ରାକ୍ଷୀ ରହିଲା ସାକ୍ଷୀ; ଭଉଣୀ ପାଇଁ ଉତ୍ସର୍ଗୀକୃତ ଶିବରାମ

ଜୟପୁର: ଭଉଣୀ ଭିନ୍ନକ୍ଷମ। କିନ୍ତୁ ଭଉଣୀ ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ଅହରହ ପରିଶ୍ରମ କରୁଛନ୍ତି। ନିଜ ସୁଖ ଓ ସଂସାରକୁ ଭୁଲି ଯାଇ ସକାଳୁ ରାତି ଯାଏ ଭଉଣୀ ସେବା କରୁଛନ୍ତି। ବୟସର ମଧ୍ୟାହ୍ନରେ ପହଞ୍ଚିଥିବା ବେଳେ‌ ବି ଭଉଣୀର ସାହାରା ସାଜିଛନ୍ତି। ଦିନେ କି ଦୁଇ ଦିନ ନୁହଁ ୨୦ ବର୍ଷରୁ ଅଧିକ ଦିନ ହେଲାଣି ଭଉଣୀ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ପଞ୍ଚାୟତର ଶିବରାମ ମହାପାତ୍ର। ଭଉଣୀ ରାଜଲକ୍ଷ୍ମୀ ମହାପାତ୍ର ଭିନ୍ନକ୍ଷମ ଥିବାରୁ ଆଜି ପର୍ଯ୍ୟନ୍ତ ତାହାର ସେବା କରି ଆସୁଛନ୍ତି। ଭାଇ ବୋଲି ଯେଉଁ ଭଉଣୀ ରାକ୍ଷୀ ବାନ୍ଧିଛି ତାର ସୁରକ୍ଷା ପାଇଁ ସେ ଚେଷ୍ଟା କରିଆସୁଛନ୍ତି। ମା’ ପୁଅ ସମ୍ପର୍କ ଯେଉଁଠି ହାର ମାନି ଯାଉଛି ସେଠାରେ ଭାଇ ଓ ଭଉଣୀର ଏଭଳି ସମ୍ପର୍କ ଦେଖିବାକୁ ମଳିଛି।
ପିଲାଟି ଦିନରୁ ରାଜଲକ୍ଷ୍ମୀ ଭିନ୍ନକ୍ଷମ ଅଟନ୍ତି। ବାମ ଗୋଡ ଓ ହାତ ଅଚଳ ହୋଇଯାଇଛି। ତଥାପି ସେ ପାଠ ପଢ଼ିବାକୁ ଆଗ୍ରହ ରଖି ବିଦ୍ୟାଳୟରେ ନାମ ଲେଖାଇଥିଲେ। ବାପା ଡିଏନକେ ପ୍ରକଳ୍ପରେ କାମ କରୁଥିବା ବେଳେ ସେହି ଟଙ୍କାରେ ପରିବାର ଚଳିଯାଉଥିଲ। କିନ୍ତୁ ଅସୁସ୍ଥତା ଯୋଗୁଁ ବାପାଙ୍କ ଅବସର ନେଇଥିଲେ ଏବଂ ଏହାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ପରେ ପରିବାରର ବୋଝ ଶିବରାମ ଉପରେ ପଡିଥିଲା। ଶିବରାମ ଜଣେ ମିସ୍ତ୍ରୀଙ୍କ ନିକଟରେ ରହି କାମ କରୁଥିଲେ ସେହି ଟଙ୍କାରେ ମା’ଓ ଭଉଣୀକୁ ନେଇ ଚଳିଯାଉଥିଲେ। ଟଙ୍କାର ଅଭାବକୁ ନେଇ ରାଜଲକ୍ଷ୍ମୀ ପାଠ ପଢ଼ାରେ ଡୋରୀ ବାନ୍ଧିବାକୁ ପଡିଥିଲା। ଏହାପରେ କିଛି ଟଙ୍କା ରୋଜଗାର ପାଇଁ ଭିନ୍ନକ୍ଷମ ହେଲେ ବି ରାଜଲକ୍ଷ୍ମୀ ସିଲେଇ କରୁଥିଲେ। ଗୋଟିଏ ଗୋଡରେ କାମ କରି ସେ କିଛି ଟଙ୍କା ଉପାର୍ଜନ ମଧ୍ୟ କରୁଥିଲେ। କିଛି ବର୍ଷ ପରେ ମା’ ମଧ୍ୟ ଆରପାରିକୁ ଚାଲିଗଲଲେ। ପରିବାର ଉପରେ ଦୁଃଖର ପାହାଡ ଖସିପଡିଥିଲା। ଏହାପରେ ରାଜଲକ୍ଷ୍ମୀ ସମ୍ପୂର୍ଣ୍ଣ ଅସୁସ୍ଥ ହେବାରେ ଲାଗିପଡିଥିଲେ। ତାଙ୍କୁ କୋରାପୁଟ ମେଡିକାଲରେ ଚିକିତ୍ସା ପରେ ସେଠାରୁ ବ୍ରହ୍ମପୁରକୁ ପଠାଇଥିଲେ, କିନ୍ତୁ ଅସ୍ତ୍ରୋପଚାର ପାଇଁ ୩ ଲକ୍ଷରୁ ଅଧିକ ଖର୍ଚ୍ଚ ହେବ ବୋଲି ରାଜଲକ୍ଷ୍ମୀ ଘରକୁ ଫେରି ଆସିଲେ। ଏହାପରେ ରୋଜଗାର କରୁଥିବା ସ‌ିଲେଇ ମେସିନ ମଧ୍ୟ ବିକ୍ରି କରିବାକୁ ବାଧ୍ୟ ହେଲେ।
ଏବେ ରାଜଲକ୍ଷ୍ମୀ ଗୋଟିଏ ସ୍ଥାନରେ ବସି ରହୁଛନ୍ତି। ଗୋଟିଏ ସ୍ଥାନରୁ ଯିବା ଆସିବା ପାଇଁ ଘୋଷାରି ହୋଇ ଯିବାକୁ ପଡୁଛି। ତେଣୁ ଭଉଣୀର ‌ସେବା ପାଇଁ ଶିବରାମ କାମ ଛାଡିବାକୁ ବାଧ୍ୟ ହୋଇଛନ୍ତି। ରୋଷେଇ କରି ଭଉଣୀକୁ ହାତରେ ଖୁଆଇ ଦେଉଛନ୍ତି। ଘର କାମ ଠାରୁ ଆରମ୍ଭ କରି ‌ଲୁଗାସଫା କାମ ମଧ୍ୟ କରୁଛନ୍ତି। ଭଉଣୀକୁ ପାଖେ ପାଖେ ଛାଇ ଭଳି ଶିବରାମ ଜଗି ରହିଛନ୍ତି। ସରକାର ଠାରୁ ୩୫ କିଲୋ ଚାଉଳ ଓ ୭ ଶହ ଟଙ୍କା ଭତ୍ତାରେ ପରିବାର କଷ୍ଟରେ ଚଳିଯାଉଛି। ପକ୍କା ଘର ଟିଏ ନଥିବାରୁ ଭଙ୍ଗା ଘରେ ଚଳିବାକୁ ପଡୁଛି। ଭାଇ ଛଡା ‌ମୋର ଦୁନିଆରେ ମୋର କେହି ନାହାନ୍ତି, ସମସ୍ତ ସମ୍ପର୍କୀୟମାନେ ଆମଠାରୁ ଦୂରେଇ ଯାଇଛନ୍ତି। କେଉଁ ଜନ୍ମରେ ମୁଁ କେଉଁ ପୂଣ୍ୟ କରିଥିଲି ମୁଁ ଏମିତ ଭାଇ ପାଇଛି। ମୋ ପାଇଁ ମୋର ଭାଇ ହିଁ ସବୁକିଛି ତା ବିନା ମୁ ଅଚଳ। ମୋ ଭାଇ ପାଇଁ ମୁଁ ବହୁତ ଧନ୍ୟ ମନେ କରୁଛି ବୋଲି ରାଜଲକ୍ଷ୍ମୀ କୋହ ଭରା କଣ୍ଠରେ ରାଜଲକ୍ଷ୍ମୀ କହିଛନ୍ତି।
ଶିବରାମ କହିଛନ୍ତି ଯେ, ବିବାହ ପାଇଁ ବହୁ ପ୍ରସ୍ତାବ ଆସିଥିଲା କିନ୍ତୁ ଭଉଣୀ ଏଭଳି ଅବସ୍ଥା ଯୋଗୁଁ ବିବାହ କଥା ଭୁଲି ଯାଇଛି। ଭଉଣୀର ସଠିକ ଭାବ‌େ ଯତ୍ନ ନେଇପାରିବି ନାହିଁ ବୋଲି ବିବାହ ନ ହେବା ପାଇଁ ନିଷ୍ପତ୍ତି ନେଇଛି। ଭଉଣୀ ଦେହ ଖରାପ ହେବା ପର ଠାରୁ ମୁଁ ବାହାରକୁ ଯାଇ ପାରୁ ନାହିଁ, ପୂର୍ବ ଭଳି ଏବେ କାମକୁ ଯାଇପାରୁ ନାହିଁ। କାଁଭାଁ କେତେବେଳେ ପୁରୋହିତ କାମ ମିଳିଲେ କରି ଦେଉଛି। ବାପା, ମାଙ୍କ ମୃତ୍ୟୁ ପରେ ଟଙ୍କା ଅଭାବରୁ ସମ୍ପର୍କୀୟମାନ‌େ ମଧ୍ୟ ଆମକୁ ଛାଡି ପଳାଇଛନ୍ତି। ଭାଇ ଭଉଣୀ ଛାଡି ଦେଲେ ଆମ ପାଖରେ କେହି ନାହିଁ। ବଞ୍ଚିଥିବା ପର୍ଯ୍ୟନ୍ତ ଭଉଣୀର ସେବା କରୁଥିବି ବୋଲି ଶିବରାମ କହିଛନ୍ତି।

ସମ୍ବନ୍ଧିତ ଖବର