ବୈପାରିଗୁଡ଼ା: ମହାଶିବରାତ୍ରି ନିମନ୍ତେ ଜାଗରଯାତ୍ରା ପାଇଁ ଉତ୍ସବମୁଖର ଦକ୍ଷିଣ ଓଡିଶାର ପ୍ରମୁଖ ଶୈବପୀଠ ଗୁପ୍ତେଶ୍ୱର ପୀଠ। କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ଶାବରୀ ନଦୀ କୁଳରେ ଅବସ୍ଥିତ ଏହି ଗୁପ୍ତେଶ୍ୱର ପୀଠ। ଗୁପ୍ତେଶ୍ୱର ପୀଠରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମି ଥିବାର ପରିଲକ୍ଷିତ ହୋଇଥିଲା। ମନ୍ଦିର ଦ୍ୱାର ଫିଟା ନୀତି ସହ ମଙ୍ଗଳ ଆଳତୀ ପରେ ଜଳାଭିଷେକ ନୀତି ସମ୍ପନ୍ନ କରାଯାଇଥିଲା। ପରେ ଭକ୍ତମାନଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା।
ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଦିନ ତମାମ ଶୃଙ୍ଖଳିତ ଭାବେ ଠାକୁର ଦର୍ଶନ କରିଥିଲେ। ହର ହର ମହାଦେବ, ଗୁପ୍ତେଶ୍ୱର ବାବା ପାର୍ କରେଗା ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ପୀଠ। ଜାଗର ପାଇଁ ଆଜି ସଂଧ୍ୟା ୬ ଟାରେ ଆଳତୀ ପରେ ଠାକୁରଙ୍କର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ରାତି ଏଗାରଟାରେ ମହାସ୍ନାନ ଏବଂ ସ୍ବର୍ଣ୍ଣ ଅଳଙ୍କାର ଲାଗି ହେବ। ଏହାପରେ ରାତି ୧୨ ଟାରେ ହରିହର ଭେଟ ଆଉ ୨ ଟାରେ ମହାଦୀପ ଉଠିବ ବୋଲି ମୁଖ୍ୟ ପୂଜକ ବାବୁଲା ମିଶ୍ର ପ୍ରକାଶ କରିଛନ୍ତି।
ପୀଠରେ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ଶ୍ରଦ୍ଧାଳୁମାନଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଛତିଶଗଡ଼ର ଶ୍ରଦ୍ଧାଳୁ ଓ ଭକ୍ତମାନେ ସାବେରୀ ନଦୀ ଉପରେ ନିର୍ମିତ ଅସ୍ଥାୟୀ ବାଉଁଶ ପୋଲ ପାର ହୋଇ ଗୁପ୍ତେଶ୍ୱର ପୀଠକୁ ଆସିଥିଲେ। ଜାଗର ସାରି ପୁଣି ଗୁରୁବାର ସେମାନେ ଛତିଶଗଡ ଫେରିଯିବେ ବୋଲି ଜଣାପଡିଛି।
ଓଡିଶା ପଟରୁ ମଧ୍ୟ ଶ୍ରଦ୍ଧାଳୁ ନଦୀ ପାର ହୋଇ ଛତିଶଗଡ ଆଡ଼କୁ ବୁଲିବାକୁ ଯାଆନ୍ତିl ଏକ ପ୍ରକାର ସମ୍ପର୍କର ସେତୁ ସାଜିଛି ଅସ୍ଥାୟୀ ବାଉଁଶ ପୋଲl ଓଡିଶା ଏବଂ ଛତିଶଗଡ ଉଭୟ ରାଜ୍ୟର ଭକ୍ତମାନେ ଜାଗର ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲାl ଶୃଙ୍ଖଳିତ ଦର୍ଶନ ପାଇଁ ଜୟପୁର ଦେବୋତ୍ତର ବିଭାଗ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କୋରାପୁଟ ଜିଲ୍ଲାର ପ୍ରମୁଖ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ ପୀଠରେ ୧୫ ପ୍ଲାଟୁନ ପୁଲିସ ନିୟୋଜିତ ହୋଇଛନ୍ତି। ଏଥିସହ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଜୁଳି ଆଲୁଅ ଯୋଗାଣ, ଜରୁରୀ ସ୍ୱାସ୍ଥ୍ୟ ସେବା, ନଦୀ ଘାଟରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି l ଜିଲ୍ଲା ତଥା ରାଜ୍ୟ ବାହାରରୁ ୧ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ଗୁପ୍ତେଶ୍ୱର ପୀଠରେ।