଓ ଜିଆରପି ଥାନା ଥିବା ସତ୍ତ୍ବେ ଏଭଳି ବେଆଇନ କାରବାରରେ ସେମାନଙ୍କ ଭୂମିକା ଏବେ ସନ୍ଦେହର କାରଣ ହୋଇଛି। କଟକ ଆରପିଏଫ୍ ଥାନା ଗଲା ୩ ବର୍ଷ ଭିତରେ ୬ଟି କୋଇଲା ଚୋରା କାରବାର ଘଟଣାରେ ମାମଲା ରୁଜୁ କରିସାରିଲାଣି। ଏହି କାରବାରରେ ୧୦ଟି କୋଇଲା ବୋଝେଇ ଗାଡ଼ି ଜବତ ହୋଇଥିବା ବେଳେ ୧୨ ଜଣ କୋଇଲା ମାଫିଆ ଗିରଫ ହୋଇଛନ୍ତି। ପାଖାପାଖି ୫୦ ଟନ୍ ଚୋରା ଅଷ୍ଟ୍ରେଲିଆନ୍ କୋଇଲା କଟକ ଆରପିଏଫ୍ ମଙ୍ଗୁଳି ଓ ଜଗତପୁର ଅଞ୍ଚଳରୁ ଜବତ ହୋଇଛି। ସେହିଭଳି ଭଦ୍ରକ-ଧାମରା ରେଳ ଲାଇନରେ ଅସାଧୁ ମେଣ୍ଟ ଘଟଣା ଏବେ ରେଳ ବିଭାଗ ନିକଟରେ ପହଞ୍ଚିବା ପରେ ଘଟଣାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଏହି କାରବାରରେ ଭଦ୍ରକ ରେଳବାଇ ପୁଲିସ ସ୍କାନରରେ ଥିବା କୁହାଯାଉଛି।