ବେଦବ୍ୟାସରେ ଦୀପ ଜାଳିଲେ ହଜାର ହଜାର ଶ୍ରଦ୍ଧାଳୁ; ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଲା ଶୈବପୀଠ

ସୁରକ୍ଷାରେ ୧୧ ପ୍ଲାଟୁନ୍‌ ପୁଲିସ ଫୋର୍ସ

ରାଉରକେଲା: ସହର ଓ ଏହାର ଆଖପାଖରେ ଶୈବପୀଠରେ ଆନନ୍ଦ ଉତ୍ସାହର ସହ ଶିବରାତ୍ରି ଓ ଜାଗରଯାତ୍ରା ପାଳିତ ହୋଇଯାଇଛି। ସବୁଠି ଥିଲା ଆଧ୍ୟାତ୍ମିକ ପରିବେଶ। ଶୈବପୀଠଗୁଡ଼ିକରେ ଲାଗିଥିଲା ଲମ୍ବାଧାଡି। ଶ୍ରଦ୍ଧାଳୁଙ୍କ ‘ଓଁ ନମ୍ଃ ଶିବାୟ’, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ମନ୍ଦିର ପରିସର। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ, ତରକେରାସ୍ଥ ଧବଳେଶ୍ବରପୀଠ, କଳିଙ୍ଗବିହାର ଉମାଙ୍କର ପୀଠ, ଛେଣ୍ଡ କଲୋନି ଦେବବିହାର ଶୈବପୀଠ, ବାସନ୍ତୀକଲୋନି ମାଲଗୋଦାମ, ସେକ୍ଟର-୩ ଅହିରାମନ୍ଦିର ଜଗନ୍ନାଥ ମନ୍ଦିର ପରିସରସ୍ଥ ଶୈବପୀଠ, ସେକ୍ଟର-୮ ଶୈବପୀଠ, ସେକ୍ଟର-୧୯ ଆଖଣ୍ଡଳମଣି ମନ୍ଦିର, ସେକ୍ଟର-୨୦ ଡି ବ୍ଲକ ଶୈବପୀଠ, ସିଭିଲଟାଉନସିପ୍, ଫର୍ଟିଲାଇଜର, ବନ୍ଧମୁଣ୍ଡା ଆଦି ଶୈବପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ବିର୍ସାଛକସ୍ଥ ଶିବ ଶଙ୍କର ନଗର ଶିବ ମନ୍ଦିରରେ ପବିତ୍ର ମହାଶିବରାତ୍ରୀ ପାଳିତ ହୋଇଯାଇଛି। କେଉଁଠି ରାତି ୧୨ଟା ପରେ ତ ଅନ୍ୟ କେଉଁ ଶୈବପୀଠରେ ରାତି ପ୍ରାୟ ୨ଟାରେ ମହାଦୀପ ଉଠିଥଲା। ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜିଲ୍ଲା ପୁଲିସ ପକ୍ଷରୁ ପ୍ରମୁଖ ଶୈବପୀଠଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ବେଦବ୍ୟାସ ଶୈବପୀଠରେ ଠାକୁର ଦର୍ଶନ ପାଇଁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ ବାହାର ରାଜ୍ୟରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ମନ୍ଦିର ଚତୁଃପାର୍ଶ୍ବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଦୀପ ଆଲୋକରେ ବେଦବ୍ୟାସ ଶୈବପୀଠ ଆଲୋକିତ ହୋଇଥିଲା।

ମହାଦୀପ ଉଠିବା ପର୍ଯ୍ୟନ୍ତ ଭିଡ ଲାଗି ରହିଥିଲା। ରାତି ପ୍ରାୟ ୩ ଟା ୧୦ ମିନିଟ୍ ମଧ୍ୟରେ ଦୁଇ ମନ୍ଦିରରେ ମହାଦୀପ ଉଠିଥିଲା। ଚନ୍ଦ୍ରଚୂଡ ମନ୍ଦିରରେ ଆର୍‌ଏସ୍‌ପି କାର୍ଯ୍ୟବାହୀ ନିର୍ଦ୍ଦେଶକ ଅତୁନ ଭୌମିକ ଓ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ମହାଦୀପ ଉଠାଇଥିଲେ। ସେମିତି ବାଲୁଙ୍କେଶ୍ବର ମନ୍ଦିରରେ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ଓ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମହାଦୀପ ଉଠାଥିଲେ। ଟ୍ରାଫିକ ପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୧୧ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୧୭୦ ଗୃହରକ୍ଷୀ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି। ମେଳା ପଡ଼ିଆକୁ ଓ ମନ୍ଦିର ଚତୁଃପାର୍ଶ୍ବ ସିସି ଟିଭି ନଜରରେ ରହିଛି। ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ମେଳାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସେକ୍ଟର-୬ସ୍ଥ ସ୍ବପ୍ନେଶ୍ବର ମହାଦେବ ମନ୍ଦିରରେ ଜାଗରଯାତ୍ରା ଶେଷ ହୋଇଛି। ସନ୍ଧ୍ୟାରେ ଆଳତି ପରେ ପୂଜକ ବାନୀଶଙ୍କର ପଣ୍ଡା ପୂଜାବିଧି ଅନୁଯାଇ ଠାକୁରଙ୍କୁ ହରିହର ଦର୍ଶନ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ। ରାତ୍ର ୧୨.୩୦ମି ରେ ମହାଦୀପ ଉଠିଥିଲା । ଭକ୍ତମାନେ ମହାଦୀପ ଦର୍ଶନ କରି ଠାକୁରଙ୍କ କରୁଣା ଭିକ୍ଷା କରିଥିଲେ। ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ବିଧାୟଙ୍କ ପ୍ରତିନିଧି ଭୂଷଣ ଶେଠୀ ଉପସ୍ଥିତ। ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ଦିଲୀପ ଦାସ, ଦେବେନ୍ଦ୍ର ଆଚାର୍ଯ୍ୟ, ଦିଲ୍ଲୀପ କୁମାର ଦାସ, ଅକ୍ଷୟ ଜେନା, ରାମମୋହନ ନାୟକ, ଅଶୋକ ସ୍ଵାଇଁ, ଜ୍ୟୋତି ରଞ୍ଜନ ମିଶ୍ର, ସୁବାଶ ପାତ୍ର, ରବିନାରାୟଣ ରାଉତ, ଉତ୍ତମ ସାହୁ, ମନୋଜ ମିରକାପ, ଭାସ୍କର ଚଇନି, ବିକାଶ ପ୍ରତିହାରୀ, ବସନ୍ତ ଜେନା, ଅର୍ଜୁନ ବେହେରା, ଶ୍ରୀଧର ଓଝା, ପ୍ରଶାନ୍ତ ବାରିକ, ଅମୂଲ୍ୟ ରଞ୍ଜନ ନାୟକ, ଅଶୋକ ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର