ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଶୁଡି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କେଉଁଠି ଶ୍ରେଣୀ ଗୃହ ଥିଲେ ଶିକ୍ଷକ ନଥିବା ବେଳେ ଆଉ କେଉଁଠି ଶିକ୍ଷକ ଥିଲେ ଶ୍ରେଣୀ ଗୃହର ଅଭାବ ଦେଖିବାକୁ ମିଳୁଛି। ଏପରିକି ଦୁର୍ଗମ ଅଞ୍ଚଳରେ ମାସ ମାସ ଧରି ଶିକ୍ଷକ ସ୍କୁଲ ଯାଉ ନଥିବା ବେଳେ କିଛି ସ୍କୁଲରେ ପାଳିକରି ଶିକ୍ଷକମାନେ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି।
ଏହି କ୍ରମରେ ଏଭଳି ଏକ ବିଦ୍ୟାଳୟ ଦେଖିବାକୁ ମିଳିଛି ମାଥିଲି ବ୍ଲକର ପାଙ୍ଗାମ ପଞ୍ଚାୟତର ୩୨୬ ଜାତୀୟ ରାଜପଥର ମାତ୍ର ଏକ କିଲୋମିଟର ଦୂରରେ ରହିଥିବା ଶିରାଗୁଡା ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟଟି ୧୯୭୦ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି।
କାହିଁ କେଉଁ କାଳରୁ ତିଆରି ହୋଇଥିବା ଶ୍ରେଣୀ ଗୃହଗୁଡିକର ଛାତ ଉଡିଯାଇଥିବା ବେଳେ ଗୃହ କାନ୍ଥଗୁଡିକ କେତେବେଳେ ପଡିଯିବ କହି ହେବ ନାହିଁ। କିଛି ବର୍ଷ ତଳେ ଏକ ନୂତନ ଗୃହ ନିର୍ମାଣ ହୋଇଥିବାବେଳେ ଗୋଟିଏ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ଏହି ବିଦ୍ୟାଳୟରେ ୩୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇ ଜଣ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ରହିଛନ୍ତି।
ବିଦ୍ୟାଳୟକୁ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ସହ ପ୍ରତି କ୍ଷେତ୍ରରେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ଯେପରି ପ୍ରତିବର୍ଷ କମ୍ପୋଜିଟ ବାବଦକୁ ୨୫ ହଜାର ଟଙ୍କା,ଖେଳ ବାବଦକୁ ୫ ହଜାର ଟଙ୍କା,ଏସଏମସି ତାଲିମ ବାବଦକୁ ୩ ହଜାର ଟଙ୍କା,ଇକୋ କ୍ଲବ ବାବଦକୁ ୫ ହଜାର ଟଙ୍କା,ଟିଏଲଏମ ବାବଦକୁ ୧ ହଜାର ଟଙ୍କା,ଆତ୍ମ ସୁରକ୍ଷା ତାଲିମ ବାବଦକୁ ୨ ହଜାର ଟଙ୍କା ପ୍ରଦାନ କରାଯାଉଛି। ସେହିପରି ବିଜ୍ଞାନ ଓ ଗଣିତ ବାବଦକୁ ୫ ହଜାର ଟଙ୍କା,ଆମ ଖେଳନା ବାବଦକୁ ୧ ହଜାର ଟଙ୍କା ସରକାର ସ୍କୁଲମାନଙ୍କୁ ଦେଉଛନ୍ତି।
କିନ୍ତୁ ଏହି ବିଦ୍ୟାଳୟରେ ସେହି ଟଙ୍କା କୁଆଡେ ଗଲା ଏବଂ ଜରାଜୀର୍ଣ୍ଣ କରି କିପରି ବିଦ୍ୟାଳୟକୁ ସ୍କୁଲ କର୍ତ୍ତୃପକ୍ଷ ଛାଡି ଦେଇଛନ୍ତି ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏନେଇ ବିଭାଗୀୟ ଅଧିକାରୀମାନେ ଅବଗତ ରହିଥିଲେ ମଧ୍ୟ କିପରି କୌଣସି ପଦକ୍ଷେପ ନେଉନାହାନ୍ତି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପ୍ରତି ମାସରେ ବିଇଓ,ସିଆରସିସିମାନେ ନିୟମିତ ବିଦ୍ୟାଳୟ ପରିଦର୍ଶନ କରୁଥିବା ବେଳେ କିପରି ଏଭଳି ବିଦ୍ୟାଳୟଗୁଡିକ ଶୋଚନୀୟ ଅବସ୍ଥାରେ ପଡିରହିଥଲେ ମଧ୍ୟ ଏସବୁର ଉନ୍ନତି କରଣ କରାଯିବା ନେଇ ପଦକ୍ଷେପ ନେଉନାହାନ୍ତି ତାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ: ବିଧାନସଭାରେ ହଟ୍ଟଗୋଳ: ଗୃହକାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି
ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ପାଇଁ ରୋଷେଇ ଗୃହ ନଥିବା ବେଳେ ବାହାରେ ଖୋଲାମେଲାରେ ରୋଷେଇ କରାଯାଉଥିବା ଦେଖିବାକୁ ମିଳିଛି। ରାସ୍ତା କଡରେ ଥିବା ବିଦ୍ୟାଳୟର ଅବସ୍ଥା ଏପରି ତ ଦୁର୍ଗମ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡିକର ଅବସ୍ଥା କିପରି ଥିବା ତାହା ସହଜରେ ଅନୁମେୟ। ଏହାର ଉଚିତ୍ ତଦନ୍ତ କରି ସ୍କୁଲ କର୍ତ୍ତୃପକ୍ଷ ସମେତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ: ରହସ୍ୟମୟ ପରିସ୍ଥିତିରେ ନାବାଳକ ଜୀବନ୍ତ ଦଗ୍ଧ