ରୁଷ ସମୁଦ୍ରରେ ଜାହାଜ ବିସ୍ଫୋରଣ : ସମ୍ବଲପୁରର ସିଦ୍ଧାର୍ଥ ନିଖୋଜ

ସମ୍ବଲପୁର : ଗତ ସୋମବାର ରୁଷିଆ ଓ କ୍ରିମିଆ ମଧ୍ୟବର୍ତ୍ତୀ କର୍ଚ୍ଚ ପ୍ରଣାଳୀରେ ହୋଇଥିବା କାର୍ଗୋ ଜାହାଜ ବିସ୍ଫୋରଣରେ ଜଣେ ଓଡ଼ିଆ ଯୁବକ ନିଖୋଜ ଥିବା ଜଣା ପଡ଼ିଛି। ସେ ହେଲେ ସମ୍ବଲପୁରର ସିଦ୍ଧାର୍ଥ ମେହେର (୨୪)। ଦୁର୍ଘଟଣାର ଶିକାର ହୋଇଥିବା ୨ଟି ଜାହାଜରେ ମୋଟ ୧୫ ଜଣ ଭାରତୀୟ ଥିଲାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି ଓ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୯ ଜଣଙ୍କର ଏଯାଏଁ ପତ୍ତା ମିଳି ନାହିଁ। ସେମାନଙ୍କ ମଧ୍ୟରେ ସିଦ୍ଧାର୍ଥ ରହିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ମା‌ଏଷ୍ଟ୍ରୋ ଜାହାଜରେ ସିଦ୍ଧାର୍ଥ ଅବସ୍ଥାପିତ ଥିଲେ। ତାହା ଏକ ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର ଥିଲା। ଉକ୍ତ ଜାହାଜକୁ କ୍ୟାଣ୍ଡି ନାମକ ଏକ ତୈଳବାହୀ ଜାହାଜ (ଅଏଲ କଣ୍ଟେନର)ରୁ ଇନ୍ଧନ ସ୍ଥାନାନ୍ତର କରାଗଲାବେଳେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ସୂଚନା ପାଇବା ମାତ୍ରେ ନିଜର ଦୁଇ ଭାରତୀୟ ବନ୍ଧୁ ସଚିନ ଏବଂ ଅଜିତଙ୍କ ସହ ସିଦ୍ଧାର୍ଥ ଏକାଠି ସମୁଦ୍ରକୁ ଡେଇଁ ପଡ଼ିଥିବା ଜଣା ପଡ଼ିଛି। ଏହାପରେ ସଚିନ ଏବଂ ଅଜିତ ଚେତା ଫେରି ପାଇଲା ବେଳକୁ ନିଜକୁ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ହେଲେ ସିଦ୍ଧାର୍ଥଙ୍କ ପତ୍ତା ମିଳି ନଥିବା ହରିଆନାର ସଚିନଙ୍କ ସୂତ୍ରରୁ ପ୍ରକାଶ।

୨ ଦିନ ବିତିଲା ପରେ ବି ଏଯାଏଁ ସିଦ୍ଧାର୍ଥଙ୍କ କୌଣସି ଖବର ମିଳି ନଥିବାରୁ ସମ୍ବଲପୁରରେ ତାଙ୍କ ମାତାପିତା ଓ ଆତ୍ମୀୟ ସ୍ବଜନ ଚିନ୍ତିତ ଅବସ୍ଥାରେ ରହିଛନ୍ତି। ସେମାନେ ମସ୍କୋସ୍ଥିତ ଭାରତୀୟ ତୂତାବାସ, ନିଯୁକ୍ତିଦାତା କମ୍ପାନି ଓ ଉଦ୍ଧାର ପାଇଥିବା ତାଙ୍କ ବନ୍ଧୁମାନଙ୍କ ସହ ଯୋଗସୂତ୍ରରେ ଥିଲେ ବି ସିଦ୍ଧାର୍ଥଙ୍କ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ପ‌ାଇପାରି ନାହାନ୍ତି।

ବରଗଡ଼ ଜିଲ୍ଲା କାଦୋବାହାଲର ମୂଳନିବାସୀ ତଥା ସମ୍ବଲପୁରରେ ପିପିଏଲ୍‌ର ଆଞ୍ଚଳିକ ପ୍ରବନ୍ଧକଭାବେ ଅବସ୍ଥାପିତ ସତ୍ୟ ନାରାୟଣ ମେହେର ଏବଂ ଗୀତାଞ୍ଜଳି ମେହେରଙ୍କ ଏକମାତ୍ର ପୁତ୍ର ସିଦ୍ଧାର୍ଥ ଚେନ୍ନାଇସ୍ଥିତ ଭାରତୀୟ ସାମୁଦ୍ରିକ ବିଶ୍ବବିଦ୍ୟାଳୟ (ଇଣ୍ଡିଆନ୍ ମେରିଟାଇମ୍‌ ୟୁନିଭାର୍ସିଟି) ଚେନ୍ନାଇରେ ସାମୁଦ୍ରିକ ବିଜ୍ଞାନ (ନଟିକାଲ ସାଇନ୍‌ସ)ରେ ପାଠ ପଢ଼ିଛନ୍ତି। ପାଠପଢ଼ା ଶେଷ ପରେ ସେ ନିମ୍ବସ ମେରିଟାଇମ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ ନାମକ ମୁମ୍ବାଇ ଭିତ୍ତିକ ନୌବାଣିଜ୍ୟ କମ୍ପାନିରେ ନିଯୁକ୍ତି ପାଇଥିଲେ। କମ୍ପାନି ତାଙ୍କୁ ତୁର୍କୀର ଇସ୍ତାନବୁଲରେ ଅବସ୍ଥାପିତ କରିଥିଲା।

ସମ୍ବନ୍ଧିତ ଖବର