ଭୁବନେଶ୍ବର: ରାଜ୍ୟରେ ତିଆରି ହେବ ଜାହାଜ। ଭଦ୍ରକ ଜିଲ୍ଲାରେ ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଏକ ସମନ୍ବିତ ଜାହାଜ ତିଆରି କାରଖାନା ସ୍ଥାପନ କରିବ। ଆଜି ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ଏହି ପ୍ରକଳ୍ପ ସମେତ ମୋଟ ୪୯୫୪.୨୬ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଥିବା ୩୧ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୪,୧୬୨ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ମୁ ଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ କମିଟି ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ବର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ସ୍ଥାପନ କରାଯିବ। ବୈଠକରେ କାଲଡେରିସ୍ ଇଣ୍ଡିଆ ଖୋର୍ଦ୍ଧାରେ ୬୯୮.୭୧ କୋଟି ଟଙ୍କା ନିବେଶରେ ସ୍ଥାପନ କରିବାକୁ ଥିବା ରିଫ୍ରାକ୍ଟରି କାରଖାନା ପ୍ରସ୍ତାବ ମଧ୍ୟ ମଞ୍ଜୁର ହୋଇଛି। 

Advertisment

କୋରାପୁଟରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ୨୯୪ କୋଟି ଟଙ୍କା ନିବେଶରେ ସୌରଶକ୍ତି ପ୍ଲାଣ୍ଟ ବସାଇବ। ଏଥି ସହିତ ପାଞ୍ଚଟି ହୋଟେଲ୍ ଓ ରିସୋର୍ଟ ପ୍ରକଳ୍ପ ମଞ୍ଜୁର ହୋଇଛି। ପୁରୀରେ ଏସ୍‌ଏନ୍‌ଏମ୍ ହୋଟେଲ୍‌ ଆଣ୍ଡ ରିସୋର୍ଟ ନିଜସ୍ବ ଜମିରେ ୨୧୨.୨୫ କୋଟି ଟଙ୍କା ଓ ପାରାଦୀପରେ ମେଫେୟାର ୧୦୫ କୋଟି ଟଙ୍କା ନିବେଶରେ  ହୋଟେଲ୍‌ ତଥା ରିସୋର୍ଟ ସ୍ଥାପନ କରିବେ। କୋରାପୁଟରେ ଜିଏମ୍-ଇନ୍‌ଫ୍ରାଟେକ୍ ୮୧.୧୧ କୋଟି ଟଙ୍କା ନିବେଶରେ ଏହାର ପ୍ରସ୍ତାବିତ ରିସୋର୍ଟର ସମ୍ପ୍ରସାରଣ କରିବ। କେନ୍ଦ୍ରାପଡ଼ାରେ କାକର୍ସ ଇଣ୍ଡିଆ ୫୬ କୋଟି ଟଙ୍କା ନିବେଶରେ ଏକ ୪-ତାରକା ହୋଟେଲ୍‌ ଓ ମୟୂରଭଞ୍ଜର ଶିମିଳିପାଳରେ ହୋଟେଲ୍‌ ସୋନାର୍‌ ବାଙ୍ଗ୍‌ଲା ୫୧ କୋଟି ଟଙ୍କା ନିବେଶ କରିବ। 

୫ଟି ହୋଟେଲ୍‌, ରିସୋର୍ଟ ହେବ
ରାୟଗଡ଼ାରେ ଇମ୍ଫାର ଇଥାନଲ୍‌ ପ୍ରକଳ୍ପ
ଖୋର୍ଦ୍ଧାରେ ବିସ୍‌ଲେରି କାରଖାନା

ରାୟଗଡ଼ାରେ ଇମ୍ଫା ସ୍ଥାପନ କରିବାକୁ ଯାଉଥିବା ଇଥାନଲ୍‌ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି। ଏଥିରେ କମ୍ପାନି ୧୩୯.୯୦ କୋଟି ଟଙ୍କା ନିବେଶ କରିବ। ଜୟ ଭାରତ ସ୍ପାଇସେସ୍‌ କଟକରେ ୫୦ କୋଟି ଟଙ୍କା ନିବେଶରେ ଏକ ମକାମଣ୍ଡ କାରଖାନା ସ୍ଥାପନ କରିବ। ଢେଙ୍କାନାଳରେ ଇଣ୍ଡିଆନ ପଟାସ ଏକ ବଟଲିଂ କାରଖାନା ବସାଇବ। ରିଲାଏନ୍ସ ବାୟୋ ଏନର୍ଜି ସମ୍ବଲପୁରରେ ୧୨୧.୨୧ କୋଟି ଟଙ୍କା ନିବେଶରେ କମ୍ପ୍ରେସଡ୍‌ ବାୟୋ ଗ୍ୟାସ୍ କାରଖାନା ସ୍ଥାପନ କରିବ। କମ୍ପାନି ସୋନପୁରରେ ମଧ୍ୟ ସମାନ ଧରଣର ଏକ କାରଖାନା ସ୍ଥାପନ କରିବ। ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ବରଗଡ଼ରେ ୨୦୦ କୋଟି ଟଙ୍କା ନିବେଶରେ କମ୍ବ୍ରେସଡ୍‌ ବାୟୋଗ୍ୟାସ୍ କାରଖାନା ବସାଇବ। ଏଫ୍‌ଏମ୍ ଡେନିମ୍ ଆଣ୍ଡ୍‌ ଟ୍ବିଲ୍‌ସ ଓ ତ୍ରିପଥଗା ଟେକ୍ସଟାଇଲ୍‌ସ ଖୋର୍ଦ୍ଧାରେ ପୋଷାକ କାରଖାନା ବସାଇବେ। ଖୋର୍ଦ୍ଧାରେ ବିସ୍‌ଲେରି ବସାଇବ କାରଖାନା। 

ଡାନିଏଲି ଇଣ୍ଡିଆ, ପଲିମିରୟର ଇଣ୍ଡିଆ, ପାର୍ଥ ଇଲେକ୍ଟ୍ରିକାଲ୍‌ସ ଆଣ୍ଡ୍‌ ଇଞ୍ଜିନିୟରିଂ ସେହିଭଳି ମେକାନିକାଲ୍ ଓ ଇଲେକ୍ଟ୍ରିକାଲ୍ ଉପକରଣ ଉତ୍ପାଦନ ଲାଗି କାରଖାନା ବସାଇବେ। ଖୋର୍ଦ୍ଧାରେ ଶାଲିମାର ଗ୍ଲାସ୍ ୪୭୫.୫୪ କୋଟି ଟଙ୍କା ନିବେଶ କରିବ। ମୋଗ୍‌ଲି ଲ୍ୟାବ୍‌ ଅନୁଗୁଳରେ ୬୫ କୋଟି ଟଙ୍କା ନିବେଶ କରି ଆଲୁମିନିୟମ ତାର ତିଆରି କରିବ। ଝାରସୁଗୁଡ଼ାରେ ମ‌ାଇକ୍ରୋଜମ୍‌ ରିଫ୍ରାମିନ୍ ୬୧ କୋଟି ଟଙ୍କା, ଯାଜପୁରରେ ନବନୀତ ମାର୍କେଟିଂ ୮୫.୧୪ କୋଟି ଟଙ୍କା, ଗଜାନନ ପ୍ରଭୁ ସ ପାଇପ୍‌ସ ୮୦ କୋଟି ଟଙ୍କା ନିବେଶ କରିବେ। ଏଥି ସହିତ ଆଜିର ବୈଠକରେ ସୂର୍ଯ୍ୟ ଇଣ୍ଟରନ୍ୟାସନାଲ୍ ଏଣ୍ଟରପ୍ରାଇଜେସ୍‌, ସନ୍ୟମ ଟାଇ-ଅପ୍, ଜିଏକେ ରାଇସ୍‌, ମା ଛିନ୍ନମସ୍ତା ଏନର୍ଜି, ଅମିତାଶ ହେଲ୍‌ଥକେୟାର ଓ ବେନ୍ ଗ୍ଲୋବାଲ୍‌ର ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଛି।