ତୁଟିଲା ତିଥି ବିବାଦ : ୧୪ରେ ଜାଗର

ପୁରୀ : ମହାଶିବରାତ୍ରି (ଜାଗର) ତିଥିକୁ ନେଇ ବିବାଦ ତୁଟିଲା। ପୂର୍ବ ନିର୍ଧାରିତ ୧୪ ତାରିଖରେ ହିଁ ମହାଦେବଙ୍କ ଏହି ମହାପର୍ବ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ଆଜି ବିଳମ୍ବିତ ରାତିରେ ଅନୁଷ୍ଠିତ ଏକ ବୈଠକରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ପ୍ରକାଶଯୋଗ୍ୟ ଯେ ମହାଶିବରାତ୍ରି ପାଳନ ଲାଗି ଓଡ଼ିଶାର ସମସ୍ତ ପାଞ୍ଜି ୧୪ ତାରିଖ ସ୍ଥିର କରିଥିବା ବେଳେ ଅସଲି ଖଡ଼ିରତ୍ନ ପଞ୍ଜିକା ଏହାକୁ ୧୩ ତାରିଖରେ ପାଳନ କରିବାକୁ ତିଥି ଧାର୍ଯ୍ୟ କରିଛିି। ଏହାକୁ କେନ୍ଦ୍ର କରି ଦୁଇଗୋଷ୍ଠୀର ପାଞ୍ଜି ଗଣକଙ୍କ ମଧ୍ୟରେ ବିବାଦ ଉଠିଥିଲା।

ଖଡ଼ିରତ୍ନ ପଞ୍ଜିକା ପ୍ରସ୍ତୁତକାରୀଙ୍କ ସହ ତାଙ୍କ ସପକ୍ଷବାଦୀମାନେ ଆଜି ସାମ୍ବାଦିକ ସମ୍ମିଳନୀ ଡାକି ଅନ୍ୟ ପାଞ୍ଜିଗୁଡ଼ିକ ମହାଶିବରାତ୍ରି ପାଳନ ନେଇ ଭୁଲ ତିଥି ଉଲ୍ଲେଖ କରିିଥିବା ଘୋଷଣା କରିଥିଲେ। ସ୍ତମ୍ଭକାର ତଥା ପଞ୍ଜିକା ସମୀକ୍ଷକ ହରିଶଙ୍କର ମିଶ୍ରଙ୍କ ସମେତ ପ୍ରମୋଦ ଆଚାର୍ଯ୍ୟ ଓ ଶିବପ୍ରସାଦ ମିଶ୍ର ପ୍ରମୁଖ ୧୪ ତାରିଖରେ ମହାଶିବରାତ୍ରି ପାଳନ କରିବାକୁ ‘ଅକାଳ’ ବୋଲି କହିଥିଲେ। ଏ ନେଇ ସେମାନେ ଜଗଦ୍‌ଗୁରୁଙ୍କ ସମେତ ମୁକ୍ତି ମଣ୍ଡପ ପଣ୍ଡିତ ସଭାକୁ ଲିଖିତ ଭାବେ ଅବଗତ କରାଇଥିଲେ। ଅନ୍ୟପଟେ ଜାଗର ପାଳନକୁ କେନ୍ଦ୍ର କରି ସୃଷ୍ଟ ଏହି ବିବାଦ ଅହେତୁକ; ଗଣନା ବିଚାର ଅନୁଯାୟୀ ୧୪ ତାରିଖ ହିଁ ପାଳନ ଲାଗି ସର୍ବାଦୌ ଗ୍ରହଣୀୟ ବୋଲି ଯୁକ୍ତିକୁ ଦୋହରାଇଥିଲେ ୧୪ ତାରିଖ ପାଳନ ସପକ୍ଷବାଦୀ ପାଞ୍ଜିଗଣକମାନେ।

ତିଥି ବିବାଦକୁ କେନ୍ଦ୍ର କରି ରାଜ୍ୟବ୍ୟାପୀ ମହାଦେବ ମନ୍ଦିର ପରିଚାଳନା କମିଟି ସହ ଭକ୍ତ ମହଲରେ ଦ୍ୱନ୍ଦ୍ୱ ବଢ଼ିବା ପରେ ଉଭୟପକ୍ଷର ଗଣକଙ୍କ ସମେତ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟମାନଙ୍କୁ ଆଜି ରାତିରେ ଡାକି ଜଗଦ୍‌ଗୁରୁ ଆଲୋଚନା କରିଥିଲେ। ଉଭୟପକ୍ଷଙ୍କୁ ଏଥିସଂକ୍ରାନ୍ତ ପ୍ରାମାଣିିକ ତଥ୍ୟ ଉପସ୍ଥାପନ କରିବାକୁ କହିଥିଲେ। କିନ୍ତୁ ବୈଠକକୁ ଗୋଟିଏ ପକ୍ଷ ଆସିନଥିଲେ। ଅନ୍ୟପକ୍ଷରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ଜଗଦ୍‌ଗୁରୁଙ୍କୁ ସ୍ପଷ୍ଟୀକରଣ ଦେଇ ୧୪ ତାରିଖରେ ଶିବରାତ୍ରି ପାଳନ ପାଇଁ ସମସ୍ତ ପ୍ରକାରର ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥିଲା। ସମସ୍ତ ପ୍ରମାଣକୁ ବିଚାରକୁ ନେଇ ଶଙ୍କରାଚାର୍ଯ୍ୟ ୧୪ ତାରିଖରେ ଜାଗର ପାଳନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଆଗାମୀ ଦିନମାନଙ୍କରେ ସମସ୍ତ ପାଞ୍ଜି ଯେଭଳି ସମାନ ରହେ ସେ ନେଇ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର