ସିଧେଶ୍ବର ପୀଠରେ ବାଲି ଖୋଳୁ ଖୋଳୁ ବାହାରିଲେ ମହାଦେବ

ଯାଜପୁର/ଦଶରଥପୁର: ବାଲି ଖୋଳୁ ଖୋଳୁ ବାହାରିଲେ ମହାଦେବ । ଯାଜପୁର ଜିଲ୍ଲା ଦଶରଥପୁର ତହସିଲ ଅଧିନସ୍ଥ ସିଧେଶ୍ୱର ପୀଠ ନିକଟରେ ଥିବା ବୈତରଣୀ ନଦୀ ଗର୍ଭରୁ ଗୋଟିଏ ଧଳା ଶିବ ଲିଙ୍ଗ ବାହାରିଥିବା ବେଳେ ଆଉ ଦୁଇଟି ଅମୁହାଁ ମନ୍ଦିର ଦୃଶ୍ୟମାନ ହୋଇଛି । ସିଧେଶ୍ୱର ମନ୍ଦିରରୁ ଦୁଇଶହ ମିଟର ଦୂରରେ ଥିବା ବୈତରଣୀ ନଦୀ ଗର୍ଭରୁ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଛି। ଦିନ ରାତି ବାଲି‌ ଉତ୍ତୋଳନ ଯୋଗୁ ଉକ୍ତ ଅଞ୍ଚଳରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ତେବେ ସେହି ଉତ୍ତୋଳନ ସମୟରେ ଏକ ପୁରାତନ ମନ୍ଦିର ଓ ଶିବଲିଙ୍ଗ ଦୃଶ୍ୟମାନ ହୋଇଛି।

କେଉଁ କାଳରୁ ତାହା ନଦୀ ଗର୍ଭରେ ପୋତି ହୋଇ ରହିଥିବା ବେଳେ ଏବେ ତାହା ବାହାରକୁ ଦୃଶ୍ୟମାନ ହେଉଛି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି । ଜାଗର ଦିନ ଏହି ମନ୍ଦିର ଓ ଲିଙ୍ଗ ଦୃଶ୍ୟମାନ ହୋଇଥିବା ବେଳେ କେତେକ ସେବାୟତ ପାଣି ଭିତରେ ଥିବା ଶିବ ଲିଙ୍ଗକୁ ବିଧି ଅନୁସାରେ ପୂଜା କରିଥିଲେ। ସିଧେଶ୍ବର ମନ୍ଦିର ବହୁ ଐତିହ୍ୟ ଓ ସଂସ୍କୃତି ସହ ଜଡ଼ିତ ଥିବା ବେଳେ ଏହି ପୁରାତନ ଲିଙ୍ଗ ଓ ମନ୍ଦିରକୁ ଉଦ୍ଧାର କରାଯାଇ ମନ୍ଦିର ପରିସରରେ ସ୍ଥାନିତ କରିବାକୁ ସେବାୟତମାନେ ମନ୍ଦିର ଟ୍ରଷ୍ଟି ତଥା ଦଶରଥପୁର ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି। ଖାଲି ଏତିକି ନୁହେଁ, ମନ୍ଦିର ଚାରି ପଟେ ଆହୁରି ପଥର କଳା ପୋତି ହୋଇ ରହିଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ରଖିଛନ୍ତି। ତେବେ ମନ୍ଦିର ସୁରକ୍ଷା ସହ ମିଳୁଥିବା ଐତହ୍ୟର ଯତ୍ନ ନେବା ପାଇଁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ପୂଜକ ଧନଞ୍ଜୟ ଦିକ୍ଷୀତ, ହରିଶଙ୍କର ଦିକ୍ଷୀତ ଓ ପ୍ରୀତିରଂଜନ ଦିକ୍ଷୀତ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର